IPL 2023: KKRର ମଙ୍ଗ ଧରିବେ ନୀତିଶ ରାଣା, ଘୋଷଣା କଲା ଫ୍ରାଞ୍ଚାଇଜ
27/03/2023 at 6:03 PM

ନୂଆଦିଲ୍ଲୀ: ଆହତ ଶ୍ରେୟସ ଆୟରଙ୍କ ସ୍ଥାନରେ କୋଲକାତା ନାଇଟ୍ ରାଇଡର୍ସର ନେତୃତ୍ଵ କିଏ ନେବ ? ତାକୁ ନେଇ ଜାରି ରହିଥିବା କଳ୍ପନା ଜଳ୍ପନା ଉପରେ ପଡିଛି ପୂର୍ଣ୍ଣଛେଦ। ଆଇପିଏଲର ୧୬ତମ ସଂସ୍କରଣ ପାଇଁ ନୂତନ ଅଧିନାୟକ ଘୋଷଣା କରିଛି କୋଲକାତା ନାଇଟ୍ ରାଇଡର୍ସ। ଶ୍ରେୟସଙ୍କ ସ୍ଥାନରେ ନୀତିଶ ରାଣାଙ୍କୁ ଦଳର ଅଧିନାୟକ କରାଯାଇଛି। ସୋମବାର ଇନଷ୍ଟାଗ୍ରାମ ଜରିଆରେ କେକେଆର ଫ୍ରାଞ୍ଚାଇଜ ଏହାର ଘୋଷଣା କରିଛି। ପିଠିର ତଳ ଭାଗରେ ଆଘାତ ଲାଗିଥିବା ଶ୍ରେୟସ ଫିଟ୍ ହୋଇ ପାରି ନାହାନ୍ତି। ତେବେ ସେ ଫିଟ୍ ହୋଇ ପଡିଆକୁ ଫେରିଲେ ଦଳର ନେତୃତ୍ଵ ଦାୟିତ୍ଵ ସମ୍ଭାଳିବେ ବୋଲି ଫ୍ରାଞ୍ଚାଇଜି ପକ୍ଷରୁ କୁହାଯାଇଛି।
କୋଲକାତା ନାଇଟ୍ ରାଇଡର୍ସ ନିକଟରେ ଅଧିନାୟକ ଭାବେ ଅନେକ ବିଦେଶୀ ଖେଳାଳିଙ୍କ ବିକଳ୍ପ ରହିଥିଲା। ମାତ୍ର ଫ୍ରାଞ୍ଚାଇଜି ଚୂଡାନ୍ତ ଏକାଦାଶର କମ୍ବିନେସନକୁ ଦୃଷ୍ଟିରେ ରଖି ବିଦେଶୀ ଅଧିନାୟକକୁ ନେଇ ରିସ୍କ ନେବାକୁ ଚାହିଁନଥିଲା। ଦଳ ନିକଟରେ ଭାବେ ଆନ୍ଦ୍ରେ ରସେଲ, ସୁନିଲ ନାରିନେ, ଟିମ୍ ସାଉଦି ଏବଂ ସାକିବ ଅଲ ହସନଙ୍କ ପରି ବିଦେଶୀ ଖେଳାଳି ଅଛନ୍ତି। କେକେଆର ଏଥିରୁ କୌଣସି ବରିଷ୍ଠ ଖେଳାଳିଙ୍କୁ ଏଥିପାଇଁ ଅଧିନାୟକ ନିଯୁକ୍ତ କରିନାହିଁ, ଯଦି କୌଣସି ବିଦେଶୀ ଅଧିନାୟକଙ୍କ ପ୍ରଦର୍ଶନ ଖରାପ ରହେ ତେବେ ତାଙ୍କୁ ଦଳରୁ ବାଦ୍ ଦେବା ଏବଂ ନୂତନ ଅଧିନାୟକ ଚୟନ କରିବା ଦଳର ସନ୍ତୁଳନକୁ ବିଗାଡିପାରେ।
ଶ୍ରେୟସ ଆୟର ଆଇପିଏଲ୍ରୁ ଆନୁଷ୍ଠାନିକ ଭାବେ ବାଦ୍ ପଡିନାହାନ୍ତି। ସଂପ୍ରତି ତାଙ୍କର ଆୟୁର୍ବେଦିକ ଚିକିତ୍ସା ଜାରି ରହିଛି। ଯଦି ସେ ଫିଟ୍ ହୁଅନ୍ତି ତେବେ ଆଇପିଏଲର ମଧ୍ୟ ଭାଗରେ ଦଳକୁ ପ୍ରତ୍ୟାବର୍ତ୍ତନ କରି ପାରନ୍ତି। ଯଦି ପିଠିର ସର୍ଜରୀ କରାନ୍ତି ତେବେ ସେ ସଂପୂର୍ଣ୍ଣ ଆଇପିଏଲ୍ରୁ ବାଦ୍ ପଡିବେ। ଏପରିକି ତାଙ୍କୁ ପାଞ୍ଚରୁ ଛଅ ମାସ କ୍ରିକେଟ୍ରୁ ଦୂରରେ ରହିବାକୁ ପଡିପାରେ।
ନୀତିଶଙ୍କ କ୍ୟାରିୟର
ନୀତିଶ ରାଣା ୨୦୧୬ରେ ଆଇପିଏଲ୍ରେ ପଦାର୍ପଣ କରିଥିଲେ। ସେ ଏ ପର୍ଯ୍ୟନ୍ତ ଆଇପିଏଲ୍ରେ ୯୧ଟି ମ୍ୟାଚ୍ ଖେଳି ୮୫ଟି ଇନିଂସରେ ୨୭.୯୬ ହାରରେ ୨୧୮୧ ରନ କରିଛନ୍ତି। ଏଥିରେ ୧୫ଟି ଅର୍ଦ୍ଧଶତକ ସାମିଲ୍। ସର୍ବୋଚ୍ଚ ସ୍କୋର ୮୭ ରନ ରହିଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ୧୩୪ରୁ ଅଧିକ ରହିଛି। ଆଇପିଏଲ୍ରେ ସେ ଅନେକ ଦଳ ପକ୍ଷରୁ ପ୍ରତିନିଧିତ୍ଵ କରି ସାରିଛନ୍ତି।