ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କାଉଣ୍ଟ ଡାଉନ ଆରମ୍ଭ !

Published By : Prameya-News7 Bureau | March 28, 2022 IST

ଲକ୍ଷ୍ନୌ ୨୮।୦୩: ପାକିସ୍ତାନର ସଂସଦ କୁହାଯାଉଥିବା ନ୍ୟାସନାଲ ଆସେମ୍ବଲିରେ ସୋମବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ଏଥିସହ ସଂସଦର ଗୃହକାର୍ଯ୍ୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ମାର୍ଚ୍ଚ ୩୧ରେ ଅପରାହ୍ନ ୪ଟାରେ ପ୍ରସ୍ତାବ ଉପରେ ମତଦାନ ହେବ ବୋଲି କହିଛନ୍ତି ବାଚସ୍ପତି। ଏଥିସହ ଗାଦିଚ୍ୟୁତ୍ ହେବା ନେଇ ଇମ୍ରାନ ଖାନ ସରକାରଙ୍କ କାଉଣ୍ଟ ଡାଉନ ମଧ୍ୟ ଆରମ୍ଭ ହୋଇ ଯାଇଛି।

ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଆଗତ ପ୍ରସ୍ତାବକୁ ୧୬୧ ସାଂସଦ ସମର୍ଥନ କରିଛନ୍ତି। ସୋମବାର ଗୃହରେ ଅନାସ୍ଥା ପ୍ରସ୍ତାବ ବିରୋଧୀ ନେତା ଶାହବାଜ ସରିଫ ଉପସ୍ଥାପନ କରିଥିଲେ। ସେ କହିଛନ୍ତି, ଇମ୍ରାନ ସରକାରଙ୍କ ଉପରେ ଆଉ ଦେଶବାସୀଙ୍କ ଭରସା ନାହିଁ। ତେଣୁ ଏହି ସରକାରଙ୍କ ବିରୋଧରେ ଆଗତ ପ୍ରସ୍ତାବ ଉପରେ ମତଦାନ କରାଯିବା ଉଚିତ୍।

କୁହାଯାଉଛି ଇମ୍ରାନ ଖାନ ସରକାରଙ୍କ ଇଙ୍ଗିତରେ ଗୃହ କାର୍ଯ୍ୟ ଜାଣି ଶୁଣି ସ୍ଥଗିତ କରାଯାଇଥିଲା। ଯଦ୍ଵାରା ସେ କିଛି ସାଂସଦଙ୍କୁ ନିଜ ସପକ୍ଷରେ ନେଇ ପାରିବେ। ରବିବାର ଇମ୍ରାନ ଖାନ ଇସଲାମାବାଦରେ ଏକ ବଡ  ରାଲିର ଆୟୋଜନ କରିଥିଲେ। ଏଥିରେ ହଜାର ହଜାର ସଂଖ୍ୟାରେ ଲୋକ ସାମିଲ୍ ହୋଇଥିଲେ। ଏହି ସମୟରେ ଇମ୍ରାନ କହିଥିଲେ ଯେ, ବିଦେଶୀ ଶକ୍ତି ସାହାଯ୍ୟରେ ତାଙ୍କ ସରକାରକୁ ଭାଙ୍ଗିବାକୁ ପ୍ରୟାସ କରାଯାଉଛି।

ସୂଚନାଯୋଗ୍ୟ, ୩୪୨ ସଦସ୍ୟ ବିଶିଷ୍ଟ ନ୍ୟାସନାଲ ଆସେମ୍ବଲିରେ ପାକିସ୍ତାନ ତେହରିକ ଏ ଇନସାଫ(ପିଟିଆଇ)ର ୧୫୫ ସଦସ୍ୟ ଅଛନ୍ତି। ସରକାର ଗଠନ ପାଇଁ ଅତି କମରେ ୧୭୨ ସାଂସଦ ସମର୍ଥନ ଆବଶ୍ୟକ। ଇମ୍ରାନ ସରକାରଙ୍କୁ ପ୍ରଥମେ ୧୭୬ ସାଂସଦଙ୍କ ସମର୍ଥନ ରହିଥିଲା। ମାତ୍ର ୨୪ ସାଂସଦ ବିଦ୍ରୋହୀ ହେବା ପରେ ଏବେ ଇମ୍ରାନ ସରକାରଙ୍କ ସହିତ ୧୫୨ ସାଂସଦ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.