ଭୁବନେଶ୍ବର ୦୯/୦୯ : ନେସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମଓ୍ବାର୍କ (NIRF) ୨୦୨୧ ପ୍ରକାଶ ପାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସିଂ ଜରିଆରେ ଏ ନେଇ ଘୋଷଣା କରିଛନ୍ତି । ଭାରତର ଟପ୍ ମେଡିକାଲ ବିଶ୍ବବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି ଓଡିଶାର ଅଗ୍ରଣୀ ବିଶ୍ବବିଦ୍ୟାଳୟ “ଶିକ୍ଷା ଓ ଅନୁସନ୍ଧାନ” ୟୁନିଭରସିଟି । ଦେଶର ଅଗ୍ରଣୀ ବିଶ୍ବବିଦ୍ୟାଳୟ ତାଲିକା ମଧ୍ୟରେ ଟପ୍ ୨୦ରେ ରହିଛି ସୋଆ’ ମେଡିକାଲ କଲେଜ । ଏହା ବାଦ୍ ଓଡିଶାର ସର୍ବପୁରାତନ ବିଶ୍ବବିଦ୍ୟାଳୟ ଉତ୍କଳ ୟୁନିଭରସିଟି ଏହି ତାଲିକାର ୮୭ ତମ ସ୍ଥାନରେ ରହିଛି । ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଛି ଆଇଆଇଟି ମାଡ୍ରାସ୍ । ଲଗାତାର ତୃତୀୟ ବର୍ଷ ପାଇଁ IIT ମାଡ୍ରାସ୍ ଏହି ଉପଲବ୍ଧି ହାସଲ କରିଛି ।
୨୦୦୭ ମସିହାରେ ଡିମ୍ଡ ଟୁ ବି ୟୁନିଭର୍ସିଟିର ମାନ୍ୟତା ହାସଲ କରିଥିବା ସୋଆ ଏନ୍ଆଇଆର୍ଏଫ୍ ୨୦୨୦ରେ ମଧ୍ୟ ୨୦ ତମ ସ୍ଥାନ ହାସଲ କରିଥିବା ବେଳେ ୨୦୧୬ ମସିହାରୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନ୍ଆଇଆର୍ଏଫ୍ ରାଙ୍କିଙ୍ଗ ଆରମ୍ଭ କରାଯାଇଥିବା ବେଳେ ଲଗାତର ୬ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜ ସ୍ଥାନକୁ ହାସଲ କରିବାରେ ସଫଳ ହୋଇପାରିଛି ସୋଆ ।
ଅଗ୍ରଗତି କରି ଚାଲିଥିବା ସୋଆ ରାଙ୍କିଂ ସାମଗ୍ରିକ କ୍ୟାଟେଗୋରୀରେ ଗତ ବର୍ଷ ଦେଶରେ ୩୮ ତମ ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ ଗୋଟିଏ ପାଦ ଆଗକୁ ଆସି ୩୭ ତମ ସ୍ଥାନ ହାସଲ କରିଛି । ସେହିପରି ୨୦୨୦ରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି କ୍ଷେତ୍ରରେ ୩୪ ତମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ୩୨ତମ ସ୍ଥାନରେ ରହିଛି ।
ମେଡିକାଲ୍ କଲେଜ କ୍ୟାଟେଗୋରିରେ ଗତ ବର୍ଷ ୨୩ତମ ସ୍ଥାନ ହାସଲ କରିଥିବା ବେଳେ ଚଳିତ ବର୍ଷ ଦୁଇ ପାଦ ଆଗକୁ ଆସି ୨୧ ତମ ସ୍ଥାନରେ ପହଂଚିଛି ସୋଆ । ଚଳିତବର୍ଷ ଡେଂଟାଲ କ୍ୟାଟେଗୋରୀରେ ୧୪ ତମ ସ୍ଥାନରେ ରହିଛି ସୋଆ । ସାମଗ୍ରିକ, ମେଡିକାଲ୍ ଏବଂ ଡେଂଟାଲ୍ କ୍ୟାଟେଗୋରୀରେ ସୋଆ ଓଡ଼ିଶାର ଶ୍ରେଷ୍ଠ ଅନୁଷ୍ଠାନ ଭାବେ ଏନ୍ଆଇଆର୍ଏଫ୍ ରାଙ୍କଂରେ ନିଜ ସ୍ଥାନ ବଜାୟ ରଖିଥିବା ବେଳେ ଇଞ୍ଜିନିୟରିଂ କ୍ଷେତ୍ରରେ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ରାଉରକେଲା ଏବଂ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଭୁବନେଶ୍ୱର ପରେ ଓଡ଼ିଶାରେ ତୃତୀୟ ସ୍ଥାନରେ ରହିଛି ସୋଆ ।
ଇନ୍ଷ୍ଟିଚ୍ୟୁଟ୍ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ସୋଆର ଫାକଲ୍ଟି ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ହୋଇଥିବାବେଳେ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଇନଷ୍ଟିଚ୍ୟୁଟ୍ ଅଫ ଡେଂଟାଲ୍ ସାଇନସେସ୍ (ଆଇଡିଏସ) ଏହାର ମେଡିକାଲ ଏବଂ ଡେଂଟାଲ୍ ସାଇନ୍ସ ଶିକ୍ଷାନୁଷ୍ଠାନ ।
ନ୍ୟାସ୍ନାଲ୍ ଆସେସ୍ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍ସିଲ୍ (ନାକ୍) ପକ୍ଷରୁ ସୋଆକୁ ସର୍ବୋଚ୍ଚ ଗ୍ରେଡ୍ ସହିତ ରି-ଆକ୍ରିଡିଟେଡ୍ କରାଯାଇଥିବା ବେଳେ ଏହାର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜିକୁ ସମ୍ମାନଜନକ ଆକ୍ରେଡିଟେସନ୍ ବୋର୍ଡ ଫର୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍), ୟୁଏସ୍ଏ ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଯାଇଛି ।
ସୋଆ ଅଧିନରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ମେଡିକାଲ୍ ସାଇନ୍ସେସ୍, ଡେଂଟାଲ୍ ସାଇନ୍ସେସ୍, ମ୍ୟାନେଜମେଂଟ ସାଇନ୍ସେସ୍, ହସ୍ପିଟାଲ୍ ଆଡ୍ମିନିଷ୍ଟ୍ରେସନ୍, ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍, ବାୟୋଟେକ୍ନୋଲୋଜି, ନର୍ସିଂ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, ଲିଗାଲ୍ ଷ୍ଟଡିଜ୍ ଓ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ ଭଳି ୯ଟି ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଥିବା ବେଳେ ୯୫ଟି ଏକାଡେମିକ ପ୍ରୋଗ୍ରାମ୍ ପ୍ରଦାନ କରାଯାଉଛି ।
ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଡିନ୍, ଫ୍ୟାକଲ୍ଟି ମେମ୍ବର୍ସ, ଗବେଷକ ଏବଂ ସମସ୍ତ କର୍ମଚାରୀମାନଙ୍କୁ ସେମାନଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଯୋଗୁଁ ହିଁ ବିଶ୍ୱବିଦ୍ୟାଳୟ ଜାତୀୟ ସ୍ତରରେ ଏହି ସମ୍ମାନଜନକ ସ୍ଥାନ ହାସଲ କରିପାରିଛି ବୋଲି କହିଛନ୍ତି ।
ଶ୍ରେଷ୍ଠ ବିଶ୍ବବିଦ୍ୟାଳୟମାନଙ୍କ ତାଲିକାରେ ୭ଟି ଆଇଆଇଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି । ସେଥି ମଧ୍ୟରୁ ଓଭରଅଲ୍ ଏବଂ ଇଞ୍ଜିନିୟରିଂରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛି ଆଇଆଇଟି ମାଡ୍ରାସ । ଓଭରଅଲ ରାଙ୍କିଂର ୩୭ ତମ ସ୍ଥାନରେ ରହିଛି “ଶିକ୍ଷା ଓ ଅନୁସନ୍ଧାନ” ୟୁନିଭରସିଟି । ବିଶ୍ବବିଦ୍ୟାଳୟ ରାଙ୍କ୍ର ଦ୍ବିତୀୟ ସ୍ଥାନରେ ରହିଛି IISC ବେଙ୍ଗାଲୁରୁ । ସେହିଭଳି ଅଗ୍ରଣୀ ବିଶ୍ବବିଦ୍ୟାଳୟମାନଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି IIT ବମ୍ବେ । କ୍ରମାନ୍ବୟରେ ଦେଖିବାକୁ ଗଲେ, IIT ଦିଲ୍ଲୀ ୪ର୍ଥ, IIT କାନପୁର ୫ମ, IIT ଖଡଗପୁର ୬ଷ୍ଠ ସ୍ଥାନରେ ରହିଛନ୍ତି । ଜେଏନ୍ୟୁ ଏବଂ ବନାରସ୍ ହିନ୍ଦୁ ବିଶ୍ବବିଦ୍ୟାଳୟ ଯଥାକ୍ରମେ ୯ମ ଏବଂ ୧୦ମ ସ୍ଥାନରେ ରହିଛନ୍ତି ।
ମେଡିକାଲ କଲେଜମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି ଦିଲ୍ଲୀ ଏମ୍ସ । ସେହିଭଳି PGIMER ଚଣ୍ଡିଗଡ ୨ୟ, ଖ୍ରୀଷ୍ଟିଆନ ମେଡିକାଲ କଲେଜ ଭେଲ୍ଲୋର ତୃତୀୟ ସ୍ଥାନରେ ରହିଛି । ସେହିଭଳି ଶ୍ରେଷ୍ଠ ବି-ସ୍କୁଲ ରାଙ୍କ୍ ହାସଲ କରିଛି IIM ଅହମଦାବାଦ । ଯେତେବେଳେକି ଫାର୍ମାସୀ ଷ୍ଟଡିଜ୍ରେ ପ୍ରଥମ ସ୍ଥାନ ଅକ୍ତିଆର କରିଛି ଜାମିଆ ହମଦର୍ଦ୍ ।