ଫାଶୀ ତାରିଖର ଦୁଇ ଦିନ ପୂର୍ବରୁ ପୁଣି ଥରେ ରାଜକ୍ଷମା ଆବେଦନ କଲା ନିର୍ଭୟା ଦୋଷୀ ଅକ୍ଷୟ

Published By : Prameya-News7 Bureau | March 18, 2020 IST

ନୂଆଦିଲ୍ଲୀ ୧୮।୩: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ଅକ୍ଷୟ ସିଂ ପୁର୍ନବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛନ୍ତି । ଫାଶୀ ପାଇବାର ୨ ଦିନ ପୂର୍ବରୁ ଅକ୍ଷୟ ପୁଣି ଥରେ ରାଜକ୍ଷମା ଆବେଦନ କରିଥିବା ଜଣାପଡିଛି । ମାର୍ଚ୍ଚ ୨୦ତାରିଖରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବା ଲାଗି ଡେଥ୍ ଓ୍ବାରେଣ୍ଟ ଜାରି ହୋଇଛି ।

ତିହାର ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି ଯେ, ଚତୁର୍ଥ ଡେଥ୍ ଓ୍ବାରେଣ୍ଟ ଜାରି ହେବା ପରେ ମଙ୍ଗଳବାର ସନ୍ଧ୍ୟାରେ ନିର୍ଭୟା ଦୋଷୀ ପୁଣି ଥରେ ରାଷ୍ଟ୍ରପତିଙ୍କ ନିକଟରେ ଏହି ରାଜକ୍ଷମା ଆବେଦନ କରିଛନ୍ତି । ଏହି ଆବେଦନ ଦିଲ୍ଲୀ ସରକାରଙ୍କ ମାଧ୍ୟମରେ ଗୃହ ମନ୍ତ୍ରଣାଳୟକୁ ପଠାଇଦିଆଯାଇଛି । ଜେଲ୍ ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ଆବେଦନ ଦୋଷୀଙ୍କ ଫାଶୀକୁ ବିଳମ୍ବ କରିପାରିବନାହିଁ ।

ଚଳିତ ବର୍ଷ ମାର୍ଚ୍ଚ ୫ତାରିଖରେ ଟ୍ରାଏଲ କୋର୍ଟ ମାର୍ଚ୍ଚ ୨୦ ତାରିଖ ୫ଟା ୩୦ମିନିଟ୍ ରେ ଫାଶୀ ଦେବା ଲାଗି ନୂଆ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି । ଏହି ମାମଲାରେ ଚାରିଜଣ ଦୋଷୀ ମୁକେଶ ସିଂ (୩୨), ପୱନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଏବଂ ଅକ୍ଷୟ କୁମାର ସିଂ (୩୧)ଙ୍କୁ ଫାଶୀ ଦିଆଯିବ ।

ଦୋଷୀମାନଙ୍କ ବିରୋଧରେ ଏହା ହେଉଛି ଚତୁର୍ଥ ଡେଥ୍ ୱାରେଣ୍ଟ । ଏହା ପୂର୍ବ ତିନୋଟି ଡେଥ୍ ୱାରେଣ୍ଟକୁ ଦୋଷୀମାନଙ୍କ ଦ୍ବାରା ଆଇନଗତ ପ୍ରତିକାର ଶେଷ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।

ନୂତନ ଡେଥ୍ ୱାରେଣ୍ଟ ଜାରି ହେବା ପରେ ତିହାର ଜେଲ୍ କର୍ତ୍ତୃପକ୍ଷ ଉତ୍ତରପ୍ରଦେଶର ପ୍ରତିପକ୍ଷଙ୍କୁ ଚିଠି ଲେଖି ଜଲ୍ଲାଦ ପବନଙ୍କୁ ପଠାଇବା ପାଇଁ ଅନୁରୋଧ କରିଥିଲେ ବୋଲି ଜେଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ମିରଟର ଜାଲ୍ଲାଦ ପବନ ମଙ୍ଗଳବାର ଦିନ ତିହାର ଜେଲରେ ପହଞ୍ଚିଥିଲେ।

୨୦୧୨ ଡିସେମ୍ବର ୧୬ ତାରିଖ ରାତିରେ ଦକ୍ଷିଣ ଦିଲ୍ଲୀରେ ଘଟିଥିଲା ସେହି ନାରକୀୟ କାଣ୍ଡ । ଏକ ଚଳନ୍ତା ବସରେ ଫିଜିଓଥେରାପି ଛାତ୍ରୀ ଜଣଙ୍କୁ ଗଣଦୁଷ୍କର୍ମ ପରେ ମରଣାନ୍ତକ ଆକ୍ରମଣ କରିଥିଲେ ୬ ଜଣ ଦୁର୍ବୃତ୍ତ । ସେହି ୬ ଜଣଙ୍କ ମଧ୍ୟରୁ ରାମ ସିଂ ଜେଲ୍‌ ଭିତରେ ଆତ୍ମହତ୍ୟା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.