ମାଲବୁହା ଗାଡ଼ିରେ ବସ୍ତା ଭଳି ଭର୍ତ୍ତିହୋଇ ଯାଉଛନ୍ତି ଶ୍ରମିକ, ନୀଳଗିରି ପୋଲିସର ଚଢ଼ାଉ
30/11/2022 at 10:38 PM

ନୀଳଗିରି,୩୦/୧୧: ବେପୁରୁଆ ଓ ଖାମଖିଆଲ ଭାବରେ ମାଲ ପରିବହନ ପରି ବୁହା ହେଉଛନ୍ତି ଶ୍ରମିକ । ଜଣେ ନୁହେଁ କି ଦୁଇ ଜଣ ନୁହଁ କେଉଁ ଗାଡ଼ିରେ ୫୦ ଜଣ ତ ଆଉ କେଉଁଟିରେ ୭୦ଜଣଙ୍କୁ ନେଇ ଯାଉଛନ୍ତି ଅଟୋ ଓ ପିକଅପ ଭ୍ୟାନ। ଆରଟିଓ ନିୟମକୁ ଖୁଲମଖୋଲା ବେଖାତିର କରି ଏଭଳି କରୁଥିବା ବେଳେ ଆଜି ନୀଳଗିରି ପୋଲିସ ଆକ୍ସନମୋଡ଼କୁ ଆସିଛି ।
ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦୈନନ୍ଦିନ ଶ୍ରମିକମାନେ ପିକଅପ ଭ୍ୟାନ, ଟାଟାଏସିଇ ଗାଡ଼ି ଓ ଓଟୋରେ ଅତି ବିପଦଜନକ ଭାବେ ଯାତ୍ରା କରୁଛନ୍ତି।ଆଜି ୫୦ ରୁ ଅଧିକ ଶ୍ରମିକ ନେଇ ଯାଉଥିବା ଟାଟା ଗାଡିର ଆଗ ଚକା ଫାଟିଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇ ନଇଯୋଡିକୁ ଚାଲିଯାଇଥିଲା ଗାଡ଼ି । କିନ୍ତୁ ଅଳ୍ପକେ ଶ୍ରମିକମାନେ ବର୍ତ୍ତି ଯାଇଥିବା ଜଣାପଡିଛି। ଏଭଳି ପରିବହନକୁ ନା ଆରଟିଓ କିମ୍ବା ପୋଲିସ ପ୍ରଶାସନ ଦୃଷ୍ଟି ଦେଉନଥିବା ବେଳେ କଟକଣା ନଥିବାରୁ କେତେବେଳେ ଯେ କୌଣସି ଅଘଟଣ ନଘଟିବ ତାହା ଏଡାଇ ଦିଆଯାଇନପାରେ।
ନୀଳଗିରି ପୋଲିସ ଏହି ଦୁର୍ଘଟଣା ପରେ ଆକ୍ସନମୋଡ଼କୁ ଆସିଛି। ନୀଳଗିରି ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କ ନିର୍ଦ୍ଦେଶରେ ଏଏସଆଇ ଅନନ୍ତ ମୁର୍ମୁ ଓ ଏଏସଆଇ ଉତ୍ତମ କୁମାର ସିଂଙ୍କ ନେତୃତ୍ୱରେ ଏକ ଟିମ ଅଚାନକ ଚଢ଼ାଉ କରିଥିଲେ । ୪ଟି ଗାଡ଼ିରେ ବେଆଇନ ଭାବେ ଶ୍ରମିକ ଯାଉଥିବା ବେଳେ ଗାଡି ଗୁଡିକ ଜବତ କରି କାଗଜପତ୍ର ଯାଞ୍ଚ କରାଯାଇଛି । ପୃଥକଭାବେ ୪ଟି ମାମଲା ରୁଜୁ ହୋଇଥିବା ବେଳେ ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ଆଇଆଇସି ଶ୍ରୀ କର୍ଣ୍ଣ ସୂଚନା ଦେଇଛନ୍ତି।