ତେଜସ୍ୱୀ ଯାଦବଙ୍କ ଉପରେ ନିତିଶଙ୍କ ସଦ୍ୟ ଟିପ୍ପଣୀ ଦେଉଛି ଅନେକ ସଂକେତ, ଜାଣନ୍ତୁ କ’ଣ ?
13/12/2022 at 3:35 PM

ପାଟନା ୧୩।୧୨: ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ରାଜନୈତିକ ଉତ୍ତରାଧିକାରୀ ହେବାକୁ ଯାଉଛନ୍ତି ଆରଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ଉଭୟ ନେତା ସୋମବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ନିତିଶ କୁମାର ଏ ବାବଦେ ସଂକେତ ଦେଇଛନ୍ତି। ଯାହା ଏବେ ବିହାରରେ ତଜସ୍ୱୀଙ୍କୁ ନେଇ ଚିନ୍ତା କରିବାକୁ ଲୋକଙ୍କୁ ବାଧ୍ୟ କରିଦେଇଛି।
ମୁଖ୍ୟମନ୍ତ୍ରୀ ସୋମବାର ବିହାର ନାଳନ୍ଦାରେ ଏକ ଡେଣ୍ଟାଲ କଲେଜ ଉଦଘାଟନ କରିଥିଲେ। ଏଥି ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନିତିଶ କୁମାର ମୁଁ ମୋର ସାଧ୍ୟମତେ ରାଜ୍ୟର ସେବା କରିଥିବା କହିଛନ୍ତି। ତେବେ ଆଗକୁ ସବୁ କାମ ତେଜସ୍ୱୀ କରିବେ। ଉପମୁଖ୍ଯଙ୍କ ନିମନ୍ତେ ତାଙ୍କର ଦୀର୍ଘ କାଳୀନ ଯୋଜନା ଥିବା ନୀତିଶ କହିଛନ୍ତି। ଏଣୁ ତାଙ୍କୁ ଆଗକୁ ବଢାନ୍ତୁ ବୋଲି ଜନତାଙ୍କୁ ନିବେଦନ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ନ ନେଇ ତାଙ୍କ ହତେ ଭାରତ ସମେତ ରାଜ୍ୟର ବିକାଶ ହୋଇପାରିବ ବୋଲି କହିଛନ୍ତି।

ସୋମବାର ପେଠନା ଭାଗନବିଗହା, ରହୁଇ ଡେଣ୍ଟାଲ ମୁଖ୍ୟମନ୍ତ୍ରୀ ନିତିଶ ଓ ସ୍ୱାସ୍ଥ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ଭବତଃ ଏହା ଦେଶର ସବୁଠୁ ବଡ଼ ତଥା ଅତ୍ୟାଧୁନିକ ଡେଣ୍ଟାଲ କଲେଜ ଓ ହସ୍ପିଟାଲ ବୋଲି କହିଛନ୍ତି। ଏଠାକାର ବ୍ୟବସ୍ଥା ଓ ଅତ୍ୟାଧୁନିକ ଉପକରଣ ଦିଲ୍ଲୀ ଏମସ୍ ରେ ମଧ୍ୟ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନିତିଶ କହିଥିଲେ ଯେ ମୋତେ ସେଦିନ ମନେ ଅଛି, ୧୯୮୫ ମସିହାରେ ବିଧାୟକ ନିର୍ବାଚିତ ହୋଇ ଗାଁ ଗାଁ ବୁଲିବା ବେଳେ ଏହି ଅଞ୍ଚଳର ଲୋକେ ଆମେ ସାରା ଜୀବନ ଆପଣଙ୍କୁ ଭୋଟ କରିବୁ ଆପଣ ଆଗକୁ ବଢନ୍ତୁ ବୋଲି କହିଥିଲେ। ଅଞ୍ଚଳର ଲୋକଙ୍କ ଏହି ଭରସା ମୋତେ ଏପର୍ଯ୍ୟନ୍ତ ନେଇ ଆସିଛି ବୋଲି ନିତିଶ କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜଗିର, ରହୁଇ ଓ ନାଳନ୍ଦା ଲାଗି କରିଥିବା କାମ ସମ୍ପର୍କରେ ଲୋକଙ୍କୁ ସୂଚନା ଦେଇଥିଲେ। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ତେଜସ୍ୱୀଙ୍କୁ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ଘୋଷିତ କରିବା ସହିତ ଲୋକଙ୍କୁ ବାରମ୍ବାର ନିବେଦନ କରି ସେମାନଙ୍କ ସହମତି ମଧ୍ଯ ନେଇଛନ୍ତି। ଏ ସମ୍ପର୍କରେ ମଙ୍ଗଳବାର ପ୍ରଚାରିତ ହେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଧରିଛି।