ତେଜସ୍ୱୀଙ୍କ ଉପରେ କ୍ରୋଧ ଜର୍ଜରିତ ନିତିଶ କହିଲେ ‘ଭାଇ ତୁଲ୍ୟ ବନ୍ଧୁଙ୍କ ପୁତ୍ର’, ଏଣୁ ତୁମ କଥା ଶୁଣୁଥିଲି
27/11/2020 at 8:57 PM

ପାଟନା ୨୭।୧୧: ବିହାର ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା କାଳରେ ଶୁକ୍ରବାର ବିରୋଧୀ ଓ ସରକାର ମୁହାଁମୁହିଁ ହୋଇଛନ୍ତି। ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଗୃହର ନେତା ନିତିଶ କୁମାରଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିବା ବେଳେ ନିତିଶ ଏହାର ଜବାବ ରଖିବା ଏବେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ଗୃହରେ ବିରୋଧୀ ଦଳ ନେତା ବକ୍ତବ୍ୟ ରଖୁଥିଲେ ଓ ମୁଖ୍ୟମନ୍ତ୍ରୀ ନିତିଶ କୁମାର ନିରବରେ ଶୁଣୁଥିଲେ। ବକ୍ତବ୍ୟ ଶେଷ ହେବା ପରେ ନିତିଶ କ’ଣ କହିଲେ ଜାଣନ୍ତୁ।

ସଦନରେ ତେଜସ୍ୱୀଙ୍କ ଭାଷଣ ଶେଷରେ ଜବାବ ରଖିଥିଲେ ନିତିଶ କହିଥିଲେ ଭାଇ ତୁଲ୍ୟ ବନ୍ଧୁ (ଲାଲୁ ଯାଦବ)ଙ୍କ ପୁଅ ବୋଲି ଭାଷଣ ଚୁପଚାପ ଶୁଣୁଥିଲି। ତେବେ ତେଜସ୍ୱୀ ୨୦୧୭ର ସ୍ଥିତି ସ୍ପଷ୍ଟ କରିବେ କି ବୋଲି ନିତିଶ ଗୃହରେ କହିବାରୁ ଉଭୟ ସରକାରୀ ଓ ବିରୋଧୀ ଦଳ ସଦସ୍ୟ ଗୃହରେ ହଙ୍ଗମା କରିଥିଲେ। ଏଣୁ ବାଚସ୍ପତି ଗୃହକୁ ପରବର୍ତ୍ତି କାର୍ଯ୍ୟଦିବସ ପର୍ଯ୍ୟନ୍ତ ମୁଲତବୀ କରିଦେଇଛନ୍ତି।

ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଉପରେ ଜୋରଦାର ଆକ୍ରମଣ କରିଥିଲେ। ଏଥିରେ ୧୯୯୧ରେ ହୋଇଥିବା ଏକ ହତ୍ୟାକାଣ୍ଡରେ ନିତିଶ ଅଭିଯୁକ୍ତ ବୋଲି କହିଥିଲେ। କେବଳ ଏତିକି ନୁହେଁ ନିତିଶ କଣ୍ଟେଣ୍ଟ ଚୋରି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଓ ଏଥିଲାଗି ତାଙ୍କପ ୨୫ ହଜାର ଟଙ୍କା ଜରିମାନା କରାଯାଇଥିବାର ବି ଅଭିଯୋଗ କରିଥିଲେ। ତେଜସ୍ୱୀଙ୍କ ଭାଷଣ ଶେଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଜୟ ଚୌଧୁରୀ ନିତିଶଙ୍କ ସପକ୍ଷରେ ବାହାରିଥିଲେ। ୧୯୯୧ ମସିହା ହତ୍ୟାକାଣ୍ଡ ମାମଲାକୁ ସୁପ୍ରିମକୋର୍ଟ ସମାପ୍ତ କରିଦେଇଥିବାରୁ ସଦନରେ ପ୍ରସଙ୍ଗ ଉପସ୍ଥାପନ ଠିକ୍ ନୁହେଁ ବୋଲି କହିଥିଲେ।

ଏହା ପରେ ନିତିଶ କ୍ରୋଧ ଜର୍ଜରିତ ହୋଇ ଗୃହରେ ତେଜସ୍ୱୀଙ୍କ ଜବାବ ରଖିଥିଲେ। ତେଜସ୍ୱୀ ଯାହା କହୁଛନ୍ତି ତାର ଯାଞ୍ଚ ଦାବି କରିଥିଲେ ନିତିଶ। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେବା ଦରକାର ବୋଲି କହିଥିଲେ। ସେ ମିଥ୍ୟାଆରୋପ ଲଗାଉଛନ୍ତି ବୋଲି କହିଥିଲେ ନିତିଶ। ଭାଇ ତୁଲ୍ୟ ବନ୍ଧୁଙ୍କ ପୁତ୍ର ବୋଲି ଏ ପର୍ଯ୍ୟନ୍ତ ଚୁପଚାପ ତାଙ୍କ କଥା ଶୁଣୁଥିଲି। ହେଲେ ସେ କହିବେ କି ତାଙ୍କ ପିତାଙ୍କୁ ବିଧାୟକ ଦଳ ନେତା କରିଥିଲା କିଏ? ତାଙ୍କୁ ଉପମୁଖ୍ୟମନ୍ତ୍ରୀ କିଏ କରିଥିଲା? ଦୁର୍ନୀତି ଅଭିଯୋଗ ଆସିବାରୁ ଜବାବ ରଖିବାକୁ କହିଥିଲି। ହେଲେ ତେଜସ୍ୱୀ ଜବାବ ଦେଇନଥିଲେ। ଏଣୁ ତାଙ୍କଠାରୁ ଦୂରେଇ ଯାଇଥିଲୁ। ୨୦୧୭ରେ ସେ କାହିଁକି ସ୍ଥିତି ସ୍ପଷ୍ଟ କରିନଥିଲେ ବୋଲି ନିତିଶ ପ୍ରଶ୍ନ କରିବାରୁ ଗୃହରେ ହଟ୍ଟଗୋଳ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ବାଚସ୍ପତିଙ୍କୁ ଗୃହ ମୁଲତବୀ ରଖିବାକୁ ପଡିଥିଲା।