ମଦ୍ୟପ ପୁଅକୁ ପଥରରେ ଛେଚିଲା ବାପା, ଗୁରୁତର ଅବସ୍ଥାରେ ଭୁବନେଶ୍ଵର ସ୍ଥାନାନ୍ତର
23/01/2023 at 6:26 PM

ନୟାଗଡ : ମଦ୍ୟପ ପୁଅର ମୁଣ୍ଡରେ ପଥର ଛେଚିଦେଲା ବୃଦ୍ଧ ବାପା । ଗୁରୁତର ଅବସ୍ଥାରେ ପୁଅକୁ ପ୍ରଥମେ ନୟାଗଡ ମେଡିକାଲ୍ ଏବଂ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ନୟାଗଡ ଜିଲ୍ଲା ଇଟାମାଟି ଗାଁ ପଞ୍ଚାୟତ ସାହିରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।
ଗାଁର ଦୈତାରୀ ମହାନ୍ତିଙ୍କ ଭିନ୍ନକ୍ଷମ ପୁଅ ଶିବପ୍ରସାଦ ସବୁ ସମୟରେ ନିଶାସେବନ କରି ଘରେ ଗଣ୍ଡଗୋଳ କରନ୍ତି । ଏଥିପାଇଁ ପରିବାରରେ ଅଶାନ୍ତି ଲାଗିରହୁଥିଲା । ଆଜି ଏହା ବିସ୍ଫୋରକ ରୁପ ନେଇଥିଲା । ସବୁଦିନପରି ଆଜି ଶିବ ଘରେ ଝଗଡା କରିବାରୁ ବାପା ଦୈତାରୀ ଏଥିରେ ଅତିଷ୍ଠ ହୋଇ ପୁଅର ମୁଣ୍ଡରେ ଏକ ପଥର ଛେଚି ଦେଇଥିଲେ । ସଙ୍କଟାପନ୍ନ ଅବସ୍ଥାରେ ଶିବକୁ ପରିବାର ଲୋକେ ନୟାଗଡ ଡାକ୍ତରଖାନାକୁ ଆଣିଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ଶିବକୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଥାନାରେ ଏନେଇ ଅଭିଯୋଗ ହୋଇନଥିଲେ ମଧ୍ୟ ଇଟାମାଟି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।