ଚୀନ ସହ ବିମାନ ସେବା ବନ୍ଦ କରିବା ଉପରେ ବର୍ତ୍ତମାନ କୌଣସି ନିଷ୍ପତ୍ତି ନାହିଁ, ବିରୋଧୀଙ୍କ ଦାବି ଭିତରେ ସରକାରଙ୍କ ଜବାବ
22/12/2022 at 4:05 PM

ନୂଆଦିଲ୍ଲୀ: ଚୀନ ସହ ଅନ୍ୟ କିଛି ଦେଶରେ କରୋନା ବିସ୍ଫୋରଣ ଦେଖିବାକୁ ମିଳୁଛି । ଚୀନରେ ସ୍ଥିତି ସବୁଠୁ ଖରାପ ରହିଛି । ୨୦୧୯ ଶେଷରେ ଚୀନରେ କରୋନାର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା । ଏବେ ତିନି ବର୍ଷ ପରେ ବି ସ୍ଥିତି ନିୟନ୍ତ୍ରଣକୁ ଆସିପାରି ନାହିଁ । ଏପରିସ୍ଥିତିରେ ଭାରତ ସରକାର ତତ୍ପରତା ପ୍ରକାଶ କରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଅନ୍ୟପଟେ, ଚୀନ ସହ ସମସ୍ତ ଅନ୍ତର୍ଜାତୀୟ ବିମାନ ଉଡାଣ ବାତିଲ କରିବାକୁ ବିରୋଧୀ ଦଳ ଗୁଡିକ ଦାବି କରିଛନ୍ତି ।
ବିରୋଧୀ ଦଳ ଗୁଡିକର ଦାବି ଭିତରେ, ଚୀନକୁ ଯିବା ଆସିବା କରୁଥିବା ବିମାନ ଉପରେ କଟକଣା ଲାଗୁ କରାଯିବା ନେଇ କେନ୍ଦ୍ର ସରକାର କୌଣସି ଆଦେଶ ଜାରି କରି ନଥିବା ସରକାରୀ ସୂତ୍ରରୁ ଜଣାପଡିଛି । ବୟାନ ଅନୁସାରେ, ‘ଚୀନରୁ ଭାରତ କିମ୍ୱା ଭାରତରୁ ଚୀନ ମଧ୍ୟରେ କୌଣସି ସିଧା ଉଡାଣ ନାହିଁ । କିନ୍ତୁ ବର୍ତ୍ତମାନ ସୁଦ୍ଧା, ଚୀନ ରାସ୍ତା ଦେଇ ଆସୁଥିବା କନେକ୍ଟିଙ୍ଗ ଫ୍ଲାଇଟକୁ ବନ୍ଦ କରିବା ଉପରେ ଏହିପରି କୌଣସି ନିର୍ଦ୍ଦେଶ ଜାରି କରାଯାଇ ନାହିଁ । ଯଦି ଏହି ମାମଲା ଉପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚୂଡାନ୍ତ ନିଷ୍ପତ୍ତି ନିଏ ତେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିର୍ଦ୍ଦେଶର ପାଳନ କରିବ’ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ କରୋନା ସ୍ଥିତି ଏବଂ ଏହା ସହ ଜଡ଼ିତ ଦିଗର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ କରିବେ । ଗତ ଛଅ ମାସାରେ ଭାରତରେ ଓମିକ୍ରନ ସବ-ଭାରିଆଣ୍ଟ ବିଏଫ.୭ର ଚାରି ମାମଲା ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଚୀନରେ ଓମିକ୍ରନ ସବ-ଭାରିଆଣ୍ଟ ବିଏଫ.୭ ହିଁ ତାଣ୍ଡବ ରଚୁଛି ।