ଗର୍ଭବତୀଙ୍କୁ ଆକ୍ରମଣ ଅଭିଯୋଗ; ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା
29/12/2022 at 10:03 PM

ନୀଳଗିିରି ୨୯/୧୨: ସ୍ୱାମି, ଦେଢ଼ସୁରଙ୍କ ସହ ଜଣେ ଗର୍ଭବତୀ ସ୍ତ୍ରୀଙ୍କୁ ଆକ୍ରମଣ ଅଭିଯୋଗ। ମହିଳା ଜଣକ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଘଟଣା ନୀଳଗିରି ଥାନା ଚତୁରଖୁଣ୍ଟାରେ ଘଟିଥିବା ଜଣାପଡିଛି। ଗାଁ ଲୋକମାନେ ଅମାନୁସିକ ଭାବେ ଜଣେ ଗର୍ଭବତୀ ମହିଳାଙ୍କୁ ଆକ୍ରମଣ କରି ଗୁରୁତର କରିଛନ୍ତି। ଏପରି ନାରକିୟ କାଣ୍ଡ ପୂର୍ବ ଶତୃତାରୁ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ସରପଞ୍ଚ ବିବାଦର ସମାଧାନ ଓ କଳି ଝଗଡ଼ାର ମିମାଂଶା କରିବାକୁ ଆସିଥିବା ବେଳେ ଝଗଡ଼ା ଓଲଟି ଉଗ୍ରରୂପ ନେଇଥିଲା। ଶେଷରେ ଗାଁ ଲୋକମାନେ ଉତ୍ୟକ୍ତ ହୋଇ ଗର୍ଭବତି ମହିଳାଙ୍କ ସହିତ ତାଙ୍କ ସ୍ୱାମି ଓ ଦେଢ଼ଶୁରଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଖବର ଅନୁସାରେ, କେପିଲାଖରାଜ ପଞ୍ଚାୟତ ଅଧୀନ ଚତୁରଖୁଣ୍ଟା ଗାଁର ସମ୍ଭୁ ସିଂଙ୍କ ଘରକୁ ଗତକାଲି ବା ବୁଧବାର ପର୍ବ ପାଇଁ ନକୁଳ ସିଂଙ୍କ ସହିତ ତାଙ୍କ ପରିବାର ଲୋକେ ଆସିଥିଲେ। ସେଠାରେ ନକୂଳ ସହିତ ଅନ୍ୟ ଗାଁ ଲୋକମାନେ ମଦ ପିଇ ନିଶାଶକ୍ତ ଅବସ୍ଥାରେ ଥିଲେ। ପରେ ବଚସା ହେବାରୁ ନକୂଳ ସିଂକୁ ସାନଭାଇ ଯୁଧିଷ୍ଠିର ଘରକୁ ଆଣିବାକୁ ଯାଇଥିଲେ। ସେଠାରେ ପାଟିତୁଣ୍ଡ ସହିତ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ଗୁରୁବାର ସକାଳେ ଏହି ଘଟଣାରେ ସ୍ଥାନୀୟ ସରପଞ୍ଚ ଆସି ଆଲୋଚନା କରିଥିଲେ। କିନ୍ତୁ କିଛି ସୁଫଳ ମିଳିନଥିଲା। ବରଂ ଓଲଟି ପାଟିତୁଣ୍ଡ ଓ ଝଗଡ଼ାଝାଣ୍ଟି ଆରମ୍ଭ ହୋଇଥିଲା। ସେହି ଗାଁର ଫାଦୁଆ ସିଂ, ରାଜୁ ସିଂ, କୁଞ୍ଜ ସିଂ, ଶନିଆ ସିଂ, ନୁକୂଳ ଓ ଯୁଧିଷ୍ଠିରଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଛି।
ସ୍ୱାମୀଙ୍କୁ ମାଡ଼ ହେବା ବେଳେ ପ୍ରତିବାଦ କରିବାରୁ ଯୁଧିଷ୍ଠିରଙ୍କ ସ୍ତ୍ରୀ ସଂଯୁକ୍ତା ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ। ସେ ୭ ମାସର ଗର୍ଭବତୀ ଥିବାରୁ ଆକ୍ରମଣରେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ପରେ ସେ ନ୍ୟାୟପାଇଁ ନୀଳଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ନୀଳଗିରି ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ତିନିଜଣଙ୍କୁ ଅଟକ ରଖିଛି। ତେବେ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି।