ନୀଳଗିରି ୨୭।୯: ଅନାସ୍ଥାରେ ହାରିଲେ ବାଲେଶ୍ବର ଜିଲ୍ଲା ନୀଳଗିରି ଏନଏସି ବିଜେଡି ଅଧ୍ୟକ୍ଷା ଅମ୍ବିକା ଦାସ । ୧୧ ଜଣ କାଉନସିଲର ଅଧକ୍ଷାଙ୍କ ବିରୁଦ୍ଧରେ ଆଣିଥିଲେ ଅନାସ୍ଥା ପ୍ରସ୍ତାବ । ୧୦ ଜଣ ଦେଲେ ଅନାସ୍ଥା ସପକ୍ଷରେ ଭୋଟ୍ । ଗୋଟିଏ ଭୋଟ୍ ଖାରଜ ହେଲା । ବିଜେଡିରୁ ଜଣେ କଂଗ୍ରେସରୁ ଜଣେ କାଉନସିଲର ଅନୁପସ୍ଥିତ ଥିଲେ । ଅଧ୍ୟକ୍ଷା ଅମ୍ବିକା ଦାସ ପଦରୁ କାଟ୍ ଖାଇଲେ ।
ସୂଚନାଯୋଗ୍ୟ ଯେ, ଜୁଲାଇ ୩୦ ତାରିଖରେ ନୀଳଗିରି ଏନ୍ଏସି ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା । ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ଅଗଷ୍ଟ ୫ ତାରିଖରେ ବିଜେପି ଏବଂ ସମର୍ଥିତ ୧୧ ଜଣ କାଉନସିଲର ଅନାସ୍ଥା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କ ଠାରେ ଆବେଦନ କରିଥିଲେ । ବାଲେଶ୍ୱର ଜିଲ୍ଲାପାଳ ବୈଠକ କରି ମତଦାନ କରାଯିବାକୁ ନିର୍ଦ୍ଦେଶନାମା ଦେଇଥିଲେ । ସେପ୍ଟେମ୍ବର ୫ ତାରିଖରେ ହାଇକୋର୍ଟ ଏହାର ଚୂଡାନ୍ତ ଶୁଣାଣି କରି କର୍ତ୍ତୃପକ୍ଷଙ୍କୁ ଅନାସ୍ଥା ସଂକଳ୍ପ ଆଇନ ଅନୁଯାଇ ସ୍ୱାଧୀନତା ପ୍ରଦାନ କରିଥିଲେ l ସେପ୍ଟେମ୍ବର ୨୭ ତାରିଖରେ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ପ୍ରସ୍ତାବିତ ସଂକଳ୍ପ ଉପରେ ଆଲୋଚନା କରାଯାଇ ମତଦାନ ଏବଂ ଫଳାଫଳ ପ୍ରକାଶ କରିବାକୁ ବାଲେଶ୍ୱର ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହାକୁ ନେଇ ଏନ୍ଏସି ଅଧ୍ୟକ୍ଷା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅନାସ୍ଥା ସ୍ଥଗିତାଦେଶ ପାଇଁ ଆଶା ବାନ୍ଧି ବସିଥିବା ଅଧ୍ୟକ୍ଷାଙ୍କୁ ଶେଷରେ ନିରାଶ ହେବାକୁ ପଡିଛି । ଏହି ମାମଲା ଖାରଜ ହୋଇ ତାଙ୍କ ବିରୁଦ୍ଧରୋ ଅନାସ୍ଥା ଭୋଟ୍ ହୋଇଛି । ଯେଉଁଥିରେ ହାରି ସେ ତାଙ୍କ ପଦ ହରାଇଛନ୍ତି ।
ସେପଟେ ୧୧ ଜଣ କାଉନସିଲର ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପାଇଁ ଚୂଡାନ୍ତ ପ୍ରସ୍ତୁତି କରି ଅଜ୍ଞାତବାସରେ ଥିଲେ । ବିଜେପି ଦଳର ସମସ୍ତ କାଉନସିଲରଙ୍କ ଉପରେ ହୁଇପ୍ ଜାରି କରିଥିଲା । ସମସ୍ତେ ମତଦାନ ପାଇଁ ୧୧ଟା ପୂର୍ବରୁ ପ୍ରବେଶ କରିଥିଲେ । ୧୦ ଜଣ ସପକ୍ଷରେ ଭୋଟ୍ ଦେଇଥିବା ବେଳେ ଗୋଟିଏ ଖାରଜ ହୋଇଛି । ତେବେ ଜଣେ ବିଜେଡି କାଉନସିଲର ଓ ଜଣେ କଂଗ୍ରେସ କାଉନସିଲର ଅନୁପସ୍ଥିତ ଥିବା ଜଣାପଡିଛି ।
ଅମ୍ବିକା ଦାସଙ୍କ ଅଧ୍ୟକ୍ଷା ପଦ ଯିବାପରେ ଭୋଟ୍ ପ୍ରକ୍ରିୟା ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଜେପି ଦଳର ଜଣେ ନେତା ଭିତରେ ରହି ମତଦାନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ଭୋଟ୍ ପ୍ରକ୍ରିୟା ଆଇନ ଅନୁସାରେ ହୋଇଛି ବୋଲି ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି । ସେପଟେ ଏନଏସିରେ ଏକ ଚାଟିଆ ଶାସନ ସାଙ୍ଗକୁ ବେଆଇନ କାର୍ଯ୍ୟ ପାଇଁ ଅନାସ୍ଥା ଅଣାଯାଇଥିବା ବିଜେପିର କାଉନସିଲର କହିଛନ୍ତି ।
ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଏହା ଧର୍ମର ବିଜୟ ବୋଲି କହିଥିବା ବେଳେ ସାରା ବାଲେଶ୍ଵର ଜିଲ୍ଲାରେ ବିଜେଡି ଛାଡି ଏକ ଲକ୍ଷ ଭୋଟର ବିଜେପିରେ ସାମିଲ ହେବେ ବୋଲି କହିଛନ୍ତି । ଆଗକୁ ଖାଲି ନୀଳଗିରି ବ୍ଲକ ନୁହଁ ଜିଲ୍ଲାର ସମସ୍ତ ବ୍ଲକ ବିଜେପି ଦଖଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ତେବେ ବିଜେପି ନୀଳଗିରି ଏନଏସି ଦଖ କରିବା ପରେ ଏବେ ନୀଳଗିରି ବ୍ଲକ ଦଖଲ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଖବର ବିଜେଡି ଶିବିରକୁ ଚଳଚଞ୍ଚଳ କରିଛି ।
You Can Read:
ଭିଜିଲାନ୍ସ ହାତରେ ଧରା ପଡିଲେ ମହିଳା କନିଷ୍ଠ ଯନ୍ତ୍ରୀ, ନେଉଥିଲେ ୫ ହଜାର ଟଙ୍କା ଲାଞ୍ଚ