ନୀତିଶଙ୍କ ତିନି ଦିନିଆ ଦିଲ୍ଲୀ ଗସ୍ତ ସମାପ୍ତ,  ବିଜେପିକୁ  ମାତ୍ ଦେବା ପାଇଁ ଏହିସବୁ ନେତାଙ୍କୁ ଭେଟିଲେ

Published By : Prameya-News7 Bureau | September 07, 2022 IST

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନକୁ ନେଇ ବିରୋଧୀ ଦଳଗୁଡିକ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇ ଯାଇଛି। ସମସ୍ତ ବିରୋଧୀଦଳକୁ ଏକଜୁଟ୍ କରି କେମିତି ବିଜେପିକୁ ମାତ୍ ଦିଆଯାଇ ପାରିବ ସେ ନେଇ କିଛି ନେତା ଉଦ୍ୟମ ଚଳାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଏହି କ୍ରମରେ ନୀତିଶ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଅନେକ ବିରୋଧୀ ଦଳର ନେତାଙ୍କୁ ଭେଟିଛନ୍ତି। ବୁଧବାର ତାଙ୍କର ଦିଲ୍ଲୀ ଗସ୍ତ ସମାପ୍ତ ହୋଇଛି।

 ଏହି ସମୟରେ ସେ କଂଗ୍ରେସର ରାହୁଲ ଗାନ୍ଧୀ, ଜେଡିଏସର ଏଚଡି କୁମାରସ୍ଵାମୀ, ସିପିଏମର ସୀତାରାମ ୟେଚୁରୀ, ସିପିଆଇର ଡି ରାଜା, ଆମ୍ ଆଦମୀ ପାର୍ଟିର ଅରବିନ୍ଦ କେଜ୍ରିଓ୍ଵାଲ, ଇଣ୍ଡିଆନ ନ୍ୟାସନାଲ ଲୋକଦଳର ଓମ ପ୍ରକାଶ ଚୌଟାଲା, ଆରଜେଡିର ଶରଦ ଯାଦବ, ସମାଜବାଦୀ ପାର୍ଟିର ମୁଲାୟମ ସିଂହ ଯାଦବ, ଅଖିଳେଶ ଯାଦବ, ସିପିଆଇର ଏମଏଲର ଦୀପାଙ୍କର ଭଟ୍ଟାଚାର୍ଯ୍ୟ ଏବଂ ଏନସିପିର ଶରଦ ପାଓ୍ଵାରଙ୍କୁ ଭେଟିଛନ୍ତି। ନୀତିଶଙ୍କ ଉଦ୍ଦେଶ୍ୟ ୨୦୨୪ ଲୋକସଭା ନିର୍ବାଚନରେ ସମସ୍ତ ବିରୋଧୀ ଦଳକୁ ଏକତ୍ର କରି ବିଜେପିକୁ କଡା ଟକ୍କର ଦେବା ଉପରେ ରହିଛି। ଜେଡିୟୁ ଏହା ମଧ୍ୟ ପ୍ରୟାସ ଚଳାଇଛି ଯେ, ଜାତୀୟସ୍ତରରେ ଯେମିତି ହେଲେ ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରିବା। ଜେଡିୟୁର ପାଟନାର ଦପ୍ତରରେ ଯେଉଁ ସବୁ ପୋଷ୍ଟର ଲାଗିଛି ଏହା ଦର୍ଶାଉଛି ଯେ, ରାଜ୍ୟ ଦେଖିଲା ଏବଂ ଏବେ ଦେଶ ଦେଖିବ ନୀତିଶ କୁମାରଙ୍କ ଚେହେରା।

ତେବେ ଏହା କୁହାଯାଇ ପାରିବ ଯେ, ନୀତିଶ ସଂପ୍ରତି ହାତେମାପି ଚାଖଣ୍ଡେ ଚାଲୁଛନ୍ତି। ଏଥିପାଇଁ ପାର୍ଟି କହୁଛି, ବିରୋଧୀଙ୍କୁ ଏକତ୍ର କରିବା ପାଇଁ ନୀତିଶଙ୍କୁ ଦାୟିତ୍ଵ ଦିଆଯାଇଛି। ସେ ପ୍ରଧାନମନ୍ତ୍ରୀ ପଦ ପାଇଁ  ଯୋଗ୍ୟ,  ହେଲେ ପ୍ରାର୍ଥୀ ନୁହନ୍ତି। ନୀତିଶଙ୍କ ପ୍ରଥମ ପ୍ରାଥମିକିତା ବିଜେପି ବିରୋଧୀ ମେଣ୍ଟରେ ଅଧିକରୁ ଅଧିକ ରାଜ୍ୟ କେମିତି ସାମିଲ୍ କରାଯିବ ଏବଂ ଯେବେ ସମସ୍ତ ବିରୋଧୀ ଗୋଟିଏ ଛତା ତଳେ ଆସିଯିବେ ପୁଣି ପ୍ରଧାନମନ୍ତ୍ରୀ ପଦ ନେଇ ପ୍ରାର୍ଥୀ ଚର୍ଚ୍ଚା ଆରମ୍ଭ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.