ରାଜି ହେଉନି କି କଂଗ୍ରେସ ? ଜୁନ ୨୩କୁ ଘୁଞ୍ଚିଲା ବିରୋଧୀଙ୍କ ମହାବୈଠକ
4/06/2023 at 11:14 PM

ପାଟନା: ବିଜେପି ବିରୋଧରେ ଏକାଠି ହୋଇଥାନ୍ତେ ବିରୋଧୀ। ଜୁନ ୧୨ ତାରିଖରେ ବିହାର ପାଟନାରେ ହୋଇଥାନ୍ତା ବୈଠକ। ହେଲେ ବୈଠକକୁ ଜୁନ ୨୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ବୈଠକ କାହିଁକି ଘୁଞ୍ଚାଇ ଦିଆଯାଇଛି ସେ ନେଇ କୌଣସି ସୂଚନା ମିଳି ନାହିଁ।
ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିରୋଧୀଙ୍କ ବୈଠକରେ ଯୋଗ ଦେବାକୁ କଂଗ୍ରେସ ଏପର୍ଯ୍ୟନ୍ତ ରାଜି ହେଉ ନାହିଁ। ନୀତୀଶ ତାଙ୍କୁ ମନାଇବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ବିରୋଧୀଙ୍କ ବୈଠକ ଘୁଞ୍ଚାଯାଇଛି ବୋଲି ସୂଚନା ମିଳିଛି।
ଏହା ପୂର୍ବରୁ ବିରୋଧୀଙ୍କ ମହାବୈଠକକୁ ନେଇ ପ୍ରତିକ୍ରିୟା ଦେଇଥିଲେ ରାହୁଲ ଗାନ୍ଧୀ। ଜୁନ ୧୨ ତାରିଖରେ ହେବାକୁ ଥିବା ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଯୋଗ ଦେବେ ନାହିଁ ବୋଲି ରାହୁଲ କହିଥିଲେ। ତେବେ କଂଗ୍ରେସ ଯୋଗ ଦେବ କି ନା ସେ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇ ନଥିବାରୁ ବିରୋଧୀ ବୈଠକ ଘୁଞ୍ଚାଇ ଦିଆଯାଇଛି ବୋଲି ଶୁଣିବାକୁ ମିଳୁଛି।

ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବା ପାଇଁ ନୀତୀଶ କୁମାର ନେତୃତ୍ୱ ନେଇଛନ୍ତି। ଏଥିପାଇଁ ସେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳର ନେତାଙ୍କୁ ଭେଟି ଏକାଠି ହେବାକୁ ମନାଇଛନ୍ତି। ଏଥିପାଇଁ ନୀତୀଶ ଦିଲ୍ଲୀ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, ମହାରାଷ୍ଟ୍ର, କର୍ଣ୍ଣାଟକ ରାଜ୍ୟକୁ ଗସ୍ତ କରି ବିଜେପି ବିରୋଧୀଙ୍କୁ ମତାଇଥିଲେ।
ବିରୋଧୀଙ୍କୁ ଏକାଠି କରିବା ଉଦ୍ଦେଶ୍ୟରେ ନୀତୀସ ଏପ୍ରିଲ ୧୨ ତାରିଖରେ କଂଗ୍ରେସ ନେତାମାନଙ୍କୁ ଭେଟିଥିଲେ। ନୀତୀଶଙ୍କ ସହିତ ଆଲୋଚନା କରିବା ପରେ ବିରୋଧୀଙ୍କୁ ଏକାଠି କରିବାରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ରାହୁଲ କହିଥିଲେ।

ପରେ ମେ ମାସରେ ନୀତୀଶ ଅରବିନ୍ଦ କେଜରିୱାଲ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ସେହିପରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଏନ୍ସିପି ସୁପ୍ରିମୋ ଶରଦ ପାୱାର ଏବଂ ସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭେଟି ବିଜେପି ବିରୋଧରେ ମତାଇଥିଲେ। ହେଲେ ନବୀନ ବିରୋଧୀଙ୍କ ମେଣ୍ଟରେ ସାମିଲ ହେବେ କି ନାଁ ସେ ନେଇ ସ୍ପଷ୍ଟ କରି ନାହାନ୍ତି।
