ପ୍ରତିଶ୍ରୁତି ରଖିଲେ ରୋହିଣୀ ବିଧାୟକ ବିଜେନ୍ଦ୍ର ଗୁପ୍ତା, କେଜରିୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଲେ
16/02/2020 at 4:57 PM

ନୂଆଦିଲ୍ଲୀ ୧୬।୨: ଆମ ଆଦମୀ ପାର୍ଟି (ଆପ୍) ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି। ଏଥିଲାଗି ଆୟୋଜିତ ଉତ୍ସବକୁ ଆପ୍ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦିଲ୍ଲୀର ସମସ୍ତ ବିଜେପି ସାଂସଦ ଓ ନବ ନିର୍ବାଚିତ ବିଧାୟକଙ୍କୁ ଆମନ୍ତ୍ରଣ କରାଯାଇଥିଲା। ତେବେ ବିଜେପିର ରୋହିଣୀ ବିଧାୟକ ବିଜେନ୍ଦ୍ର ଗୁପ୍ତାଙ୍କ ବ୍ୟତୀତ କାର୍ଯ୍ୟକ୍ରମକୁ ଅନ୍ୟ କେହି ବିଜେପି ନେତା ଯାଇନଥିଲେ।

ଶପଥଗ୍ରହଣ ଉତ୍ସବକୁ ଆମନ୍ତ୍ରଣ ପାଇ ଗୁପ୍ତା କେଜରିୱାଲଙ୍କୁ ଏକ ପତ୍ର ଲେଖିଥିଲେ। ଯେଉଁଥିରେ ସେ ଶପଥଗ୍ରହଣ ଉତ୍ସବକୁ ନିଶ୍ଚିତ ଯିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି ଅନୁସାରେ ବିଜେପି ପକ୍ଷରୁ କେବଳ ଗୁପ୍ତା ହିଁ କାର୍ଯ୍ୟକ୍ରମ ସ୍ଥଳରେ ଦେଖିବାକୁ ମିଳିଥିଲେ। ତେବେ ଏ ନେଇ ତାଙ୍କୁ ଗଣ ମାଧ୍ୟମ ପ୍ରଶ୍ନ କରିବାରୁ ଗୁପ୍ତା କହିଥିଲେ ଯେ ଯାହାର ଆସିବାର ଅଛି ସେ ଆସିବ ଏଥିଲାଗି ହ୍ୱିପ୍ ତ ଜାରି ହୋଇନି। ତେବେ ଏଠାରେ ମଧ୍ୟ ସେ କେଜରିୱାଲ ସରକାରଙ୍କୁ ବିରୋଧ କରିବା ଛାଡି ନଥିଲେ।

ଗୁପ୍ତା କହିଥିଲେ ଯେ ଆଶା କରାଯାଉଛି କେଜରିୱାଲ ସରକାର ତାଙ୍କର ପୁରୁଣା ତ୍ରୁଟି ସବୁ ଏବେ ସୁଧାରିବେ। ଯେପରି ସରକାର ଶିକ୍ଷକଙ୍କ କ୍ଷେତ୍ରରେ କରିଛନ୍ତି ତାହା ବାସ୍ତବିକ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ଗୁପ୍ତା। କେଜରିୱାଲଙ୍କ ଶପଥ ଗ୍ରହଣ ଉତ୍ସବକୁ ସବୁ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ଯୋଗଦେବା ଅନିବାର୍ଯ୍ୟ ଘୋଷଣା କରିଥିଲେ ଦିଲ୍ଲୀ ଶିକ୍ଷା ବିଭାଗ। ତେବେ ଗୁପ୍ତା ଏଭଳି ସର୍କୁଲାର ପ୍ରତ୍ୟାହାର କରିନେବାକୁ କେଜରିୱାଲଙ୍କୁ ପତ୍ର ଲେଖି ନିବେଦନ କରିଥିଲେ ହେଁ ସେ ଏହା ପାଳନ କରିନାହାନ୍ତି। ତେବେ କେଜରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ବାର ଶପଥ ପାଠ କରିଛନ୍ତି।