ଗଛଙ୍କୁ ପେନସନ୍, ପ୍ରଥମ ବର୍ଷ ୧୨୦ ପୁରୁଣା ବୃକ୍ଷଙ୍କୁ ଦିଆ ଗଲା ୨, ୭୫୦ ଟଙ୍କା
21/11/2023 at 7:58 PM

କରନାଲ ୨୧।୧୧: ହରିୟାଣା ସରକାର ପ୍ରାଣବାୟୁ ଦେବତା ସ୍କିମ ଆରମ୍ଭ କରିଛନ୍ତି। ଏଥିରେ ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ ଯୋଗାଇ ଦେଉଥିବା ବୃକ୍ଷଙ୍କ ନିମନ୍ତେ ପ୍ରଥମ ଥର ପେନସନ୍ ଜାରି କରିଛନ୍ତି। ବୃକ୍ଷମାନଙ୍କର ସଂରକ୍ଷଣ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାର ଅଲଗା ଅଲଗା ପଞ୍ଚାୟତ ଓ ସହରାଞ୍ଚଳରେ ଥିବା ୭୫ରୁ ଦେଢଶହ ବର୍ଷ ପୂରୁଣା ଗଛଙ୍କୁ ଏହି ପେନସନ୍ ସ୍କିମ୍ ଅନ୍ତର୍ଭୁକ୍ତ କରାଯାଇଛି। ବନ ବିଭାଗ ଏହିଭଳି ୧୨୦ଟି ବୃକ୍ଷଙ୍କୁ ଚିହ୍ନଟ କରି ପ୍ରଥମ ବର୍ଷ ୨,୭୫୦ ଟଙ୍କା ଲେଖାଏଁ ପେନସନ୍ ଦେଇଛନ୍ତି। ଏଥିନିମନ୍ତେ ବିଭାଗକୁ ୩.୩୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା।

ବନବିଭାଗ ଅନୁସାରେ ଜିଲ୍ଲାମାନଙ୍କରେ ୯ ପ୍ରକାରର ବୃକ୍ଷଙ୍କୁ ପେନସନର ଲାଭ ଦିଆଯାଇଛି। ଏଥିରେ ସବୁଠୁ ଅଧିକ ୪୯ଟି ଅଶ୍ୱତଥ ବୃକ୍ଷକୁ ପେନସନ ଯୋଜନାରେ ସାମିଲ କରାଯାଇଥିବା ବେଳେ ୩୬ଟି ବରଗଛ, ୧୧ଟି ଅଶୋକ, ୪ଟି ଚାକୁଣ୍ଡା, ୨ଟି ନିମ୍ବ, ଜାମୁ ଓ କେନ୍ଦୁ ଗଛ ଏହି ଯୋଜନାରେ ସାମିଲ ହୋଇଛନ୍ତି। ଏହି ସବୁ ଗଛ ୭୫ରୁ ଆରମ୍ଭ କରି ଦେଢଶହ ବର୍ଷ ପୁରୁଣା। ବୃକ୍ଷ ସଂରକ୍ଷଣ ଓ ରକ୍ଷଣାବେକ୍ଷଣରେ କାଛଭା ଓ ଗୋଲି ଗାଁ ସବୁଠୁ ଅଗ୍ରଣୀ ଜଣାପଡିଛନ୍ତି। ଏହି ଦୁଇ ଗାଁର ୭ଟି ଲେଖାଏଁ ଗଛ ପେନସନ୍ ସ୍କିମରେ ସାମିଲ ହୋଇଛନ୍ତି।

ବନ ଅଧିକାରୀ ଜୟ କୁମାର ନରୱାଲଙ୍କ ଅନୁସାରେ ପୁରୁଣା ବୃକ୍ଷ ଆମ ଐତିହ୍ୟ ଓ ଜୀବନ ପାଇଁ ଅକ୍ସିଜେନର ସବୁଠୁ ବଡ ଉତ୍ସ। ଏପରି ବୃକ୍ଷ ଜୀବନ ନିମନ୍ତେ ବହୁତ ଜରୁରି। ଏଣୁ ଏଗୁଡିକର ସଂରକ୍ଷଣ ଆବଶ୍ୟକ ହେଉଥିଲା। ଯେଉଁ ଯେଉଁ ଗାଁରେ ଏପରି ପୁରୁଣା ଗଛ ଅଛି ସେ ନେଇ ଗ୍ରାମବାସୀଙ୍କୁ ସୂଚନା ଦେବାକୁ କୁହାଯାଇଛି। ଯାହା ଦ୍ୱାରା ଯୋଜନାରେ ଆହୁରି ଗଛଙ୍କୁ ସାମିଲ କରାଯାଇ ପାରିବ ବୋଲି ସେ କହିଛନ୍ତି। ଗଛଙ୍କୁ ପେନସନ ଦେବା ଲାଗି ଆରମ୍ଭ କରାଯାଇଥିବା ଯୋଜନାରେ ହରିୟାଣା ଦେଶର ପ୍ରଥମ ରାଜ୍ୟ ପାଲଟିଛି।
NCERT ପ୍ୟାନେଲର ସୁପାରିଶ, ସ୍କୁଲ ପୁସ୍ତକରେ ସାମିଲ ହେବ ମହାଭାରତ ଏବଂ ରାମାୟଣ