ନୀତିଶ କୁମାରଙ୍କ ବଡ଼ ବୟାନ, କହିଲେ- ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନଥିଲି, ଚାପରେ ପଡ଼ି ଦାୟିତ୍ବ ଗ୍ରହଣ କଲି

Published By : Prameya-News7 Bureau | December 27, 2020 IST

ପାଟନା ୨୭/୧୨: ବିହାର ରାଜନୀତି ଭିନ୍ନ ମୋଡ ନେବାରେ ଲାଗିଛି। ନୀତିଶ କୁମାରଙ୍କ ପାର୍ଟି ଜେଡିୟୁ ଓ ବିଜେପି ସମ୍ପର୍କରେ ଫାଟ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ସପ୍ତମ ଥର ବିହାରର ମୁଖ୍ୟମନ୍ତ୍ରୀ ହୋଇଥିବା ଜେଡିୟୁ ସିପ୍ରିମୋ ନୀତିଶ କୁମାର ବଡ଼ ମନ୍ତବ୍ୟ ଦେଇଛନ୍ତି। ଚଳିତ ଥର ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ନଥିଲା। ମୋ ଉପରେ ଚାପ ପଡ଼ିବା ପରେ ମୁଁ ମୁଖ୍ୟମନ୍ତ୍ରୀ ପଦ ସ୍ବୀକାର କରିଥିଲି ବୋଲି ନୀତିଶ କୁମାର କହିଛନ୍ତି।

ଏହା ସହ ସେ ଆହୁରି କହିଛନ୍ତି, ଯିଏ ବି ହେଉ ମୁଖ୍ୟମନ୍ତ୍ରୀ, ଯାହାକୁ ବି ମୁଖ୍ୟମନ୍ତ୍ରୀ କରାଯାଉ, ମୋତେ କିଛି ଫରକ ପଡ଼େ ନାହିଁ। ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ମୋର କୌଣସି ଇଚ୍ଛା ନାହିଁ। ଆପଣମାନଙ୍କୁ ମନେ ପକାଇ ଦେବାକୁ ଚାହୁଁଛୁ ୨୦୨୦ ବିହାର ବିଧାନସଭା ନିର୍ବାଚନୀ ପ୍ରଚାର ସମୟରେ ନୀତିଶ କୁମାର କହିଥିଲେ ଏହା ତାଙ୍କର ଶେଷ ନିର୍ବାଚନ ।ଏଥି ପାଇଁ ନୀତିଶ କୁମାରଙ୍କ ପାର୍ଟିକୁ ବି ଲୋକେ ବିପୁଳ ଭୋଟ ଦେଇଥିବା ନେଇ ଚର୍ଚ୍ଚା ହୋଇଥିଲା।

ଅନ୍ୟପଟେ ନୀତିଶ କୁମାରଙ୍କ ବୟାନକୁ ନେଇ ରାଜନୈତିକ ହଟଚମଟ ଆରମ୍ଭ ହୋଇଛି।  କଂଗ୍ରେସ ମୁଖପାତ୍ର ରାଜେଶ ରାଠୋର ନୀତିଶଙ୍କୁ ଟାର୍ଗେଟ କରି କହିଛନ୍ତି, ସେ ନାଟକ କରୁଛନ୍ତି। ୨୦୧୪ରେ ଲୋକସଭା ନିର୍ବାଚନ ହାରିବା ପରେ ନୀତିଶ କୁମାର ଜୀତନ ରାମ ମାଞ୍ଝିଙ୍କୁ ସିଏମ କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜେ ମୁଖ୍ୟମନ୍ତ୍ରୀ ଚୌକିରେ ବସିଥିଲେ ବୋଲି ରାଜେଶ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.