ଚୀନରୁ ମୁହଁ ମୋଡୁଛନ୍ତି କମ୍ପାନୀ, ନୀତିନ ଗଡକରୀଙ୍କ ଫର୍ମୁଲାରେ ଭାରତ ଆସିବେ ବିଦେଶୀ ନିବେଶକ
9/05/2020 at 8:53 PM

ନୂଆଦିଲ୍ଲୀ୦୯।୦୫: କରୋନା କାରଣରୁ ଦେଶରେ ଜାରି ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ମେ ୧୭ରେ ସମାପ୍ତ ହେଉଛି। ଏହି ସମୟରେ ଟ୍ରେନ, ମେଟ୍ରୋ, ସାର୍ବଜନୀନ ପରିବହନ ଓ ବିମାନ ସେବା ଉପରେ ପ୍ରତିବନ୍ଧକ ଲାଗିଛି। କେବଳ ଗ୍ରୀନ ଜୋନ୍ରେ ସର୍ତ୍ତମୂଳକ ବସ୍ ଚଳାଚଳକୁ ଅନୁମତି ଦିଆଯାଇଛି। ଏକ ଘରୋଇ ଚ୍ୟାନେଲ୍ରେ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ଆଶା କରୁଛୁ ମେ ୧୭ ପରେ ପରିବହନକୁ ଧିରେ ଧିରେ ଖୋଲି ଦିଆଯିବ।
ସେ କହିଛନ୍ତି, ଏହି ମାମଲାରେ ଶେଷ ନିଷ୍ପତ୍ତି ଗୃହ ମନ୍ତ୍ରଣାଳୟକୁ ନେବ। ଅନ୍ୟପଟେ ପରିବହନ କ୍ଷେତ୍ରର ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଛି। ସେମାନଙ୍କ ଉପରେ ଋଣ ବୋଝଭାର ବଢିବାରେ ଲାଗିଛି। କର୍ମଚାରୀଙ୍କୁ ଦରମା ଦିଆଯାଇ ପାରୁନି। ଲକ୍ଷାଧିକ ଲୋକଙ୍କ ଉପରେ ରୋଜଗାର ଚାଲି ଯିବାର ଆଶଙ୍କା ରହିଛି।
ଭାରତ ପାଇଁ ବଡ ସୁଯୋଗ
ନୀନିତ ଗଡକରୀ ଏମଏସଏମଇ ମନ୍ତ୍ରୀ ମଧ୍ୟ ଅଛନ୍ତି। ଏହି କ୍ଷେତ୍ରକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ଲାଗି ରହିଛି। ସେ କହିଛନ୍ତି ଚୀନରେ କାମ କରୁଥିବା କମ୍ପାନୀ ନିଜ ପାଇଁ ବିକଳ୍ପ ସ୍ଥାନ ଖୋଜୁଛନ୍ତି। ଏହା ଭାରତ ଲାଗି ବଡ ସୁଯୋଗ। ଯଦି ଆମେ ଏହି ସୁଯୋଗର ସଦୁପଯୋଗ କରି ପାରିବା ତେବେ ଆମ ଦେଶକୁ ବଡ ପରିମାଣରେ ବିଦେଶୀ ନିବେଶ ଆସିବ। ଆମର ମନ୍ତ୍ରୀ ଏହି ଦିଗରେ କାମ କରୁଛନ୍ତି। ଗତ ଦିନରେ ଏକ ରିପୋର୍ଟ ଆସିଥିଲା, ଏଥିରେ କୁହାଯାଇଥିଲା ଯେ, ୧୦୦୦ କମ୍ପାନୀ ଭାରତକୁ ସ୍ଥାନାନ୍ତରିତ ହେବାକୁ ଚାହୁଁଛନ୍ତି। ସରକାର ଏହି ସବୁ କମ୍ପାନୀଙ୍କ ଯୋଗାଯୋଗରେ ଅଛନ୍ତି।
ତିନି ମାସରେ ମିଳିବ ମଞ୍ଜୁରୀ
ଗଡକରୀ ସ୍ପଷ୍ଟ କରିଛନ୍ତି, ଯେଉଁ ବି ବିଦେଶୀ ନିବେଶ ସହିତ କାରବାର ଆରମ୍ଭ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ କେବଳ ତିନି ମାସ ଭିତରେ ମଞ୍ଜୁରୀ ମିଳିଯିବ। ଆମେ ବିଦେଶୀ ନିବେଶକଙ୍କୁ ଆକର୍ଷିତ କରିବାକୁ ଯଥା ସମ୍ଭବ ଉଦ୍ୟମ କରୁଛୁ। ମୁଁ ଆଶା କରୁଛି, କରୋନା ସଙ୍କଟ ପରେ ଭାରତକୁ ବଡ ଧରଣରେ ବିଦେଶୀ ନିବେଶ ଆସିବେ। ଏହି କମ୍ପାନୀକୁ ଲୋଭାନ୍ଵିତ କରିବା ଲାଗି ଅନେକ ରାଜ୍ୟ ଶ୍ରମ ଆଇନରେ ବଡ ପରିବର୍ତ୍ତନ କରିଛନ୍ତି। ଏହା ଦ୍ଵାରା ବିଦେଶୀ କମ୍ପାନୀକୁ ଏଠାରେ ଚୀନ ପରି କାରବାର ସୁଗମ ମାହୋଲ ମିଳି ପାରିବ।