ପ୍ରେରଣାର ରାଣୀ ନୀଲମ ମୋହନ: ୩ ହଜାରରୁ ଆରମ୍ଭ କରିଥିଲେ ବ୍ୟବସାୟ, ଏବେ କୋଟି କୋଟି ଟଙ୍କାର ମାଲିକାଣୀ

Published By : Prameya-News7 Bureau | September 08, 2022 IST

ନୂଆଦିଲ୍ଲୀ ୦୮/୦୯: ନିଲମ୍‌ ମୋହନଙ୍କ କାହାଣୀ କେବଳ ମହିଳାମାନଙ୍କୁ ନୁହେଁ ବରଂ ସେମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରିବ, ଯେଉଁମାନେ ଆର୍ଥିକ ଅଭାବରୁ କିଛି ନୂଆ କରିବାକୁ ସାହସ ଜୁଟାଇପାରୁ ନାହାନ୍ତି । କାରଣ ନିଲମ ମୋହନ ମାତ୍ର ୩୦୦୦ ଟଙ୍କା ନିବେଶ କରି ବ୍ୟବସାୟ ଆରମ୍ଭ କରିଥିଲେ, ଯାହାକୁ ସେ ୧୩୦ କୋଟିରେ ପହଞ୍ଚାଇବାରେ ସମର୍ଥ ହୋଇପାରିଛନ୍ତି । ଅବଶ୍ୟ ତାଙ୍କର ଏହି ଯାତ୍ରା ଆଦୌ ସହଜ ନ ଥିଲା ।

ଏକଦା ତାଙ୍କ କମ୍ପାନୀ ଦେବାଳିଆ ସ୍ଥିତିରେ ପହଞ୍ଚିଥିଲେ ମଧ୍ୟ ସେ ହାର୍‌ ସ୍ୱୀକାର କରି ନଥିଲେ ବରଂ ପୁନଶ୍ଚ ନିଜକୁ ସୁଦୃଢ କରିଥିଲେ । ନିଲମ୍‌ ମୋହନ ବନାରସ୍‌ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶେଷ କରିଥିଲେ । ୨୧ ବର୍ଷ ବୟସରେ ସ୍ନାତକ ତୃତୀୟ ବର୍ଷର ଛାତ୍ରୀ ଥିବା ବେଳେ ହିଁ ସେ ବିବାହ
କରନ୍ତି ଅମିତ ମୋହନଙ୍କୁ । ସେ ଆଇଆଇଟିରୁ ଏମ୍‌ବିଏ ଶେଷ କରିଥିଲେ । ବିବାହ ପରେ ନିଲମ ସ୍ୱାମୀଙ୍କ ସହ ମିଶି ଦିଲ୍ଲୀ ଚାଲିଯାଇଥିଲେ ।

କିନ୍ତୁ ନିଲମ୍‌ଙ୍କ ମନରେ ସବୁବେଳେ ନିଜେ କିଛି କରିବାର ଆକାଂକ୍ଷା ଉଙ୍କି ମାରୁଥିଲା । ତେଣୁ ସେ ନିଜର ଇଚ୍ଛା ପୂରଣ କରିବା ପାଇଁ ୧୭୭୭ରେ ମାତ୍ର ୨୨ ବର୍ଷ ବୟସରେ ‘ଫ୍ୟାଶନ୍‌’ ନାମକ ଏକ କମ୍ପାନୀ ଆରମ୍ଭ କରନ୍ତି । ୧୯୭୮ରେ ପ୍ରଥମଥର ସେ ଗର୍ଭଧାରଣ କରିଥିଲେ । ଆଉ ସେତିକି ବେଳେ ତାଙ୍କୁ ଦୀର୍ଘ ଦିନ ପାଇଁ ଛୁଟି ନେବାକୁ ପଡିଥିଲା ।

ତା’ ପରେ ସେ ଦିଲ୍ଲୀରେ ରହି ଫ୍ରିଲାନ୍‌ସିଂ ଜରିଆରେ ପୁରୁଷମାନଙ୍କ ପାଇଁ ଡ୍ରେସ୍‌ ଡିଜାଇନ୍‌ ଦେବା କାମ ଆରମ୍ଭ କରିଥିଲେ । ୟୁପି ଏକ୍ସପୋର୍ଟ କର୍ପୋରେସନ୍‌ ସହ ମିଶି ସେ କିଛି ଦିନ ପାଇଁ କାମ କରିଥିଲେ । ସେତେବେଳେ ସେ ମାତ୍ର ୩ ହଜାର ଟଙ୍କା ଦରମା ପାଉଥିଲେ । ସେଠାରେ ଚାକିରି କରିବା ସମୟରେ ହିଁ ସେ ନିଜର କାମ ଆରମ୍ଭ କରନ୍ତି । ସେ ନିଜ ସ୍ୱପ୍ନ ସାକାର କରିବା ପାଇଁ ସାଙ୍ଗ ହର୍‌ମିନ୍ଦର ସାଲାଧୀଙ୍କ ସହ ମିଶି କାମ ଆରମ୍ଭ କରିଥିଲେ ।

