ସରକାରୀ ପଦବୀରେ ଜାରି ରହିବ ନିଯୁକ୍ତି, ଲାଗିନାହିଁ କୌଣସି ରୋକ୍: ସ୍ପଷ୍ଟ କଲେ କେନ୍ଦ୍ର ସରକାର
5/09/2020 at 8:42 PM

ନୂଆଦିଲ୍ଲୀ ୦୫/୦୯: କରୋନା ମହାମାରୀ ଯୋଗୁଁ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଛି । ଏହାକୁ ନଜରରେ ରଖି ବ୍ୟୟ ବିଭାଗ ସରକାରୀ ଖର୍ଚ୍ଚ କାଟ କରିବାକୁ ନିର୍ଦେଶ ଦେଇଛି । ଏହାପରେ ବିଭିନ୍ନ ସରକାରୀ ବିଭାଗରେ ପଦବୀ ସୃଷ୍ଟିକୁ ନେଇ ପ୍ରଶ୍ନ ଉଠିଥିଲା । ଦେଶରେ ଏନେଇ ସ୍ବର ଉଠିବା ପରେ ସ୍ପଷ୍ଟୀକରଣ ଦେଇଛି ଅର୍ଥ ମନ୍ତ୍ରଣାଳୟ । ଯଦିଓ ଖର୍ଚ୍ଚ କାଟ ପାଇଁ କୁହାଯାଇଛି କିନ୍ତୁ ବିଭିନ୍ନ ସରକାରୀ ଚାକିରୀରେ ନିଯୁକ୍ତି ଜାରି ରହିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଅର୍ଥ ମନ୍ତ୍ରଣାଳୟ ଏନେଇ ଏକ ବିଜ୍ଞପ୍ତି ଜାରି କରିଛି। ଏସଏସସି, ରେଲ୍ଓ୍ବେ ନିଯୁକ୍ତି ବୋର୍ଡ ଆଦି ଏଜେନ୍ସି ଦ୍ବାରା ନିଯୁକ୍ତି ପ୍ରକ୍ରିୟା ଜାରି ରହିବ । ଖାଲି ଥିବା ପଦବୀ ଗୁଡ଼ିକରେ ନିଯୁକ୍ତି କରିବା ଉପରେ କେନ୍ଦ୍ର ସରକାର କେବେ ବି ରୋକ ଲଗାଇବେ ନାହିଁ ବୋଲି ଜାରି ବିଜ୍ଞପ୍ତିରେ ଦର୍ଶାଇଛି ଅର୍ଥ ମନ୍ତ୍ରଣାଳୟ ।
ଅର୍ଥ ମନ୍ତ୍ରଣାଳୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଜୁଲାଇ ୨୦୨୦ ପରେ ଯଦି କୌଣସି ନୂଆ ପଦବୀ ସୃଷ୍ଟି କରାଯାଇଛି ଆଉ ଏଥିପାଇଁ ବ୍ୟୟ ବିଭାଗର ମଞ୍ଜୁରି ମିଳିନାହିଁ ତେବେ ଏହିସବୁ ପଦବୀରେ ନିଯୁକ୍ତି ସ୍ଥଗିତ ରଖାଯିବ । ୪ ସେପ୍ଟେମ୍ବର ୨୦୨୦ର ବ୍ୟୟ ବିଭାଗର ସର୍କୁଲାର ନୂଆ ପଦବୀ ନିର୍ମାଣ ସହ ଜଡ଼ିତ । ଏହାଦ୍ବାରା ପଦବୀ ସୃଷ୍ଟି ଓ ନିଯୁକ୍ତି ପ୍ରକ୍ରିୟା ଉପରେ କୌଣସି ପ୍ରଭାବ ପଡ଼ିବନାହିଁ ବୋଲି ମଧ୍ୟ ସ୍ପଷ୍ଟୀକରଣରେ ଦର୍ଶାଇଛି ଅର୍ଥ ମନ୍ତ୍ରଣାଳୟ ।