କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଜୟରାମ ରମେଶଙ୍କୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଲିଗାଲ୍ ନୋଟିସ୍: ୩ ଦିନ ଭିତରେ କ୍ଷମା ମାଗ

Published By : Prameya-News7 Bureau | March 02, 2024 IST

ମୁମ୍ବାଇ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ଦଳ ମହାସଚିବ ଜୟରାମ ରମେଶଙ୍କୁ ଲିଗାଲ ନୋଟିସ୍ ପଠାଇଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। କଂଗ୍ରେସର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ନୀତିନଙ୍କ ବିରୋଧରେ ଆପତ୍ତିଜନକ କଣ୍ଟେଣ୍ଟ ସେୟାର କରାଯାଇଥିାବାରୁ ଏହି ଲିଗାଲ୍ ନୋଟିସ୍ ପଠାଯାଇଛି। ଏଭଳି ଅପରାଧ ପାଇଁ ଉଭୟ ଖଡ଼ଗେ ଓ ଜୟରାମ ଲିଖିତ କ୍ଷମା ମାଗନ୍ତୁ ବୋଲି ନୋଟିସ୍‌ରେ ଦାବି କରାଯାଇଛି।

ଘଟଣା ବିଷୟରେ ସୂଚନା ଦେଇ ନୀତିନଙ୍କ ଓକିଲ ୱାଲେନ୍ଦୁ ଶେଖର କହିଛନ୍ତି ଯେ ନୀତିନ ଗଡ଼କରୀ ଏକ ମିଡିଆକୁ ଦେଇଥିବା ଇଣ୍ଟରଭ୍ୟୁର ଭିଡିଓ କ୍ଲିପ୍‌କୁ ଭୁଲ୍ ଭାବରେ ଦର୍ଶାଇବାର ଅପଚେଷ୍ଟା କରାଯାଇଛି। ପୂରା ଇଣ୍ଟରଭ୍ୟୁର କେବଳ ୧୯ ସେକେଣ୍ଡର ଭିଡିଓ କ୍ଲିପ୍ ନେଇ ଏହାକୁ ବଦଳାଇ ଭ୍ରମାତ୍ମକ ଭାବେ ହିନ୍ଦୀ କ୍ୟାପ୍‌ସନ ସହ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଇଛି। ଫଳରେ ଇଣ୍ଟରଭ୍ୟୁ ଯେଉଁ ବିଷୟରେ ଥିଲା ତାହା ପ୍ରକୃତ କାରଣ ଲୁଚିଯାଇଛି।  

ପଢନ୍ତୁ-ଲୋକସଭା ନିର୍ବାଚନ ୨୦୨୪: ମହାରାଷ୍ଟ୍ର ବିରୋଧୀ ମେଣ୍ଟରେ ଛିଡ଼ିଲା ଆସନ ଅଙ୍କ, ୨୧ ସିଟ୍‌ରେ ଲଢ଼ିବ ଶିବସେନା ୟୁବିଟି ! 

ଏହି ଘଟଣାକୁ ନେଇ ନୀତିନ ପଠାଇଥିବା ଆଇନଗତ ନୋଟିସ୍‌ରେ ପ୍ରଥମେ ଏକ୍ସରୁ ଭିଡିଓକୁ ହଟାଇବାକୁ ଦାବି କରାଯାଇଛି। ଏହାପରେ ୩ ଦିନ ଭିତରେ କଂଗ୍ରେସର ଏଭଳି ଅପଚେଷ୍ଟା ପାଇଁ ଦଳ ଲିଖିତ ଭାବେ କ୍ଷମା ପ୍ରାର୍ଥନା କରୁ ବୋଲି ଲିଗାଲ୍ ନୋଟିସ୍‌ରେ ଦାବି କରାଯାଇଛି।  

ଏଥିରେ ଆହୁରି କୁହାଯାଇଛି ଯେ ଯଦି ନୋଟିସ୍‌ରେ କୁହାଯାଇଥିବା କଥାର ପାଳନ ନ ହୁଏ, ତେବେ ଆପଣ(ମଲ୍ଲିକାର୍ଜୁନ ଖଡଗେ ଓ ଜୟରାମ ରମେଶ)ଙ୍କ ବିରୋଧରେ ସମସ୍ତ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ବାଧ୍ୟ ହେବୁ। ବିଜେପି ମଧ୍ୟରେ ଅନ୍ତଃକନ୍ଦଳ ସୃଷ୍ଟି କରିବାକୁ ଏପରି ଭିଡିଓ ପୋଷ୍ଟ କରାଯାଇଛି ବୋଲି ଗଡ଼କାରୀଙ୍କ ଓକିଲ ଦାବି କରିଛନ୍ତି।

ସୂଚନା ଥାଉକି, କଂଗ୍ରେସ ନୀତୀନଗଡ଼କାରୀଙ୍କ ଲଲ୍ଲନଟପ୍‌କୁ ଦେଇଥିବା ଇଣ୍ଟରଭ୍ୟୁର ୧୯ ସେକେଣ୍ଡର ଏକ କ୍ଲିପ୍‌କୁ ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛି। ଯେଉଁଥିରେ ନୀତିନ କହିଛନ୍ତି ଯେ ଆଜି କୃଷକଙ୍କୁ ତାଙ୍କ ଫସଲର ଉଚିତ ମୂଲ୍ୟ ମିଳୁ ନାହିଁ। ବାସ୍ ଏହି କଥାକୁ ରାହୁଲ ଗାନ୍ଧୀଙ୍କର କୃଷକ ସମର୍ଥିତ ଭାଷଣ ସହ ଯୋଡ଼ା ଯାଇ ଏକ୍ସରେ ପୋଷ୍ଟ କରାଯାଇଛି।  

ଭିଡିଓ ଶେୟାର କରି କଂଗ୍ରେସ ଲେଖିଛି “ ଆଜି ଗାଁ, ଶ୍ରମିକ ଓ କୃଷକ ଦୁଃଖରେ ରହିଛନ୍ତି। ଗାଁରେ ଭଲ ସଡ଼କ ନାହିଁ। ପିଇବା ପାଇଁ ପାଣି ନାହିଁ। ଭଲ ହସ୍‌ପିଟାଲ ନାହିଁ, ଭଲ ସ୍କୁଲ ନାହିଁ- ମୋଦୀ ସରକାରଙ୍କ ମନ୍ତ୍ରୀ ନୀତିନ ଗଡ଼କରୀ।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.