ଲ୍ୟାଣ୍ଡ ହେଲା ନୀତିଶ କୁମାରଙ୍କ ହେଲିକପ୍ଟର, ଉଜୁଡ଼ିଗଲା ଚାଷୀଙ୍କ ସୁନାର ଫସଲ

Published By : Prameya-News7 Bureau | December 21, 2020 IST

ପାଟନା ୨୦/୧୨: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ହେଲିକପ୍ଟର ଦେଖିବାକୁ ଜମିଥିଲା ଭିଡ଼। କିନ୍ତୁ ଭିଡ଼ ଯୋଗୁ କ୍ଷତି ସହିଲେ ଚାଷୀ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଲୋକେ ଖୁସି ହେବେ ନାଁ ଫସଲ ନଷ୍ଟ ଯୋଗୁ ଦୁଃଖି ହେବେ  ତାହାକୁ ନେଇ ଏବେ ଅସନ୍ତୋଷ ଲାଗିରହିଛି। ମିଳିଥିବା ସୂଚନା ଅନୁସାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୁମାରଡିହି ଗାଁକୁ ଏକ ପୂରାତନ ସ୍ଥଳୀର ସମୀକ୍ଷା କରିବାକୁ ପାଟନାରୁ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ।

ନୀତଶ କୁମାରଙ୍କ ଆଗମନ ଖବର ଶୁଣି ଲୋକଙ୍କ ମନରେ ଯେତିକି ଉତ୍ସାହ ନଥିଲା ସେତିକି ତାଙ୍କ ହେଲିକପ୍ଟର ଦେଖିବାକୁ ଭିଡ଼ ଜମିଥିଲା। ହେଲିକପ୍ଟର ଲ୍ୟାଣ୍ଡ କରିଥିବା ସ୍ଥାନ​‌ରେ ହଜାର ହଜାର ଲୋକ ଭିଡ଼ ଜମାଇବା ପରେ ପାଖରେ ଥିବା କ୍ଷେତରେ ଫସଲ ମାଡ଼ି ମକଚି ନଷ୍ଟ କରିଦେଇଥିଲେ। ଏପରିକି ଶହ ଶହ ସଂଖ୍ୟାର ଲୋକ କ୍ଷେତ ଦେଇ ହେଲିପ୍ୟାଡ୍‌ ପାଖରେ ପହଞ୍ଚିଥିଲେ।

ଲୋକେ ହେଲିକପ୍ଟର ଦେଖିଲେ କିନ୍ତୁ କ୍ଷତି ସହିଲେ ଚାଷୀ। କ୍ଷେତରେ ହୋଇଥିବା ଗହମ, ମକା ଓ ଅନ୍ୟ ପନିପରିବା ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଯେଉଁ ଚାଷୀମାନଙ୍କ ଫସଲ ନଷ୍ଟ ହୋଇଛି ସେମାନେ ପ୍ରଶାସନ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। ପ୍ରଶାସନ ଚେଷ୍ଟା କରିଥିଲେ ଫସଲ ନଷ୍ଟ ହୋଇନଥାନ୍ତା। ପ୍ରଶାସନ ନିରବ ରହିବାରୁ ଲୋକେ ଫସଲ ନଷ୍ଟ କରିଥିବା କ୍ଷତି ସହିଥିବା ଚାଷୀ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଯେଉଁ କ୍ଷେତ ନିକଟରେ ହେଲିପ୍ୟାଡ୍‌ ପ୍ରସ୍ତୁତ ହୋଇଥିଲା ସେଠାରୁ ଅଳ୍ପଦୂରରେ ସ୍କୁଲ ଥିଲା। ପ୍ରଶାସନ ଚାହିଁଥିଲେ ସ୍କୁଲ ପଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ ପାଇଁ ବ୍ୟବସ୍ଥା କରିପାରିଥାନ୍ତା। ସେଠାରୁ ଗୁବାରିଡିହି ପହଞ୍ଚିବାକୁ ମାତ୍ର ୫ ମିନିଟ୍‌ ଲାଗିଥାନ୍ତା କିନ୍ତୁ ପ୍ରଶାସନ ଏଭଳି କିଛି କଲାନାହିଁ ବୋଲି ମଧ୍ୟ ଚାଷୀମାନେ ଅଭିଯୋଗ କରିଛନ୍ତି। ସେପଟେ ନୀତିଶ କୁମାରଙ୍କ ହେଲିକ୍ପଟର ଲ୍ୟାଣ୍ଡିଂକୁ ନେଇ ବିରୋଧୀ ସ୍ବର ଶାଣିତ କରିଥିବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.