ଡାକ୍ତର ନାହାନ୍ତି, ଫାର୍ମାସିଷ୍ଟ ଓ ଝାଡୁଦାରଙ୍କ ଭରସାରେ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର : ବର୍ଷେ ହେଲାଣି ଲୋକେ ହନ୍ତସନ୍ତ

Published By : Prameya-News7 Bureau | February 11, 2020 IST

ଲମତାପୁଟ ୧୧।୨: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଅରାବିର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଚଳାଉଛନ୍ତି  ଫାର୍ମାସିଷ୍ଟ  ଏବଂ ଝାଡୁଦାର । ବର୍ଷେ ବିତିଲାଣି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି । ଫାର୍ମାସିଷ୍ଟ ଜଣଙ୍କ ଡାକ୍ତରଙ୍କ ସବୁ କାର୍ଯ୍ୟ କରୁଛନ୍ତି । ରୋଗୀଙ୍କ ରକ୍ତ ପରୀକ୍ଷା, ରୋଗୀଙ୍କୁ ଇଞ୍ଜେକସନ ଦେବା, ସାଲାଇନ ଦେବା ସବୁ ପ୍ରକାର ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି ।  

{"id":223169,"sizeSlug":"large"}

ଦିନକୁ ପ୍ରାୟ ୨୫ରୁ ଅଧିକ ରୋଗୀ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକତ୍ସା ପାଇଁ ଆସିଥାନ୍ତି । ଫାର୍ମାସିଷ୍ଟଙ୍କୁ ସହାୟତା କରିବା ପାଇଁ  ଜଣେ ଝାଡୁଦାର ଅଛନ୍ତି । ଦୁଇ ଜଣ ମିଶି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଚଳାଇ ଆସୁଛନ୍ତି ।  ଗୁରୁତର ରୋଗୀ, ପ୍ରସୂତୀ ଆସିଲେ ସଙ୍ଗେ ସଙ୍ଗେ ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରିଦେଉଛନ୍ତି । ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୩୦ରୁ ଅଧିକ ଗ୍ରାମର ଲୋକେ ନିର୍ଭର କରିଥାନ୍ତି ।

{"id":223168,"sizeSlug":"large"}

ଫାର୍ମାସିଷ୍ଟଙ୍କୁ ପଚାରିବାରୁ ସେ କହିଥିଲେ ପୂର୍ବରୁ ଡାକ୍ତର ସତ୍ୟାନନ୍ଦ ନାୟକ ଏଠାରେ ଥିଲେ । ସେ ପିଜି ପଢିବା ପାଇଁ ପଳାଇଗଲେ । ଦୁଇ ମାସ ତଳେ ଡାକ୍ତର ଆଦିତ୍ୟ ପ୍ରସାଦ ମହାନ୍ତି ଆସିଥିଲେ। ସପ୍ତାହ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିବା ପରେ ସେ ଡେପୁଟେସନରେ କୋରାପୁଟକୁ ଚାଲିଯାଇଥିବା ସୂଚନା ମିଳୁଥିବା ଫାର୍ମାସିଷ୍ଟ ଜଣଙ୍କ କହିଛନ୍ତି। ତାପରଠାରୁ କେହି ଡାକ୍ତର ଆସିନାହାନ୍ତି ବୋଲି ସେ କହିଛନ୍ତି ।

{"id":223171,"sizeSlug":"large"}

ଅନ୍ୟପଟେ ଅଞ୍ଚଳବାସୀଙ୍କ କହିବା ଅନୁସାରେ ୩୦ରୁ ଅଧିକ ଗ୍ରାମର ଲୋକଙ୍କ ସହ ବିଭିନ୍ନ ସରକାରୀ ଛାତ୍ରାବାସ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଡାକ୍ତର ନଥିବାରୁ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଲେ ବାଧ୍ୟ ହୋଇ ୧୨ କିଲୋମିଟର ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡୁଥିବା କହିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

{"id":223173,"sizeSlug":"large"}

ଉପାନ୍ତ ଏବଂ ମାଓ ପ୍ରଭାବିତ ଅଞ୍ଚଳକୁ ଯେଉଁ ଡାକ୍ତର ଆସନ୍ତି ସେହି ଡାକ୍ତରଙ୍କ ପାଇଁ ସ୍ଵତନ୍ତ୍ର ଦରମାର ବ୍ୟବସ୍ଥା ରହିଛି। ଯଦି ଡାକ୍ତର ଜଣଙ୍କ ୬୦ହଜାର ଦରମା ପାଇବା କଥା ସେ ଏହି ଉପାନ୍ତ ଅଞ୍ଚଳକୁ ଆସିଲେ ଭି-୪ରେ ଏକ ଲକ୍ଷ ଟଙ୍କା ପାଇବେ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ଡାକ୍ତର ଏଠାକୁ ଆସିଥିଲେ ସେ ଦରମା ପାଇବେ ଏକ ଲକ୍ଷ କିନ୍ତୁ କାମ କରିବେ କୋରାପୁଟ ମେଡିକାଲ କଲେଜରେ ।  ତେଣୁ ଡେପୁଟେସନରେ ଯାଇଥିବା ଡାକ୍ତରଙ୍କୁ ପୁଣି ଥରେ ଅରାବିର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଫେରାଇ ଆଣିବା ଜରୁରୀ ହୋଇପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.