ନୀଳଗିରି ବିଡିଓ ଏମଏଲଏ ହେବାକୁ ଆସିଛନ୍ତି, ଓଏଏସ ପାସ୍ କରି ଏଠି ରାଜନୀତି କରୁଛନ୍ତି: ଗର୍ଜିଲା ବିଜେପି

Published By : Prameya-News7 Bureau | October 21, 2022 IST

ନୀଳଗିରି: ନୀଳଗିରି ବିଡ଼ିଓ ଏଠାକୁ ଏମଏଲଏ ହେବାକୁ ଆସିଛନ୍ତି। ନୀଳଗିରିରେ ରାଜନୀତି କରୁଛନ୍ତି। ଏଠାରେ ଦଳୀୟ ରାଜନୀତି ଚଲାଇଛନ୍ତି। ବାଚାଳାମୀ କରୁଛନ୍ତି। ଓଏଏସ ପାସ୍ କରି ଆସିଛନ୍ତି କିନ୍ତୁ ଏଠି  ନିର୍ଦ୍ଦିଷ୍ଟ ଦଳ ପକ୍ଷରୁ କାମ କରୁଛନ୍ତି। ଏକଥା କହି ବିଡ଼ିଓଙ୍କ ବିରୋଧରେ ଗର୍ଜିଛି ନୀଳଗିରି ବିଜେପି। ଏଇଟା ଟ୍ରେଲର, ଆଗକୁ ଫିଲ୍ମ ଦେଖିବେ ବିଡିଓ। ସେ ଯଦି ବଦଳିର ଆଦେଶ ରଦ୍ଦ ନକରନ୍ତି ତେବେ ନୀଳଗିରି ଜଳିବ ଏବଂ ଦୋକାନ ବଜାର ସବୁ ବନ୍ଦ କରାଯିବ ବୋଲି ବିଜେପି ଦେଇଛି ରଣ ହୁଙ୍କାର।

ବିଡିଓ ମନମୁଖୀ କାମ ଚଲାଇଛନ୍ତି। ଶାସକ ଦଳକୁ ସୁହାଇବା ପରି କାମ କରୁଥିବା ବିଜେପି ଅଭିଯୋଗ କରିଛି। ନୀଳଗିରି ବିଡ଼ିଓ ରାହୁଲ ମଣ୍ଡଲ ଗତ ୧୩ ତାରିଖରେ ନୀଳଗିରି ବ୍ଲକରେ କିଛି ପିଇଓଙ୍କ ବଦଳି କରିଥିଲେ। କିନ୍ତୁ ଯେଉଁ ପିଇଓଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ତାଙ୍କୁ ବଦଳି କାହିଁକି କରାଯାଇ ନାହିଁ ବୋଲି ବିଜେପି ପ୍ରଶ୍ନ ଉଠାଇଛି। ଶାସକ ଦଳକୁ ସୁହେଇଲା ପରି ବିଡ଼ିଓ ବଦଳି କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି। ଯୋଜନାର ସଫଳ ରୂପାୟନ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି। କେଉଁ ଯୋଜନା କେତେ ଦୂର ଗଲା ଏବଂ ତାର ଲାଭ ଲୋକଙ୍କ ନିକଟରେ ପହଞ୍ଚିଲା କି ନାହିଁ ତାର କୌଣସି ଉତ୍ତର ଦେଇ ପାରୁ ନାହାନ୍ତି ବିଡିଓ।

ବଦଳି ନିର୍ଦ୍ଦେଶକୁ ତୁରନ୍ତ ରଦ୍ଦ କରାଯାଉ ନହେଲେ ଆଗାମୀ ଦିନରେ ନୀଳଗିରି ବନ୍ଦ କରାଯିବ ବୋଲି ଆଜି ନୀଳଗିରି ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ନେତା। ସେଥିପାଇଁ  ଆଜି ନୀଳଗିରି ବ୍ଲକ ପଞ୍ଚାୟତ ସମିତି ବୈଠକକୁ ବର୍ଜନ କରିଛନ୍ତି ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଓ ବିଜେପି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟମାନେ। ଅନ୍ୟପଟେ ସମସ୍ତ ନୀତି ନିୟମରେ ପଂଚାୟତ ସମିତି ବୈଠକ କରାଯାଇଛି ବୋଲି କହିଛନ୍ତି ନୀଳଗିରି ବ୍ଲକ ଚେୟାରମ୍ୟାନ ଶୁଭଲକ୍ଷ୍ମୀ ମାଝୀ। ବିଜେପି କରିଥିବା ଅଭିଯୋଗକୁ ନେଇ  କୌଣସି ଉତ୍ତର ଦେଇନଥିଲେ ବି ବହୁ କଥା କହିଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.