ପରେ ନିଲମ୍‌ ହରମିନ୍ଦର ଓ ସୁଶୀଲ କୁମାରଙ୍କ ସହ ମିଶି ୧୯୮୩ରେ ‘ଓପେରା ହାଉସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ନାମକ ଏକ କମ୍ପାନୀ ଆରମ୍ଭ କରନ୍ତି । ପ୍ରଥମ ବର୍ଷରୁ ହିଁ କମ୍ପାନୀର ଉଜ୍ଜ୍ୱଳ ଭବିଷ୍ୟତର ନମୁନା ଦେଖିବାକୁ ମିଳିଥିଲା । ପ୍ରଥମ ବର୍ଷରେ କମ୍ପାନୀର ଟର୍ଣ୍ଣଓଭର ୧୫ ଲକ୍ଷରେ ପହଞ୍ଚିଥିଲା । ସେବେଠାରୁ କମ୍ପାନୀ ଦିନକୁ ଦିନ ଆଗେଇ ଚାଲିଛି ।

୧୯୯୧ରେ ନିଲମ୍‌ ସ୍ୱାମୀଙ୍କଠାରୁ ଅଲଗା ହୁଅନ୍ତି । ସେହି ସମୟରେ କମ୍ପାନୀ ପାଟନର୍ରସିପ୍‌ରେ ମଧ୍ୟ ସମସ୍ୟା ଦେଖା ଦିଏ । ଫଳରେ କମ୍ପାନୀ ଛାଡନ୍ତି ନିଲମ୍‌ । ଏହା ସତ୍ତେ୍ୱ ବି ନିଲମ୍‌ଙ୍କ ସାହସ କମି ନଥିଲା । ୧୯୯୩ରେ ପୁଣି ଥରେ ସେ ୪ ଦର୍ଜିଙ୍କୁ ନେଇ ଆରମ୍ଭ କରନ୍ତି ନିଜର କମ୍ପାନୀ, ଯାହାର ନାଁ ରଖିଲେ ‘ମଙ୍ଗେଲିଆ ବ୍ଲସମ୍‌’ ।

ସେ ଏହି କମ୍ପାନୀ ପାଇଁ ଏକ ଘର କିଣିଥିଲେ, ଯାହାକୁ ପରେ ଫ୍ୟାକ୍ଟ୍ରରେ ପରିବର୍ତ୍ତିତ କରିଦିଅନ୍ତି । ସେ ନିଜ କର୍ମଚାରୀଙ୍କ ପାଇଁ ନିଜ କମ୍ପାନୀରେ ରହିବା ଓ ଖାଇବାର ବନ୍ଦୋବସ୍ତ ମଧ୍ୟ କରିଦେଇଥିଲେ । ଏତିକିରେ ତାଙ୍କ ସମସ୍ୟା ସରି ନଥିଲା । ପୁଣି ୨୦୦୨ରେ ତାଙ୍କ କମ୍ପାନୀ ଦେବାଳିଆ ସ୍ଥିତିରେ ପହଞ୍ଚିଥିଲା । ଏହି ସଙ୍କଟରେ ତାଙ୍କ ସାଙ୍ଗ ହିଁ ତାଙ୍କୁ ସହାୟତାର ହାତ ବଢାଇଥିଲେ । ଫଳରେ ଦେବାଳିଆ କମ୍ପାନୀ ପୁଣିଥରେ ଅଣ୍ଟାସଳଖି ଥିଲା ।

ଏହି ସମୟ ଭିତରେ ତାଙ୍କ ପୁଅ ସିର୍ଦ୍ଧାଥ ଆମେରିକାରେ ପଢା ଶେଷ କରି ଦେଶକୁ ଫେରନ୍ତି । ଆଉ ମାଙ୍କ କମ୍ପାନୀରେ ଯୋଗ ଦିଅନ୍ତି । ଶେଷରେ ମା ଓ ପୁଅ ମିଶି କମ୍ପାନୀକୁ ଆଗେଇ ଦିଅନ୍ତି, ଯାହା ଫଳରେ ଆଜି କମ୍ପାନୀର ବ୍ୟବସାୟ ୧୩୦ କୋଟିରେ ପହଞ୍ଚିପାରିଛି । ନିଲମଙ୍କ ସାହସ ଓ ଧୈର୍ଯ୍ୟ ହିଁ ତାଙ୍କୁ ଏତେ ଆଗକୁ ନେଇପାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.