ସମାଲୋଚନା ପରେ ନିଷ୍ପତ୍ତି ବଦଳାଇଲେ ସରକାର, Cow Hug Day ନୁହେଁ, ଶ୍ରଦ୍ଧାରେ ଗୋମାତାଙ୍କୁ ଆଲିଙ୍ଗନ କର

Published By : Prameya-News7 Bureau | February 10, 2023 IST

ନୂଆଦିଲ୍ଲୀ: ଭାଲେଣ୍ଟାଇନ୍ ବଦଳରେ 'କାଓ ହଗ୍ ଡେ' ପାଳନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ର ସରକାର। ହେଲେ ଏହାକୁ ନେଇ ନାନା ସମାଲୋଚନା ଓ ମିମ୍ସ ହେବା ପରେ ନିଷ୍ପତ୍ତି ବଦଳାଇଛି କେନ୍ଦ୍ର ସରକାରଙ୍କର ଭାରତୀୟ ପ୍ରାଣୀ କଲ୍ୟାଣ ବୋର୍ଡ। କୌଣସି କାଓ ହଗ୍‌ ଡେ ପାଳନ କରାଯିବ ନାହିଁ। କେବଳ ଫେବ୍ରୁଆରୀ ୧୪ ନୁହେଁ ଲୋକେ ଚାହିଁଲେ ଗୋମାତାକୁ ଶ୍ରର୍ଦ୍ଧାପୂର୍ବକ ଆଲିଙ୍ଗନ କରିପାରିବେ ବୋଲି ବୋର୍ଡ କହିଛି।

ଏନେଇ ପ୍ରାଣୀ କଲ୍ୟାଣ ବୋର୍ଡ ପକ୍ଷରୁ ପୁଣି ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଯେଉଁଥିରେ Cow Hug Day ପାଳନ ପାଇଁ କରାଯାଇଥିବା ନିବେଦନର ପ୍ରତ୍ୟାହାର କରାଯାଉଛି ବୋଲି କୁହାଯାଇଛି। ଏଥିରେ କୁହାଯାଇଛି " ଭାରତ ସରକାରଙ୍କର ମତ୍ସ୍ୟ, ଗୋ ସମ୍ପଦ ମନ୍ତ୍ରାଳୟର ନିର୍ଦ୍ଦେଶାନୁସାରେ, ଭାରତୀୟ ପ୍ରାଣୀ କଲ୍ୟାଣ ବୋର୍ଡ ୨୦୨୩ ଫେବ୍ରୁଆରୀ ୧୪ କୁ Cow Hug Day ଭାବେ ପାଳନ କରିବାକୁ ଘୋଷଣା କରିଥିଲା। ଏବେ ମନ୍ତ୍ରାଳୟର ନିର୍ଦ୍ଦେଶାନୁସାରା ବୋର୍ଡ ଏହି ଘୋଷଣାନାମାକୁ ପ୍ରତ୍ୟାହାର କରୁନେଉଛି। "

ସୂଚନା ଥାଉକି ଫେବ୍ରୁଆରୀ ୮ ତାରିଖରେ Cow Hug Day ପାଳନ କରିବାକୁ ଅନୁରୋଧ କରିଥିଲା ଭାରତୀୟ ପ୍ରାଣୀ କଲ୍ୟାଣ ବୋର୍ଡ(AWBI )। ଫେବ୍ରୁଆରୀ ୧୪ ତାରିଖରେ ଭାଲେଣ୍ଟାଇନ୍‌ ଡେ ବଦଳରେ Cow Hug Day (ଗୋମାତା ଆଲିଙ୍ଗନ ଦିବସ) ପାଳନ କରିବାକୁ ବୋର୍ଡ ଦେଶବାସୀଙ୍କୁ ଅନୁରୋଧ କରିଥିଲା। ଭାରତ ସରକାରଙ୍କର ମତ୍ସ୍ୟ ଓ ଗୋ ସମ୍ପଦ ମନ୍ତ୍ରାଳୟର ନିର୍ଦ୍ଦେଶାନୁସାରେ ପ୍ରାଣୀ କଲ୍ୟାଣ ବୋର୍ଡ ଏହି ନିର୍ଦ୍ଦେଶନାମା ଜାରି କରିଥିଲା।

ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଥିଲା ଯେ ଜୀବନ ଧାରଣ ପାଇଁ ଗାଈ ଭାରତୀୟ ସଂସ୍କୃତି ଓ ଗ୍ରାମୀଣ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ। ମାଆ ଭଳି ପୋଷଣା କ୍ଷମତା ଥିବାରୁ ଗାଈକୁ କାମଧେନୁ ଓ ଗୋମାତା ବୋଲି କୁହାଯଏ। ମାନବ ସମାଜକୁ ସେ ସବୁକିଛି ଦେଇଥାଏ। ତେଣୁ ଗାଈରୁ ମିଳୁଥିବା ସର୍ବାଧିକ ଲାଭକୁ ଦେଖି ଗାଈକୁ କୋଳେଇ ନିଅନ୍ତୁ ବୋଲି ବୋର୍ଡ କହିଥିଲା।

ବୋର୍ଡ ଆହୁରି କହିଥିଲା ଯେ ସମୟ ଅନୁସାରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଗତି ଯୋଗୁ ବୈଦିକ ପରମ୍ପରା ସବୁ ଲୋପ ପାଇଯାଉଛି।ପାଶ୍ଚାତ୍ୟ ସଭ୍ୟତାର ଚାକଚକ୍ୟରେ ଆମର ଭୌତିକ ସଂସ୍କୃତି ଓ ପରମ୍ପରାକୁ ଲୋକେ ଭୁଲିଯାଉଛନ୍ତି। ତେଣୁ ଆମ ଜୀବନରେ ଗୋମାତାର ମହତ୍ୱକୁ ଦେଖି ସମସ୍ତ ଗାଈ ପ୍ରେମୀ ଫେବ୍ରୁଆରୀ ୧୪ କାଓ ହଗ୍ ଡେ ଭାବରେ ପାଳନ କରି ଜୀବନକୁ ଖୁସୀ ଓ ସକ୍ରିୟ ଶକ୍ତିରେ ଭରିଦଅନ୍ତୁ ବୋଲି ବୋର୍ଡ କହିଥିଲା।

ବିରୋଧୀଙ୍କ କଡ଼ା ସମାଲୋଚନା-

ବୋର୍ଡର ଏଭଳି ଘୋଷଣା ପରେ ଏହାକୁ କଡ଼ା ସମାଲୋଚନା କରିଥିଲେ ବିରୋଧୀ ଦଳର ନେତା। ଉଦ୍ଧବ ବାଲାସାହେବ ଠାକ୍‌ରେ(UBT) ଶିବସେନା ଦଳ ଏହାକୁ ବ୍ୟଙ୍ଗ କରି କହିଥିଲା ଯେ ଆଦାନୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ପବିତ୍ର ଗାଈ ଥିଲେ। ସେହିପରି ଟିଏମ୍‌ସି ରାଜ୍ୟସଭା ସାଂସଦ ଶାନ୍ତନୁ ସେନ୍ ମଧ୍ୟ ବୋର୍ଡର ଏଭଳି ନିଷ୍ପତ୍ତିକୁ ସମାଲୋଚନା କରିଥିଲେ। ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଏହା ଛଦ୍ମହିନ୍ଦୁବାଦ ଓ ଛଦ୍ମ ଦେଶପ୍ରେମର ପରିଚୟ ବୋଲି ଶାନ୍ତନୁ ସେନ୍ କହିଥିଲେ।  ସେହିପରି ସିପିଆଇଏମ୍ ନେତା ଏଲାମରାମ କରୀମ ଏହାକୁ ଏକ ହାସ୍ୟସ୍ପଦ ନିଷ୍ପତ୍ତି ବୋଲି କହିବା ସହିତ ଦେଶ ପାଇଁ ଲଜ୍ଜାକର କଥା ବୋଲି କହିଥିଲେ। ସେହିପରି କଂଗ୍ରେସ ମଧ୍ୟ ସମାନ ଅଭିଯୋଗ ଆଣିଥିଲା। ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଏଭଳି କରାଯାଇଛି ବୋଲି କଂଗ୍ରେସ ନେତା ରଜନୀ ପାଟିଲ୍ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.