କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଚୂଡ଼ାନ୍ତ - ହବିଷ୍ୟାଳୀଙ୍କ ପାଇଁ ନିର୍ମାଣ ହେବ ଅସ୍ଥାୟୀ ଶିବିର,ଠିକ୍‌ ସମୟରେ ବାହାରିବ ମହାପ୍ରସାଦ

Published By : Prameya-News7 Bureau | October 04, 2019 IST

 ପୁରୀ ୦୪।୧୦- ଆସନ୍ତା କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ହୋଇଛି । ବେଶ ଓ ମହାପ୍ରସାଦ ପ୍ରସ୍ତୁତିକୁ ଶୃଙ୍ଖଳିତ କରିବା ସହ ହବିଷ୍ୟାଳୀଙ୍କ ସୁବିଧା ପାଇଁ ଅସ୍ଥାୟୀ ଶିବିର ନିର୍ମାଣ କରାଯାଉଛି। ସେବାୟତମାନଙ୍କ ବକେୟା ପାଳିଆ ପୁରସ୍କାର ପ୍ରଦାନ ଏବଂ ସେମାନଙ୍କ ଅଭିଯୋଗ ଶୁଣାଣି ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ପୁରୀରେ ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି।

ପବିତ୍ର କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତି ସହ ପ୍ରତିଦିନ ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। ଏହାସହ ଶେଷ ପାଞ୍ଚଦିନ ପଞ୍ଚୁକରେ ୫ଟି ସ୍ବତନ୍ତ୍ର ବେଶରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । କାର୍ତ୍ତିକ ମାସରେ ପୁରୀରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସହ ହବିଷ୍ୟାଳୀମାନଙ୍କର ମଧ୍ୟ ସମାଗମ ହେବ । ଏଣୁ ଏହାକୁ ଦୃଷ୍ଟିରେ ରଖି କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟ ହୋଇଛି। ନୀତିକୁ ଶୃଙ୍ଖଳିତ କରିବା ସହ ମହାପ୍ରସାଦ ପ୍ରସ୍ତୁତିକୁ ବ୍ୟବସ୍ଥିତ କରିବା ପାଇଁ ଛତିଶାନିଯୋଗ ବୈଠକରେ ସେବାୟତମାନଙ୍କୁ ପରାମର୍ଶ ଦିଆଯାଇଛି  ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର ସୂଚନା ଦେଇଛନ୍ତି ।

ସେହିପରି ସେବାୟତଙ୍କ ବକେୟା ଥିବା ସମସ୍ତ ପ୍ରାପ୍ୟ ପାଉଣାକୁ ପ୍ରଦାନ କରିବା ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଇଛି। ସେବାୟତଙ୍କ ଅଭିଯୋଗ ଶୁଣାଣି ପାଇଁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। କାର୍ତ୍ତିକ ମାସରେ ରାଜ୍ୟ ସରକାର ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ କରୁଥିବାରୁ ହବିଷ୍ୟାଳୀଙ୍କ ପାଇଁ ୩ଟି ଅସ୍ଥାୟୀ ଶିବିର କରାଯିବ। ପ୍ରାୟ ୩ ହଜାର ହବିଷ୍ୟାଳୀଙ୍କୁ ଏହି ଅସ୍ଥାୟୀ ଶିବିରରେ ରଖାଯିବା ସହ ସେମାନଙ୍କୁ ମାଗଣା ମହାପ୍ରସାଦ ଯୋଗାଣ ସହ ଅନ୍ୟାନ୍ୟ ସୁବିଧା ଯୋଗାଇଦିଆଯିବ ବୋଲି ପୁରୀ  ଜିଲ୍ଲାପାଳ ବଲଓ୍ୱନ୍ତ ସିଂ  ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ପରିଚାଳନା କମିଟି ସଦସ୍ୟଙ୍କ ସହ ବିଭିନ୍ନ ନିଯୋଗର ସେବାୟତ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.