ଆଜି ଗଜପତି ଜିଲ୍ଲା ବାତ୍ୟାଂଚଳ ପରିଦର୍ଶନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ; ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଲେ ସରକାର ସମ୍ପୂର୍ଣ ବିଫଳ

Published By : Prameya-News7 Bureau | October 16, 2018 IST

ଗଜପତି ୧୬/୧୦ : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଜପତି ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ପାରଳାଖେମୁଣ୍ଡିରୁ ଆଜି ସକାଳେ ବାହାରି ପ୍ରଥମେ ଗୋଶାଣୀ ବ୍ଲକର ମାଛମରା, ଭୁସକୁଡି, ଗୁରାଣ୍ଡି ଓ ଗାରାବନ୍ଧରେ ପହଞ୍ଚିଥିଲେ । ଗାରାବନ୍ଧ ଥାନାରେ ବାରଘର ଗାଁର ମୃତକଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ । ପରେ ସେ ଗଙ୍ଗବାଡ଼ ପଞ୍ଚାୟତ ଅଭିମୁଖେ ଯାଇଥିଲେ । ତାଙ୍କ ସହ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି, ଶୁଭେନ୍ଦୁ ମହାନ୍ତି ଓ ତିରୁପତି ପାଣିଗ୍ରାହୀ ପ୍ରମୁଖ ସାମିଲ ଅଛନ୍ତି । ପ୍ରଭାବିତ ଅଂଚଳ ପରିଦର୍ଶନ ପରେ ନିରଞ୍ଜନ ତାଙ୍କ ପ୍ରତିକ୍ରିୟା ରଖି କହିଥିଲେ ଗଜପତି ଜିଲ୍ଲାର ସ୍ଥିତି ଭୟଙ୍କର ହୋଇଯାଇଛି | ବାତ୍ୟା ଓ ବନ୍ୟାରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ତାର ସଠିକ ଖବର ଏବେ ଯାଏଁ ରାଜ୍ୟ ସରକାରଙ୍କ ପାଖରେ ନାହିଁ ବୋଲି କହିଛନ୍ତି ନିରଞ୍ଜନ | ଆଦିବାସୀ ଅଂଚଳରେ ଆଜି ଯାଏଁ ସରକାରଙ୍କ ରିଲିଫ ମଧ୍ୟ ପହଞ୍ଚିନାହିଁ | ୫/୬ ଦିନ ହେଲା ଲୋକେ ଭୋକ ଉପାସରେ ଅଛନ୍ତି, କିନ୍ତୁ ରାଜ୍ୟ ସରକାରଙ୍କ ରିଲିଫ ଏବେ ଯାଏଁ ସେମାନଙ୍କ ପାଖକୁ ପହଞ୍ଚିନାହିଁ | ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ସରକାର ସମ୍ପୂର୍ଣ ରୂପେ ବିଫଳ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.