୩୨୫ ବର୍ଷ ପରେ ଦୋହଲିଲା ନୀଳଚକ୍ର, ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ ମନେ ପକାଇଦେଲା ୧୬୯୪ ମସିହା ବାତ୍ୟା କଥା

Published By : Prameya-News7 Bureau | May 17, 2019 IST

ପୁରୀ ୧୭|୫: ୩୨୫ ବର୍ଷ ପରେ ଦୋହଲିଲା ନୀଳଚକ୍ର । ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ ୧୬୯୪ ମସିହା ଦିବ୍ୟସିଂହ ଦେବଙ୍କ ଶାସନ କାଳର ବାତ୍ୟା କଥା ମନେ ପକାଇ ଦେଇଛି । ସେତେବେଳେ ବାତ୍ୟା ଶ୍ରୀମନ୍ଦିରକୁ ଦୋହଲାଇ ଦେଇଥିଲା । ନୀଳଚକ୍ରକୁ ବଙ୍କେଇ ଦେଇଥିଲା । ଭଅଣ୍ଡ ଘର କଳସ ଭାଙ୍ଗିବା ସହ ପାର୍ଶ୍ବ ଦେବାଦେବୀ ମନ୍ଦିରରେ ମଧ୍ୟ ଅନେକ କ୍ଷୟକ୍ଷତି କରିଥିଲା । ସେହି ବର୍ଷ ଭୟଙ୍କର ବାତ୍ୟାରେ ନୀଳଚକ୍ର ଗଳି ପଡ଼ିଥିଲା । ଅନେକ ଦେଉଳରୁ ଚକ୍ର ଖସାଇ ଦେଇଥିଲା । 

ସେତେବେଳେ ଅବଶ୍ୟ ବାତ୍ୟାର ନାମକରଣ ହୋଇନଥିଲା। କିନ୍ତୁ ବାତ୍ୟା ଯେ ନୀଳଚକ୍ରକୁ ଭାଙ୍ଗି ତଳକୁ ପକାଇ ଦେଇଥିଲା ତାର ପ୍ରମାଣ ମାଦଳା ପାଞ୍ଜିରେ ରହିଛି । ଦିନ ବାର, ତିଥି ଓ ତାରିଖ ସହ କି କି କ୍ଷତି ହୋଇଥିଲା ଏବଂ କିଏ ରାଜା ଥିଲେ ତାହା ବି ସ୍ପଷ୍ଟ ଭାବେ ଲେଖା ରହିଛି ।

ଗବେଷକ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାରଙ୍କ ଅନୁଯାୟୀ, ୧୬୯୪ ମସିହା ଅକ୍ଟୋବର ମାସ ୬ ତାରିଖ ଥିଲା କାର୍ତ୍ତିକ କୃଷ୍ଣପକ୍ଷ ଏକାଦଶୀ ତିଥି, ଶନିବାର । ରାଜା ଥାଆନ୍ତି ଦିବ୍ୟସିଂହ ଦେବ । ଆସିଲା ଭୟଙ୍କର ବାତ୍ୟା । ବଡ଼ ଦେଉଳରୁ ନୀଳଚକ୍ର ଖସି ଭଣ୍ଡ ଗଣେଶ ଦେଉଳ ତଳେ ପଡ଼ିଲା । ଅନେକ ମନ୍ଦିରର ଚକ୍ର ଭାଙ୍ଗି ତଳେ ପକାଇ ଦେଲା । ମନ୍ଦିର ଚୂଡ଼ାରୁ ଗାଙ୍ଗୁଲା ଖସାଇ ଦେଲା । ବିନାଶକାରୀ ଏହି ବାତ୍ୟାରେ ବହୁ ଘରଦ୍ବାର ଭାଙ୍ଗିଯିବା ସହ ଲୋକ, ଗାଈ ମଇଁଷି, ପଶୁପକ୍ଷୀ ବି ମରିଗଲେ ।

ବାତ୍ୟା ଥିଲା ବଡ଼ ଭୟଙ୍କର । ସେହି ବାତ୍ୟାରେ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ଦୋହଲି ଯାଇଥିଲା । ଏବେ ୨୦୧୯ ମେ ୩ ତାରିଖରେ ଆସିଲା ବାତ୍ୟା ‘ଫୋନି’। ରାଜା ଅଛନ୍ତି ଦିବ୍ୟସିଂହ ଦେବ । ବାତ୍ୟା ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରକୁ ଦୋହଲାଇ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.