ନୀଳଗିରି ୧୦/୦୧: ସାମାନ୍ୟ କଥାରୁ ଲଙ୍କାକାଣ୍ଡ। ଛେଳି ଗଛ ଖାଇଯିବା ରାଗରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ। ସମ୍ପୃକ୍ତ ମହିଳା ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏପରି ଅପରାଧିକ କାଣ୍ଡ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧୀନ ସିଆଡିମାଳ ଗାଁରେ ହୋଇଛି। ଅଭିଯୁକ୍ତର ପରିଚୟ କାଳିଆ ମଲ୍ଲିକ। ପୂର୍ବ ଶତୃତାକୁ କେନ୍ଦ୍ର କରି କାଳିଆ ଏପରି ନାରକୀୟ କାଣ୍ଡ ଭିଆଇଛି।
ଖବର ଅନୁସାରେ, ଶିଆଡିମାଳ ଗାଁର ଶତ୍ରୁଘ୍ନ ମଲ୍ଲିକଙ୍କ ବାଡ଼ିରେ ତାଙ୍କ ଦାଦା କାଳିଆ ମଲ୍ଲିକଙ୍କ ଛେଳି ପଶି ବାଇଗଣ ଗଛ ଖାଇଥିଲା। ଏଥିରେ ସମ୍ପୃକ୍ତ ମହିଳା (ଶୁଭଲକ୍ଷ୍ମୀ) ପ୍ରତିବାଦ କରିବାରୁ କାଳିଆ ତାଙ୍କୁ ଗାଳିଗୁଲଜ କରିଥିଲେ। ପରେ ଏହା ଉଗ୍ରରୂପ ଧାରଣ କରିଥିଲା।
ଶେଷରେ ଉତ୍ୟକ୍ତ ହୋଇ କାଳିଆ ତାଙ୍କ ସ୍ତ୍ରୀ ଓ ଝିଅ ସହ ମିଶି ଶୁଭଲକ୍ଷ୍ମୀଙ୍କୁ ମାଡ଼ ମାରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଶୁଭଲକ୍ଷ୍ମୀ ଆହତ ହୋଇଥିଲେ। ପରେ ତୁରନ୍ତ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ନୀଳଗିରି ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେପଟେ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।