ବିଜେପିରେ ବିଫ୍ ଖାଇବା ଉପରେ କୌଣସି କଟକଣା ନାହିଁ, ମେଘାଳୟ ପାର୍ଟି ସଭାପତିଙ୍କ ବଡ ବୟାନ

Published By : Prameya-News7 Bureau | February 20, 2023 IST

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନକୁ ନେଇ ସରଗରମ ମେଘାଳୟ ରାଜନୀତି। ଏଠାରେ ଫେବୃଆରୀ ୨୯ରେ ହେବାକୁ ଯାଉଛି ମତଦାନ। ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଅର୍ଣ୍ଣେଷ୍ଟ ମାଓ୍ଵରୀଙ୍କ ବୟାନ ମେଘାଳୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ମାଓ୍ଵରୀ ନିର୍ବାଚନର ପୂର୍ବରୁ ଏମିତି ଚାଞ୍ଚଲ୍ୟକର ବୟାନ ଦେଇ କହିଛନ୍ତି, ବିଜେପିରେ ବିଫ ବା ଗୋ ମାଂସ ଖାଇବା ନେଇ କୌଣସି କଟକଣା ନାହିଁ।  ତାଙ୍କର ଏହି ବୟାନ ମେଘାଳୟରେ ଚହଳ ପକାଇଛି।

ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ମାଓ୍ଵରୀ କହିଛନ୍ତି, ବିଜେପିରେ ବିଫ ଖାଇବା ନେଇ କୌଣସି ପ୍ରକାରର ପ୍ରତିବନ୍ଧକ ନାହିଁ। ଏଥିରେ କାହାର କୌଣସି ସମସ୍ୟା ବି ନାହିଁ। ଏପରିକି ବିଜେପିରେ ମଧ୍ୟ କାହାରି କିଛି ଆପତ୍ତି ନାହିଁ। ପାର୍ଟି କୌଣସି ଜାତି, ଧର୍ମ ଏବଂ ବର୍ଣ୍ଣ ବିଷୟରେ ଚିନ୍ତା କରେ ନାହିଁ। ଆମେ ନିଜ ଇଚ୍ଛା ଅନୁସାରେ ଖାଇ ପାରିବା। ଏହା ଆମ ଖାଦ୍ୟଭାସରେ ସାମିଲ୍। ଏଥିରେ କୌଣସି ରାଜନୈତିକ ଦଳକୁ ସମସ୍ୟା ହେବା ଉଚିତ୍ ନୁହେଁ।

ଯେବେ ମାଓ୍ଵରୀଙ୍କୁ ପଚରାଗଲା ହିନ୍ଦୁ ଧର୍ମରେ ଗାଈଙ୍କୁ ପବିତ୍ର ମାନା ଯାଏ, ଏହାର ଉତ୍ତରରେ ସେ କହିଛନ୍ତି ସେ ନିଜ ଭୋଜନର ଅଭ୍ୟାସ୍‌କୁ ପାଳି ଆସିଛନ୍ତି। ଏହା ଉପରେ ବି ପ୍ରତିବନ୍ଧକ ନାହିଁ। ଏହାକୁ ନେଇ ଆମକୁ କୌଣସି ନିର୍ଦ୍ଦେଶ ମିଳିନାହିଁ। ମେଘାଳୟରେ ଯେ କେହି ବି ଗୋ ମାଂସ ଖାଉଛନ୍ତି। ରାଜ୍ୟରେ ଏହା ଉପରେ କୌଣସି କଟକଣା ନାହିଁ ବୋଲି ସେ କହିଛନ୍ତି।

ମାଓ୍ଵରୀ ଏହା ମଧ୍ୟ କହିଛନ୍ତି, ଏହା ଆମର ଅଭ୍ୟାସ୍ ଏବଂ ସଂସ୍କୃତି ଅଟେ। ବିଫ୍ ସଂପର୍କିତ ଟିପ୍ପଣୀ ବ୍ୟତୀତ ମାଓ୍ଵରୀ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିର ସମ୍ଭାବନାକୁ ନେଇ ଆଲୋଚନା କରିଛନ୍ତି। ସେ କହିଛନ୍ତି, ପାର୍ଟି ରାଜ୍ୟର ସମସ୍ତ ୬୦ ଆସନରେ ପ୍ରାର୍ଥୀ ଦେବ। ମେଘାଳୟରେ ଏନପିପି ଏବଂ ୟୁଡିପି ମଧ୍ୟରେ କଡା ଟକ୍କର ହେବ ବୋଲି ସେ କହିଛନ୍ତି।

ବିଜେପି ରାଜ୍ୟ ଅଧ୍ୟକ୍ଷ କହିଛନ୍ତି, ଆଗାମୀ ନିର୍ବାଚନରେ ତାଙ୍କ ପାର୍ଟି ଅତି କମ୍‌ରେ ୩୪ ଆସନରେ ବିଜୟ ହାସଲ କରିବ। ତେବେ ଏହା ଜନତାଙ୍କ ଉପରେ ନିର୍ଭର କରେ ଯେ, ସେମାନେ କାହାକୁ ଭୋଟ୍ ଦେବେ। ଯଦି ଜନତା ରାଜ୍ୟରେ ଶାନ୍ତି ଏବଂ ବିକାଶ ଚାହାନ୍ତି ତେବେ  ନିଶ୍ଚିତ ରୂପେ ବିଜେପିକୁ ରାଜ୍ୟରେ ଶାସନ କରିବାର ସୁଯୋଗ ଦେବା ଉଚିତ୍। ସୂଚନାଯୋଗ୍ୟ, ମେଘାଳୟରେ ଫେବୃଆରୀ ୨୭ରେ ବିଧାନସଭା ନିର୍ବାଚନ ଏବଂ ଫଳାଫଳ ମାର୍ଚ୍ଚ ୨ରେ ଘୋଷଣା କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.