ନୀଳଗିରି ତିନି କୋଣିଆ ବାଇପାସ ରୋଡ଼ ଜବରଦଖଲ, ମାପଚୁପ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ, ଚେତାବନୀ ଦେଲେ ଲୋକେ

Published By : Prameya-News7 Bureau | December 14, 2020 IST

ନୀଳଗିରି,୧୪/୧୨: ନୀଳଗିରି ବାଇପାସ ରୋଡ଼ ଏବେ ବିପଦ ସଂକୁଳ ଅବସ୍ଥାରେ ଗତି କରୁଛି। ସହରକୁ ପ୍ରମୁଖ ରାସ୍ତା  ତିନି କୋଣିଆ ହୋଇଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଜବର ଦଖଲ ହୋଇଥିବାରୁ ଯାନ ବାହନ ଆସିବାରେ ବହୁ ଅସୁବିଧା ହେଉଛି। ପ୍ରଶାସନ ତରଫରୁ ବାରମ୍ବାର ମାପଚୁପ ସତ୍ଵେ କୌଣସି କାର୍ଯ୍ୟନୁଷ୍ଠାନ ହେଉନାହିଁ। ଆଜି ନୀଳଗିରି ବାସିନ୍ଦା ୭ ଦିନ ଭିତରେ କାର୍ଯ୍ୟନୁଷ୍ଠାନ ନହେଲେ ବାଧ୍ୟହୋଇ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।

ସେରଗଡ଼ ଆଡୁ ଉଦଳାକୁ ଆସିଥିବା ରାଜ୍ୟ ରାଜପଥ ନୀଳଗିରି ବାଇପାସ ଛକରେ ରାସ୍ତାଟି ଦୁଇ ଭାଗରେ ବିଭକ୍ତ ହୋଇଛି। ଗୋଟିଏ ରାସ୍ତା ଉଦଳା ,ପଞ୍ଚଲିଙ୍ଗେଶ୍ୱର ଯାଇଛି। ଅନ୍ୟଟି ସହର ଓ ମିତ୍ରପୁର ଆଡକୁ ଯାଇଛି। ଦୈନନ୍ଦିନ ହଜାର ହଜାର ଯାନବାହନ ଏହି ରାସ୍ତାଦେଇ ଉଭୟ ଆଡକୁ ଯାଇଥାନ୍ତି। ବାଇପାସ ଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଥିବାବେଳେ ଆଗରେ ତିନିକୋଣିଆ ଭଳି ରହିଛି। ଉଦଳା ଓ ପଞ୍ଚଲିଙ୍ଗେସ୍ୱର ଆଡୁ ଗାଡି ମୋଟର ନୀଳଗିରି ସହର କିମ୍ବା ମିତ୍ରପୁର ଗଲାବେଳକୁ ବାଙ୍କିବା କାଠିକର ପାଠ।

ସେହିଭଳି ମିତ୍ରପୁର ଆଡୁ ଉଦଳା ଯିବା ବେଳକୁ ବଡ଼ବଡ଼ ଯାନ ସେହି ସମାନ ଅବସ୍ଥା ହେଉଛି। ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପଛକୁ ଆଉ ଏକ ରାସ୍ତା ଖୋଲି ଟ୍ରାଫିକ ଭଳି କଲେ ସମସ୍ୟାର ସମାଧାନ ହୋଇପାରନ୍ତା।ଏନେଇ ପୂର୍ତ୍ତବିଭାଗର ଅଧିକାରୀ ଯନ୍ତ୍ରୀଙ୍କୁ ନେଇ ମଧ୍ୟ ପ୍ଲାନ ଦେଇଥିବା ବେଳେ ଆଵଶ୍ୟକ ସ୍ଥାନ ନଥିବାରୁ ଏହା ହୋଇପାରୁ ନାହିଁ। ପାଖରେ ଥିବା ଏକ ନିଗମାନନ୍ଦ ମଠ ସରକାରୀ ଜମି ଜବର ଦଖଲ କରିଥିବାରୁ ଏଭଳି ସମସ୍ୟା ଉପୁଜିଥିବା ଜଣାପଡିଛି। ବହୁ ବର୍ଷ ପୂର୍ବେ ରାଜସ୍ୱ ବିଭାଗ ମାପ କରିବା ପରେ ଜବରଦଖଲ ହୋଇଥିବା ଜଣାପଡିଥିଲା।

ପୂର୍ତ୍ତ ବିଭାଗ କାମ କରିବାରେ ଜବର ଦଖଲ ବାଧକ ସାଜିଥିବାରୁ ତିନିମାସ ତଳେ ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ, ପୂର୍ତ୍ତବିଭାଗ ଏସଡ଼ିଓ ପ୍ରଫୁଲ୍ଲ କୁମାର ଦାସ ଅମିନ ନେଇ ମାପଚୁପ କରିଥିଲେ। ମଠଟି ପାଖାପାଖି ୭ ଡିସିମିଲରୁ ଉର୍ଦ୍ଧ୍ବ ଜାଗା ଜବରଦଖଲ କରିଥିବା ତହସିଲଦାର ସୂଚନା ଦେଇଥିଲେ। ତେବେ କାର୍ଯ୍ୟାନୁଷ୍ଠାନ ନକରିବାକୁ ମଠର କର୍ତ୍ତୃପକ୍ଷ ତହସିଲଦାରଙ୍କୁ ନିବେଦନ କରିଥିଲେ। ସେ ଅଂଚଳର ସ୍ୱାର୍ଥପାଇଁ ଉନ୍ନୟନମୁଳକ କାର୍ଯ୍ୟ ସ୍ଥାନରେ ଜାଗା ଛାଡିଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ କିଛି ଜାଗା ଖାଲି ନହେବାରୁ ଉନ୍ନୟନମୂଳକ କାର୍ଯ୍ୟ ହୋଇପାରିନାହିଁ।

ଏନେଇ ଅଂଚଳରେ ଅସନ୍ତୋଷ ବଢିବଢି ଚାଲିଛି। ଆଜି କିଛି ନୀଳଗିରି ସ୍ୱାଭିମାନ ନାଗରିକ ମଞ୍ଚ ତରଫରୁ ଉପଜିଲ୍ଲାପାଳଙ୍କୁ ଭେଟି ଏକ ଅଭିଯୋଗ ପତ୍ର ଦେଇ ଜବରଦଖଲ ଉଚ୍ଛେଦ କରିବାକୁ ଦାବିକରିଛନ୍ତି। ପତ୍ରର ନକଲ ମଧ୍ୟ ଜିଲ୍ଲାପାଳ, ବିଧାୟକ,ତହସିଲଦାର,ଆଇଆଇସି, ପୂର୍ତ୍ତବିଭାଗ,ଏନଏସି ନିର୍ଵାହି ଅଧିକାରୀଙ୍କୁ ଦେଇଛନ୍ତି। ଯଦି ଆଗାମୀ ୭ ଦିନ ଭିତରେ କାର୍ଯ୍ୟନୁଷ୍ଠାନ ନହୁଏ ବାଧ୍ୟହୋଇ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବେ ବୋଲି ରାଜେନ୍ଦ୍ର କୁମାର ଜେନା, ଉଦୟଜ୍ୟୋତି ମହାନ୍ତି, ବିବେକ କୁମାର ସାହୁ,ଅମର ବେହେରା,ବିଜୟ ଲେଙ୍କା, କାହ୍ନୁଚରଣ ସ୍ୱାଇଁ ପ୍ରମୁଖ ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.