ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ସିରିଜର ଚତୁର୍ଥ ଟି-୨୦ ମ୍ୟାଚ୍ ଆଜି ରାୟପୁରର ସହିଦ ବୀର ନାରାୟଣ ସିଂ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯିବ । ମ୍ୟାଚ୍ ଆରମ୍ଭ ପୂର୍ବରୁ ଏପରି ଏକ ଖବର ସାମନାକୁ ଆସିଛି, ଯାହା ଶୁଣି ସମସ୍ତେ ଚକିତ ହୋଇଛନ୍ତି ।
ସୂଚନା ଅନୁସାରେ ରାୟପୁରର ଏହି ଷ୍ଟାଡିୟମର ଅନେକ ଭାଗରେ ବିଜୁଳି ନାହିଁ । ଏହାର କାରଣ ୨୦୦୯ ମସିହାରୁ ଥିବା ବକେୟା ବିଜୁଳିକୁ ଏବେ ଯାଏ ପୈଠ କରାଯାଇ ନାହିଁ । ରିପୋର୍ଟ ଅନୁସାରେ, ଷ୍ଟାଡିୟମ ଉପରେ ୩.୧୬ କୋଟି ଟଙ୍କା ବିଜୁଳି ବିଲ୍ ବକେୟା ରହିଛି । ଯାହାକୁ ଏବେ ସୁଦ୍ଧା ପୈଠ କରାଯାଇ ନାହିଁ । ଏହି କାରଣରୁ ପାଞ୍ଚ ବର୍ଷ ପୂର୍ବେ ଷ୍ଟାଡିୟମକୁ ବିଜୁଳି ଯୋଗାଣ ବନ୍ଦ କରିଦିଆଯାଇଛି । ଛତିଶଗଡ଼ କ୍ରିକେଟ ଆସୋସିଏସନର ନିବେଦନରେ ଟେମ୍ପରେରୀ ସଂଯୋଗ ଦିଆଯାଇଛି । ଯାହା କେବଳ ଦର୍ଶକ ଗ୍ୟାଲେରୀ ଓ ବକ୍ସ ଯାଏ ସୀମିତ ରହିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ମ୍ୟାଚରେ ଫ୍ଲଡ୍ ଲାଇଟ୍ସ ଜେନେରେଟର ସାହାଯ୍ୟରେ ଜଳାଯିବ । ଅର୍ଥାତ୍ ଯଦି ଜେନେରେଟର ଧୋକା ଦିଏ, ତେବେ ମୈଦାନ ଅନ୍ଧାର ହୋଇଯିବ ।
ପଢନ୍ତୁ: ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟି-୨୦ ମ୍ୟାଚ୍, ସିରିଜ୍ କବ୍ଜା ଲକ୍ଷ୍ୟରେ ସୂର୍ଯ୍ୟ ସେନା
୨୦୧୮ରେ ହ୍ୟାପ୍-ମାରାଥନ୍ ସମୟରେ ମଧ୍ୟ ବିବାଦ ହୋଇଥିଲା । ପ୍ରତିଯୋଗିତା ସମୟରେ ଷ୍ଟାଡିୟମରେ ବିଜୁଳି ନଥିବା ଜାଣି ଖେଳାଳିମାନେ ହୋହଲ୍ଲା କରିଥିଲେ । ଷ୍ଟାଡିୟମ ନିର୍ମାଣ ହେବା ପରେ ଏହାର ରକ୍ଷଣବେକ୍ଷଣ ଦାୟିତ୍ୱ ପିଡବ୍ଲଡିକୁ ଦିଆଯାଇଥିଲା । ଅନ୍ୟ ଖର୍ଚ୍ଚ ଦାୟିତ୍ୱ ଖେଳ ବିଭାଗକୁ ଦିଆଯାଇଥିଲା । ଏହେ ଦୁଇ ବିଭାଗ ବିଜୁଳି ବିଲ୍ ପୈଠ ନହେବା ପାଇଁ ପରସ୍ପରକୁ ଦାୟୀ କରୁଛନ୍ତି ।