ପିଏନ୍‌ବି ଠକେଇ ମାମଲା ; ଲଣ୍ଡନରେ ଗିରଫ ହେଲେ ନୀରବ ମୋଦି

Published By : Prameya-News7 Bureau | March 20, 2019 IST

ନୂଆଦିଲ୍ଲୀ ୨୦|୩ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି ଲଣ୍ଡନରୁ ଗିରଫ ହୋଇଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନୁସାରେ ନୀରବ ମୋଦିକୁ ଆଜି କୋର୍ଟରେ ହାଜର କରାଯିବ ।

ସୂଚନାଯୋଗ୍ୟ ଯେ, ଦୁଇ ଦିନ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପ୍ରତ୍ୟାର୍ପଣ ଅନୁରୋଧ ଉପରେ ଲଣ୍ଡନ କୋର୍ଟ ନୀରବ ମୋଦି ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି କରିଥିଲା । ପିଏନବି ଠକେଇ ମାମଲରା ମୁଖ୍ୟ ଅଭିଯୁକ୍ତ ମୋଦି କିଛି ଦିନ ତଳେ ଲଣ୍ଡନରେ ବେଶ ବଦଳାଇ ବୁଲୁଥିବାର ଦେଖିବାକୁ ମିଳିଥିଲା ।

ନୀରବ ମୋଦିଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯାଇଛି । ବ୍ରିଟେନ୍ ର ଓ୍ବେଷ୍ଟମିଷ୍ଟର କୋର୍ଟ ନିକଟରେ ତାଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି କରିଥିଲା ।

 ନୀରବ ମୋଦି ଗିରଫ ହୋଇଯାଇଛନ୍ତି ସତ ମାତ୍ର ତାଙ୍କୁ ଭାରତ ପ୍ରତ୍ୟାର୍ପଣ ପାଇଁ ବହୁତ ସମୟ ଲାଗିପାରେ । କାରଣ ଗିରଫ ହେବା ପରେ ତାଙ୍କ ପାଖରେ କୋର୍ଟ ଯିବାର ବିକଳ୍ପ ରହିବ ଏବଂ କୋର୍ଟ ତାଙ୍କୁ କିଛି ସର୍ତ୍ତ ସହ ଜାମିନ ମଧ୍ୟ ଦେଇପାରନ୍ତି ।

ନୀରବ ମୋଦି ଏବଂ ତାଙ୍କ ମାମୁଁ ମେହୁଲ୍ ଚୌକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୩,୦୦୦ କୋଟି ଟଙ୍କାର ଠକେଇ କରିଥିଲେ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମୁମ୍ବାଇ ଶାଖା ୨୦୧୧ ମସିହାରୁ ନୀରବଙ୍କୁ ତାଙ୍କର ଠକେଇ କାରବାରରେ ସମର୍ଥନ ଦେଇ ଆସୁଥିଲେ ବୋଲି ଜାଣିବାକୁ ମିଳିଥିଲା। ୨୦୧୮ ମସିହାରେ ଏହା ଜଣାପଡିବା ପରେ ତଦନ୍ତକାରୀ ଦଳ ନୀରବ ମୋଦି ଏବଂ ତାଙ୍କ ମାମୁଁ ଚୌକସିଙ୍କୁ ନେଇ ତଦନ୍ତ ଆରମ୍ଭ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.