ମନ୍ତ୍ରୀ କହିଥିଲେ ଗଙ୍ଗା ମାତା ଦ୍ୱାରକୁ ଆସିବା ଆଶିର୍ବାଦ, ଏବେ ଜାରି କଲେ ସ୍ପଷ୍ଟିକରଣ

Published By : Prameya-News7 Bureau | August 06, 2025 IST

ଲକ୍ଷ୍ନୌ ୬।୮: ନିଜ ବୟାନ ଲାଗି ବିବାଦୀୟ ଉତ୍ତରପ୍ରଦେଶ ମତ୍ସ୍ୟ ପାଳନ ମନ୍ତ୍ରୀ ତଥା ନିଷାଦ ପାର୍ଟି ମୁଖ୍ୟ ସଞ୍ଜୟ ନିଷାଦ ପୁଣି ବୟାନରେ ବିବାଦ ସୃଷ୍ଟି କରିଛନ୍ତି। ତାଙ୍କ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ଏହା ଉପରେ ବୁଧବାର ସ୍ପଷ୍ଟିକରଣ ଦେଇଛନ୍ତି। ତେବେ ସେ ଦେଇଥିବା ବୟାନ ପଛରେ ତାଙ୍କର କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିଲା ଓ ହାଲୁକା ଫୁଲକା ଢଙ୍ଗରେ ଲୋକଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ ଏପରି କହିଥିବା କହିଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ ସଞ୍ଜୟ ନିଷାଦ ବନ୍ୟା ପ୍ରଭାବିତ କାନପୁର ଦେହାତ ଅଞ୍ଚଳ ଗସ୍ତରେ ଯାଇଥିବା ବେଳେ ଗଙ୍ଗା ନଦୀରେ ବନ୍ୟା ଆସିବା ଯୋଗୁ ଲୋକେ କିପରି ହନ୍ତସନ୍ତ ହେଉଛନ୍ତି ମନ୍ତ୍ରୀଙ୍କୁ ଜଣାଇଥିଲେ। ତେବେ ମନ୍ତ୍ରୀ ଲୋକଙ୍କୁ ଗଙ୍ଗା ମାତା ଦ୍ୱାରକୁ ଆସିବା ଆଶିର୍ବାଦ ବୋଲି କହି ଗଙ୍ଗା ମା ଘରକୁ ଆସିବା ଆମକୁ ମୋକ୍ଷ ପ୍ରଦାନ କରିବା ସହ ସମାନ ବୋଲି ସେମାନଙ୍କୁ ବୁଝେଇଥିଲେ। ତେବେ ଲୋକେ ମଧ୍ୟ ଏହାର ତୁରନ୍ତ ଜବାବ ଦେଇଥିଲେ। କହିଥିଲେ ଆପଣ ଆମ ସହ ବନ୍ୟାପ୍ରଭାବିତ ଅଞ୍ଚଳରେ ରହନ୍ତୁ ଓ ଆମ ସହିତ ଆପଣ ବି ସିଧା ସ୍ୱର୍ଗକୁ ଗମନ କରନ୍ତୁ।

ତେବେ ଲୋକଙ୍କ ସହ ସଞ୍ଜୟ ନିଷାଦଙ୍କ କଥାବାର୍ତ୍ତାର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି। ଏହା ଉପରେ ଏବେ ବିରୋଧୀ ଦଳ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। ମନ୍ତ୍ରୀଙ୍କ ଏପରି ଟିପ୍ପଣୀ ଅସମ୍ବେଦନଶୀଳ ବୋଲି ବିରୋଧୀ ଦଳମାନେ କହିଥିବା ବେଳେ ନିଷାଦ ଏବେ ଏହା ଉପରେ ସ୍ପଷ୍ଟିକରଣ ଦେଇଛନ୍ତି। ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ମୁଁ ନିଷାଦଙ୍କ ଏକ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରୁଥିଲି, ଲୋକଙ୍କୁ କହିଥିଲି ଲୋକେ ମୋକ୍ଷ ପ୍ରାପ୍ତି କରିବା ପାଇଁ ଦୂରଦୂରାନ୍ତରୁ ଗଙ୍ଗା ସ୍ନାନ କରିବାକୁ ଆସୁଛନ୍ତି। ଏଥିରେ ଗଙ୍ଗା ମାତା ଆପଣଙ୍କ ଦ୍ୱାରକୁ ଆସିଛନ୍ତି ବୋଲି କହିଥିଲି।

ସେ କହିଛନ୍ତି ଆମେ ନିଷାଦମାନେ ନଦୀକୁ ପୂଜା କରିଥାଉ ଯାହା ଆମ ଜୀବନ ଓ ଜୀବିକାର ସ୍ରୋତ। ଏଣୁ ଏହି ଟିପ୍ପଣୀ ମୁଁ ମୋ ନିଜ ସନ୍ଦର୍ଭରେ ଦେଇଥିଲି। ଉଲ୍ଲେଖଯୋଗ୍ୟ ଯେ ଲକ୍ଷ୍ନୌ, କାନପୁର, ପ୍ରୟାଗରାଜ ଓ ବାରଣାସୀ ସମେତ ଉତ୍ତରପ୍ରଦେଶର ବିସ୍ତୃତ ଅଞ୍ଚଳ ଏବେ ବନ୍ୟା ଘେରରେ।  ଏଥିରେ ତଳିଆ ଅଞ୍ଚଳରେ ଥିବା ଘରେ ପାଣି ପାଶିଥିବା ବେଳେ ଲୋକେ ସୁରକ୍ଷିତ ସ୍ଥାନକୁ ପଳାୟନ କରିଛନ୍ତି। ଏଥିରେ ମନ୍ତ୍ରୀ ଲୋକଙ୍କୁ ଆଶ୍ୱାସନ ଦେବା ବଦଳେ ଗଙ୍ଗା ଗରକୁ ଆସିବା କଥା କହି ସଞ୍ଜାୟ ନିଷାଦ ଏବେ ସମାଲୋଚନାର ଶରବ୍ୟ ହେଉଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.