ବିହାର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସୂଚୀରେ ପରିବର୍ତ୍ତନ, ୯ରେ ଆସିବେ ନୀତିଶ

Published By : Prameya-News7 Bureau | May 05, 2023 IST

ଭୁବନେଶ୍ୱର ୦୫/୦୫: ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଛେଦ । ୫ ନୁହେଁ ୯ରେ ଆସିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିଜେପି ବିରୋଧୀ ମେଣ୍ଟ ଗଢ଼ିବା ଅଭିଯାନ ଆରମ୍ଭ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଖୁବଶୀଘ୍ର ଓଡ଼ିଶା ଆସିବେ ଚର୍ଚ୍ଚା ହେଉଥିଲା । ପୂର୍ବରୁ କୁହାଯାଉଥିଲା, ମେ’ ୫ ତାରିଖରେ ନୀତିଶ କୁମାର ଭୁବନେଶ୍ୱର ଆସିବେ ।

ଏହାସହ ସେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମାତ୍ର ମେ’ ୫ ନୁହେଁ, ଆସନ୍ତା ୯ ତାରିଖରେ ନୀତିଶ ଆସିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ନୀତିଶଙ୍କ ଓଡ଼ିଶା ଗସ୍ତ ଉପରେ ଜାତୀୟ ଗଣମାଧ୍ୟମ ସହ କଂଗ୍ରେସ ଓ ବିଜେପିର ନଜର ଅଟକିଛି । ନବୀନଙ୍କ ସହ ନୀତିଶ ଭେଟିବା ପରେ କିଛି ନୂଆ ସମୀକରଣ ସୃଷ୍ଟି ହେବ କି ନାହିଁ, ସେ ନେଇ କଳ୍ପନାଜଳ୍ପନା ଚାଲିଛି । ଏହି ସାକ୍ଷାତକୁ ନେଇ କୌଣସି ବିଧିବଦ୍ଧ ସୂଚନା ଜାରି ହୋଇନଥିଲେ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି ।

ଦେଶରେ ବିଜେପି ବିରୋଧୀ ମେଣ୍ଟ ଗଢ଼ିବା ସହ ବିଭିନ୍ନ ଦଳକୁ ଏକଜୁଟ କରିବା ଆଗେଇ ଚାଲିଛନ୍ତି ନୀତିଶ । ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ । ଏହାପରଠୁ ନୀତିଶ ଗୋଟିଏ ପରେ ଗୋଟିଏ ରାଜ୍ୟ ଗସ୍ତ କରି ନେତାଙ୍କୁ ଭେଟି ଚାଲିଛନ୍ତି । ପ୍ରଥମେ କୋଲକାତା ଯାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଭେଟି ୨୦୨୪ ରାଜନୈତିକ ସମୀକରଣ ଉପରେ ଆଲୋଚନା କରିଥିଲେ ।

ଏହାପରେ ସେ ଉତ୍ତରପ୍ରଦେଶ ଯାଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଥିଲେ । ଏବେ ନୀତିଶ ଓଡ଼ିଶା ଆସି ନବୀନଙ୍କୁ ଭେଟିବେ ବୋଲି ଚର୍ଚ୍ଚା ହେଉଛି । ନୀତିଶଙ୍କ ପ୍ରସ୍ତାବରେ ନବୀନ ହଁ ଭରିବେ ନା ପୂର୍ବ ପରି ସବୁ ମେଣ୍ଟରୁ ଦୂରେଇ ରହିବେ, ତାହା ଆଗାମୀ ସାକ୍ଷାତ ପରେ ଜଣାପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.