ବିହାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ, ବହୁମତ ପରୀକ୍ଷା ଦେବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର
24/08/2022 at 8:11 AM

ପାଟନା ୨୪।୦୮: ନୀତିଶ କୁମାରଙ୍କ ଶକ୍ତି ପରୀକ୍ଷା । ବିଧାନସଭାରେ ଆଜି ବହୁମତ ପରୀକ୍ଷା ଦେବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏଥିପାଇଁ ବିହାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ବସିବ।
ଖବର ଅନୁଯାୟୀ, ବିହାର ବିଧାନସଭା ସଦସ୍ୟ ସଂଧ୍ୟା ୨୪୩ ହୋଇଥିବା ବେଳେ ବହୁମତ ପାଇଁ ଦରକାର ୧୨୨ ବିଧାୟକଙ୍କ ସମର୍ଥନ। ତେବେ ନୀତୀଶଙ୍କ ସପକ୍ଷରେ ୧୬୪ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରାଯାଉଛି। ଆଜି ମଧ୍ୟ ବିଧାନସଭାରେ ବାଚସ୍ପତି ବିଜୟ କୁମାର ସିହ୍ନାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇପାରେ।
ସେହିପରି ବିଜେପିର ବିଜୟ କୁମାର ସିହ୍ନା ବାଚସ୍ପତି ପଦରୁ ଇସ୍ତଫା ଦେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ବିଜୟ ସିହ୍ନା କହିଛନ୍ତି ଯେ ସେ ବାଚସ୍ପତି ଭାବେ ନିଜର ସାମ୍ବିଧାନିକ ଦାୟିତ୍ବ ସଂପାଦନ କରିବେ। ବିଜେପି ସହିତ ମେଣ୍ଟ ଭାଙ୍ଗିବା ପରେ ଆରଜେଡି ଓ ଅନ୍ୟ କେତେକ ଦଳ ସହ ମିଶି ନୀତୀଶ କୁମାର ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।