ଫୋନିର ୪୦ ଦିନ ପରେ ବି ଅନ୍ଧାରରେ ଅନେକ ଗାଁ : ପ୍ରତିବାଦରେ ଟାୟାର ଜାଳି ରାସ୍ତାରୋକ କଲେ ଗ୍ରାମବାସୀ
13/06/2019 at 7:13 PM

ନିମାପଡା ୧୩/୬ : କେବେ ଆସିବ ବିଦ୍ୟୁତ ? କେବେ ଅସହ୍ୟ ଗରମରୁ ଲୋକଙ୍କୁ ମିଳିବ ମୁକ୍ତି ? ବାତ୍ୟା ଫୋନିର ୪୦ ଦିନ ପରେ ବି ଗାଁ ଗୁଡିକରେ ବିଦ୍ୟୁତ ସେବା ଯୋଗାଇ ଦିଆଯାଇନାହିଁ । ଯାହାକୁ ନେଇ ଲୋକେ ତାତିଲେଣି । ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲେଣି । ନିମାପଡାର ଅଧିକାଂଶ ଗାଁରେ ଏବେବି ବିଦ୍ୟୁତ ଆସିନଥିବାରୁ ଲୋକେ ରାସ୍ତାରୋକ କରିଛନ୍ତି ।…

ରାସ୍ତାରେ ପଡିଛି ଗଛ, ଜଳୁଛି ଟାୟାର । ଚାଲିଛି ରାସ୍ତାରୋକ । ଏ ରାସ୍ତାରୋକ ରିଲିଫ ପାଇଁ କି ପାନୀୟ ଜଳ ପାଇଁ ନୁହେଁ । ଏ ରାସ୍ତାରୋକ ଗାଁକୁ ବିଦ୍ୟୁତ ସେବା ଯୋଗାଇବା ପାଇଁ । ବାତ୍ୟାର ୪୦ ଦିନ ପରେ ବି ପୁରୀ ନିମାପଡାର ଅନେକ ଗାଁରେ ବିଦ୍ୟୁତ ସେବା ସ୍ବାଭାବିକ ହୋଇନାହିଁ ।

ଦିନ ବେଳା ତ କୌଣସି ମତ କଟି ଯାଉଛି । ହେଲେ ରାତି ହେଲେ ଚାରିଆଡ ଖାଁଖାଁ । ବିଦ୍ୟୁତ ନଥିବାରୁ ଅସହ୍ୟ ଗୁଳୁଗୁଳିରେ ଲୋକେ ସନ୍ତୁଳି ହେଉଛନ୍ତି । ରାତିରେ ଘରେ ଶୋଇ ହେଉନାହିଁ । ମୋବାଇଲ୍ ଚାର୍ଜ କରିହେଉ ନାହିଁ । ବିଦ୍ୟୁତ ସେବା ସ୍ବାଭାବିକ କରିବାକୁ ଯାହାକୁ କହିଲେ ବି କେହି ଶୁଣୁନାହାନ୍ତି ।

ଏପରିକି ବିଦ୍ୟୁତ ସେବା ଯୋଗାଇବା ପାଇଁ ସିଧା ସଳଖ ବିଦ୍ୟୁତ କର୍ମଚାରୀ ଅର୍ଥ ଦାବି କରୁଥିବା ଅଭିଯୋଗ ହୋଇଛି ।ତେଣୁ ଲୋକେ ଏବେ ଆଇନକୁ ହାତକୁ ନେବାକୁ ପଛାଉ ନାହାନ୍ତି ।

ବିଦ୍ୟୁତ ବିଭାଗର କହିବା କଥା ନିମାପଡା ବ୍ଲକରେ ୩୦ ଭାଗ ଅଞ୍ଚଳରେ ବିଦ୍ୟୁତ ସେବା ସ୍ବଭାବିକ ହୋଇସାରିଛି । ପର୍ଯ୍ୟାୟ କ୍ରମେ ବିଦ୍ୟୁତ ସଂଯୋଗ ଚାଲିଛି । ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବ ।

ସାମୁଦ୍ରିକ ଝଡ ଫୋନି ଯିବାର ଏତେଦିନ ପରେ ବି ଅଧିକାଂଶ ଗାଁ ଅନ୍ଧାରରେ । କେବେ ବିଦ୍ୟୁତ ଆସିବ ତାହା ମଧ୍ୟ ଜଣା ନାହିଁ । ତେଣୁ ଦିନକୁ ଦିନ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଥିବାରୁ ଏହା ବିସ୍ଫୋରକ ରୂପ ନେବାକୁ ଯାଉଛି ।