ସରକାରଙ୍କ ଏତେ ଯୋଜନା ସତ୍ୱେ ଆଜି ବି ଅନ୍ଧାରରେ ଜୀବନ
8/05/2018 at 10:35 AM

ଦେଶରୁ ଅନ୍ଧାର ହଟିବ ଆଉ ଆଲକିତ ହେବ ଗାଁ ଠାରୁ ସହର । ଏହି ନାରା ନେଇ ଅନେକ ବିଦ୍ୟୁତ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର । ତେବେ ମାଲକାନଗିରି ଜିଲ୍ଲାରେ ଆଜି ବି ଏମିତି ଅନେକ ଗାଁ ରହିଛି ଯେଉଁଠି ବିଜୁଳି ଆଲୁଅ ପହଞ୍ଚିବା ତୋ ଦୂରର କଥା ସରକାରୀ ବାବୁଙ୍କ ପାଦ ମଧ୍ୟ କେବେ ପଡି ନାହି ସେହି ଆଦିବାସି ଗାଁରେ । ଏମିତି ଏକ ଗାଁରେ ପହଞ୍ଚିଥିଲା ନ୍ୟୁଜ୭ କ୍ୟାମେରା ଟିମ ।
ମାଲକାନଗିରି ଜିଲ୍ଲାର ବାଲିମେଳା ଠାରେ ଥିବା ଏସିଆ ମହାଦେଶର ଦ୍ୱିତୀୟ ବୃହତ ଜଳ ବିଦ୍ୟୁତ ପ୍ରକଳ୍ପ ଦେଶର ଅନେକ ରାଜ୍ୟକୁ ଆଲୋକିତ କରିଥିବା ବେଳେ ଦୀପ ତଳେ ଅନ୍ଧକାର ପରି ମାଲକାନଗିରି ଜିଲ୍ଲାର ଅନେକ ଗାଁରେ ଏଯାଏଁ ପହଞ୍ଚି ପାରିନାହିଁ ବିଜୁଳି ଆଲୁଅ । ସ୍ଵାଧୀନତାର ୭୦ ବର୍ଷ ପରେବି କଙ୍ଗଡୀ ଗାଁ ଲୋକେ ଡିବିରି ଆଲୁଅ ତଳେ ଜୀବନ ବିତାଉଛନ୍ତି । ଛୋଟ ଛୋଟ ପିଲାଙ୍କ ପାଠ ପଢା ଠାରୁ ଆରମ୍ଭ କରି ବୃଦ୍ଧଙ୍କ ଜୀବନ ବିତି ଯାଉଛି ଏହି ଡିବିରି ଆଲୁଅ ତଳେ । ନିର୍ବାଚନ ପରେ ନିର୍ବାଚନ ହେଉଛି ଆଉ ଲୋକଙ୍କୁ ମିଳୁଛି ଅନେକ ପ୍ରତିଶ୍ରୁତି । ତେବେ ନିର୍ବାଚନ ସରିଲେ ସମସ୍ତେ ଭୁଲି ଯାଉଛନ୍ତି କଙ୍ଗଡୀ ଗାଁ କଥା ।
ନକ୍ସଲ ପନ୍ଥୀଙ୍କ ଆଳ ଦେଖାଇ ମାଲକାନଗିରି ଜିଲ୍ଲାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଜିଲ୍ଲା ମୁଖ୍ୟାଳୟ ନିକଟରେ ଥିବା କଙ୍ଗଡୀ ଗାଁ ଲୋକେ ଆଜିବି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି ।
ବିଜୁ ଜ୍ୟୋତି ଠାରୁ ଆରମ୍ଭ କରି ରାଜୀବ ଗାନ୍ଧୀ ଓ ଦିନ ଦୟାଲ ଉପଧ୍ୟାୟ ଯୋଜନା ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ମାଗଣାରେ ବିଦ୍ୟୁତ ଯୋଗାଇବା ଲାଗି ସରକାର କେତେ କଅଣ ଯୋଜନା କରିଛନ୍ତି । ହେଲେ ଡିବିରି ଆଲୁଅ ତଳେ ଜୀବନ ବିତାଉଥିବା ମାଲକାନଗିରି ଜିଲ୍ଲାର ଏହି ଆଦିବାସୀ ଲୋକଙ୍କୁ ଦେଖିଲେ ଜଣା ପଡୁଛି ଯେ ସରକାରଙ୍କ ଯୋଜନା ଅପହଞ୍ଚ ଇଲାକାରେ କେମିତି କାର୍ଯ୍ୟକାରି ହେଉଛି ।