ନିର୍ଭୟା ଦୋଷୀଙ୍କ ଡେଥ୍ ଓ୍ଵାରେଣ୍ଟ ପାଇଁ କୋର୍ଟର ଦ୍ଵାରସ୍ଥ ହେଲା ଦିଲ୍ଲୀ ସରକାର, ବନ୍ଦ ହେଲା ବଞ୍ଚିବାର ପଥ
4/03/2020 at 4:31 PM

ନୂଆଦିଲ୍ଲୀ ୦୪।୦୩- ନିର୍ଭୟା ମାମଲାରେ ତିନି ଥର ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚି ସାରିଛି। ଏହା ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ମାମଲାରେ ଦୋଷୀ ପବନ କୁମାରର ରାଜକ୍ଷମା ଆବେଦନ ଖାରଜ କରି ଦେଇଛନ୍ତି। ଏହା ସହିତ ଏବେ ଚାରି ଦୋଷୀ ଫାଶୀରେ ଝୁଲିବା ପଥ ପରିଷ୍କାର ହୋଇଛି। ପବନର ରାଜକ୍ଷମା ଆବେଦନ ଖାରଜ ହେବା ପରେ ଦିଲ୍ଲୀ ସରକାର ପୁଣି ଥରେ ନୂତନ ମୃତ୍ୟୁ ପରଓ୍ଵାର ଜାରି କରିବା ନେଇ ନିମ୍ନ ଅଦାଲତର ଦ୍ଵାରସ୍ଥ ହୋଇଛନ୍ତି। ଏହା ଉପରେ ଗୁରୁବାର ଅପରାହ୍ନ ୨ଟାରେ କୋର୍ଟରେ ଶୁଣାଣି ହେବ। ଅତିରିକ୍ତ ସେସନ ଜଜ ଡି.ରାଣା ଚାରି ଦୋଷୀଙ୍କୁ ଏନେଇ ନୋଟିସ୍ ଜାରି କରିଛନ୍ତି। ତେଣୁ ଏହାର ସମ୍ଭାବନା ଅଧିକ ଯେ, ଅଦାଲତ ଗୁରୁବାର ଚତୁର୍ଥ ଥର ଚାରି ଦୋଷୀଙ୍କ ପାଇଁ ମୃତ୍ୟୁ ପରଓ୍ଵାନ ଜାରି କରି ଫାଶୀର ନୂତନ ତାରିଖ ସ୍ଥିର କରି ପାରନ୍ତି।
ଏହା ପୂର୍ବରୁ ଦିଲ୍ଲୀ ସରକାର ମଧ୍ୟ ନିର୍ଭୟା ମାମଲାରେ ପବନର ରାଜକ୍ଷମା ଆବେଦନ ଖାରଜ କରିବାକୁ ସୁପାରିଶ କରିଥିଲେ। ଗତକାଲି ନିର୍ଭୟା କେସରେ ଦୋଷୀଙ୍କ ଫାଶୀ ଅଦାଲତଙ୍କ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଘୁଞ୍ଚି ଯାଇଥିଲା। ଏବେ ସବୁ ଦୋଷୀଙ୍କ ପାଖରେ କୌଣସି ଆଇନଗତ ବିକଳ୍ପ ବଞ୍ଚି ନାହିଁ। ଏହା ସହିତ ସଂପ୍ରତି ଚାରି ଦୋଷୀଙ୍କ ଫାଶିରେ ଝୁଲିବା ପଥ ପରିଷ୍କାର ଥିବା ଭଳି ମନେ ହେଉଛି।

ଏହା ପୂର୍ବରୁ ସୋମବାର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟକୁ ପବନ(୨୫)ର ରାଜକ୍ଷମା ଆବେଦନ ମିଳିଥିଲା। ମନ୍ତ୍ରଣାଳୟ ଏହାକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇ ଦେଇଥିଲା। ଏବେ ରାଷ୍ଟ୍ରପତି ପବନର ରାଜକ୍ଷମା ଆବେଦନକୁ ମଧ୍ୟ ଖାରଜ କରି ଦେଇଛନ୍ତି। ଦିଲ୍ଲୀର ଏକ ଅଦାଲତ ୨୦୧୨ର ଏହି ହୃଦୟ ବିଦାରକ ମାମଲାରେ ଚାରି ଦୋଷୀଙ୍କ ଫାଶୀ ଉପରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ଚାରି ଦୋଷୀଙ୍କୁ ପୂର୍ବେ ମଙ୍ଗଳବାର ସକାଳ ଛଅଟାରେ ଫାଶୀ ଦିଆଯିବାର ଥିଲା।
ଅନ୍ୟପଟେ ନିର୍ଭୟାର ମାତା-ପିତାଙ୍କ ଓକିଲ ସୀମା କୁଶଓ୍ଵାହ କହିଛନ୍ତି ଯେ, ଆଜି ଆମେ ପଟିଆଲା ହାଉସ କୋର୍ଟରେ ନୂତନ ଯାଚିକା ଦାୟର କରି ଫାଶୀ ପାଇଁ ନୂତନ ତାରିଖ ନିର୍ଦ୍ଧାରଣ କରିବାକୁ ନିବେଦନ କରିବୁ। ଏବେ ଯେଉଁ ତାରିଖ ସ୍ଥିର ହେବ ତାହା ଚୂଡାନ୍ତ ଫାଶୀ ତାରିଖ ହେବ ବୋଲି ସେ କହିଛନ୍ତି। ସଂପ୍ରତି ଚାରି ଦୋଷୀ ନିଜର ସମସ୍ତ ଅଧିକାରର ସଂପୂର୍ଣ୍ଣ ବ୍ୟବହାର କରି ସାରିଛନ୍ତି।