ନିର୍ବାଚନ ପରିଣାମରେ N ଫ୍ୟାକ୍ଟର...ନାଇଡୁ-ନୀତୀଶଙ୍କ ଉପରେ ନିର୍ଭର ରହିବ ମୋଦୀଙ୍କ ତୃତୀୟ ପାଳି !

Published By : Prameya-News7 Bureau | June 04, 2024 IST

ନୂଆଦିଲ୍ଲୀ: ଦେଶରେ ସବୁଠୁ ବଡ଼ ନିର୍ବାଚନର ପରିଣାମ ସାମନାକୁ ଆସୁଛି । ବିଜେପି ନେତୃତ୍ୱାଧୀନ ଏନଡିଏ ୨୯୬ ଆସନ ସହ ତୃତୀୟ ଥର ସରକାର ଗଢୁଥିବା ନଜର ଆସୁଛି । ୨୦୧୪ ଏବଂ ୨୦୧୯ ପରି ନିର୍ବାଚନ ପରିଣାମର ବିପରୀତରେ ବିଜେପି ନିଜ ବଳରେ ବହୁମତ ପାଇଁ ଜରୁରୀ ସଂଖ୍ୟା ପାଇବାଠାରୁ ପଛରେ ରହୁଥିବା ନଜର ଆସୁଛି । ଏନ୍ ଫ୍ୟାକ୍ଟର ସହ ଆରମ୍ଭ ହୋଇଥିବା ଏହି ନିର୍ବାଚନର ପରିଣାମରେ ମଧ୍ୟ ଏନ୍ ଫ୍ୟାକ୍ଟର ଦେଇଛି । 

ଚଳିତ ନିର୍ବାଚନ ଆରମ୍ଭରୁ ହିଁ ଏକ ଏନ୍ ଫ୍ୟାକ୍ଟର ଜଡିତ ଥିଲା । ସ୍ୱାଧୀନତା ପରେ ଏବେ ସୁଦ୍ଧ ପଣ୍ଡିତ ଜବାହାରଲାଲ ନେହରଙ୍କୁ ଛାଡ଼ି କୌଣସି ପ୍ରଧାନମନ୍ତ୍ରୀ ଲଗାତାର ତୃତୀୟ ଥର ସରକାର କରିବାରେ ସଫଳ ହୋଇନାହାନ୍ତି । ପିଏମ୍ ମୋଦୀଙ୍କ ପାଖରେ ଏହି ନିର୍ବାଚନରେ ଲାଗାତର ତୃତୀୟ ଥର ସରକାର ଗଢି ପଣ୍ଡିତ ନେହରୁଙ୍କ ରେକର୍ଡ ସମକକ୍ଷ ହେବାର ସୁଯୋଗ ଥିଲା ।

ଲୋକସଭା ନିର୍ବାଚନର ପରିଣାମ ଆସିବା ପରେ ଏହି ପରିଣାମ ମଧ୍ୟ ଏନ୍ ଫ୍ୟାକ୍ଟର ଦେଇଛି । ନରେନ୍ଦ୍ର ମୋଦୀ, ନୀତୀଶ କୁମାର ଏବଂ ନାଇଡୁ । ନରେନ୍ଦ୍ର ମୋଦୀଙ୍କ ଚେହେରାକୁ ଆଗରେ ରଖି ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ଏନଡିଏକୁ ସରକାର ଗଢିବା ପାଇଁ ଜନାଦେଶ ମିଳିଛି । ଭୋଟ ଗଣନାରେ ଏନଡିଏକୁ ୨୯୬ ଆସନ ମିଳୁଥିବା ନଜର ଆସୁଛି କିନ୍ତୁ ବିଜେପି ଲଗାତାର ତୃତୀୟ ଥର ପାଇଁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ମୋଦୀ ସରକାର କରିବାର ସୁଯୋଗ ହରାଇ ବସିଛି । ଲଗାତାର ତୃତୀୟ ଥର ସରକାର ଗଠନ ପାଇଁ ପିଏମ୍ ମୋଦୀଙ୍କୁ ଦୁଇ ଅନ୍ୟ ଏନ୍-ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ପାର୍ଟିର ଆଭିମୁଖ୍ୟ ଉପରେ ନିର୍ଭର ରହିବାକୁ ପଡ଼ିବ । ନୀତୀଶ କୁମାରଙ୍କ ଜେଡିୟୁକୁ ୧୪ ଏବଂ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟିକୁ ୧୬ ଆସନ ମିଳୁଥିବା ନଜର ଆସୁଛି । ଉଭୟ ଦଳ ଏନଡିଏରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.