କ୍ୟାନ୍ସର ଔଷଧ ଉପରୁ କମିଲା ଜିଏସଟି, ଝୁଲିଲା ସ୍ଵାସ୍ଥ୍ୟ ବୀମା ଉପରୁ ଟ୍ୟାକ୍ସ ହ୍ରାସ ନିଷ୍ପତ୍ତି

Published By : Prameya-News7 Bureau | September 09, 2024 IST

ନୂଆଦିଲ୍ଲୀ: ବସ୍ତୁ ଓ ସେବା କର(ଜିଏସଟି)  ପରିଷଦର ୫୪ତମ ବୈଠକରେ ସୋମବାର ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ବଡ଼ ଘୋଷଣା କରିଛନ୍ତି। କ୍ୟାନ୍ସରର ଔଷଧ ଉପରୁ ଜିଏସଟି ହ୍ରାସ କରାଯାଇ ୧୨ ପ୍ରତିଶତରୁ ୫ ପ୍ରତିଶତ କରାଯାଇଛି। ନମକିନ ଉପରୁ ଜିଏସଟି ୧୮ ପ୍ରତିଶତରୁ ୧୨ ପ୍ରତିଶତ କରାଯାଇଛି।

ଜିଏସଟି ପରିଷଦ ବୈଠକରେ ସ୍ଵାସ୍ଥ୍ୟ ଓ ଜୀବନ ବୀମା ଉପରେ ଜିଏସଟି ୧୮ ପ୍ରତିଶତରୁ କମ କରିବା ପାଇଁ ସର୍ବସମ୍ମତି ସହମତି ପ୍ରକାଶ ପାଇଛି। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଆଗାମୀ ନଭେମ୍ବର ମାସରେ ହେବାକୁ ଥିବା ବୈଠକରେ ନିଆଯିବ। ଉଲ୍ଲେଖନୀୟ ଜିଏସଟି ଲାଗୁ ହେବା ପୂର୍ବରୁ ବୀମା ପ୍ରିମିୟମ ଉପରେ ସର୍ଭିସ୍ ଟ୍ୟାକ୍ସ ଲାଗୁ ଥିଲା। ୨୦୧୭ରେ ଜିଏସଟି ଲାଗୁ ହେବା ପରେ ସର୍ଭିସ୍ ଟ୍ୟାକ୍ସକୁ ଜିଏସଟି ପରିସରଭୁକ୍ତ କରାଯାଇଥିଲା। ବୀମା ପ୍ରିମିୟମ ଉପରେ ଜିଏସଟି ପ୍ରସଙ୍ଗ ସଂସଦରେ ଉଠିଥିଲା। ବିରୋଧୀ ଦଳର ସଦସ୍ୟ ସ୍ଵାସ୍ଥ୍ୟ ଓ ଜୀବନ ବୀମାକୁ ଜିଏସଟି ମୁକ୍ତ କରିବାକୁ ଦାବି କରିଥିଲେ। ଏପରିକି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ଏହି ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଥିଲେ। 

Also read: ଦୁବାଇ ଭଳି ଧନୀ ହୋଇଯିବ ଭାରତର ପଡ଼ୋଶୀ ପାକିସ୍ତାନ: ମିଳିଲା ବିଶ୍ୱର ଚତୁର୍ଥ ବଡ଼ ତୈଳ ଭଣ୍ଡାର

ସ୍ଵାସ୍ଥ୍ୟ ବୀମା ଉପରେ ଜିଏସଟିରେ ହ୍ରାସ ନେଇ ଅଧିକ ସମୀକ୍ଷା ପାଇଁ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିସ୍ତରୀୟ ଗ୍ରୁପ ଗଠନ କରାଯାଇଛି। ଏହି କମିଟିରେ ଅନ୍ୟ ସଦସ୍ୟଙ୍କ ନାମ ଶୀଘ୍ର ଘୋଷଣା କରାଯିବ। ଆଗାମୀ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୀତାରମଣ କହିଛନ୍ତି। 

ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ କହିଛନ୍ତି, ବୈଠକରେ ଅନଲାଇନ ଗେମିଂ ଓ କେସିନୋ ଉପରେ ଜିଏସଟି ହାର ବଢିବା ପରେ ରାଜସ୍ଵରେ ବୃଦ୍ଧି ଘଟିଛି। ଅନଲାଇନ ଗେମିଂ ଉପରେ ୪୧୨ ପ୍ରତିଶତ ଅଧିକ ଜିଏସଟି ରାଜସ୍ଵ ବୃଦ୍ଧି ଘଟିଛି। ଅନଲାଇନ ଗେମିଂ ଉପରେ ବିଜ୍ଞପ୍ତି ଜାରି ହେବା ପୂର୍ବ ମାସରେ କେବଳ ୧୩୪୯ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଥିଲା। କିନ୍ତୁ ବିଜ୍ଞପ୍ତି ଜାରି ହେବା ପରେ ଛଅ ମାସରେ ଏହି ରାଜସ୍ଵ ବୃଦ୍ଧି ଘଟି ୬ ହଜାର ୯୦୯ କୋଟି ଟଙ୍କାରେ ପହଞ୍ଚିଛି। କେସିନୋ ଉପରୁ ୩୦ ପ୍ରତିଶତ ରାଜସ୍ଵ ବଢି ଏହା ୧୬୪.୬  କୋଟିରୁ ୨୧୪ କୋଟିରେ ପହଞ୍ଚିଛି। 

ଜିଏସଟି କାଉନସିଲ ବୈଠକରେ ଅନ୍ୟ ବଡ଼ ଘୋଷଣା

କାଉନସିଲରେ ବିଜନେସ ଟୁ କଷ୍ଟମର ଜିଏସଟି ଇନଏଭସ ଆରମ୍ଭ କରିବା ନେଇ ଘୋଷଣା କରାଯାଇଛି। ବିଶ୍ବବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନକୁ ଗବେଷଣା ଓ ଅନୁସନ୍ଧାନ ପାଇଁ ମିଳୁଥିବା ଅର୍ଥ ବା ଅନୁଦାନକୁ ଜିଏସଟି ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଧାର୍ମିକ ଯାତ୍ରା ପାଇଁ ହେଲିକପ୍ଟର ସେବା ଉପରେ ଟ୍ୟାକ୍ସ କମାଇ ୧୮%ରୁ ୫% ପ୍ରତିଶତ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.