ମରାଠୀ ଫିଲ୍ମରେ ଡେବ୍ୟୁ କରିବେ ନିକିତା, ‘ଘରତ୍‌ ଗଣପତି’ରେ ଆସିବେ ନଜର

Published By : Prameya-News7 Bureau | November 11, 2022 IST

ମୁମ୍ଵାଇ ୧୧।୧୧: ‘କବିର ସିଂହ’ ଓ ସୁପର୍‌ନ୍ୟାଚୁରାଲ୍‌ ହରର୍‌ ଫିଲ୍ମ  ‘ଡାଇବୁକ୍‌’ରେ ସୁନ୍ଦର ଅଭିନୟ ଜରିଆରେ ଦର୍ଶକଙ୍କ  ମନ ଜିଣିଥିଲେ ନିକିତା ଦତ୍ତ । ଏବେ ସେ ମରାଠୀ  ସିନେମା ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି । ଫିଲ୍ମ ‘ଘରତ୍‌ ଗଣପତି’ରେ  ଆସିବେ ନଜର । ଆସନ୍ତା ଡିସେମ୍ବରରେ ଫିଲ୍ମ  ସୁଟିଂ ଆରମ୍ଭ ହେବ । ଫିଲ୍ମମେକର୍‌  ଏହାର ଟାଇଟଲ୍‌ ଜାରି କରିବା ସହିତ  ଫିଲ୍ମ ଲୋଗୋର ଏକ ଭିଡିଓ ମଧ୍ୟ  ସେୟାର କରିଛନ୍ତି । ନବଜୋତ  ବାନ୍ଦିୱାଡେକରଙ୍କ ନିର୍ଦ୍ଦେଶିତ ଏହି  ଫିଲ୍ମ ଗଣେଶ ଚତୁର୍ଥୀ ପର୍ବ ଉପରେ  ପର୍ଯ୍ୟବସିତ।

ଏ ବିଷୟରେ ନିକିତା କହିଛନ୍ତି  ‘ଆଞ୍ଚଳିକ ସିନେମାରେ ପ୍ରବେଶ  କରିବାକୁ ମୁଁ ସର୍ବଦା ଚାହିଁଛି। ସେ  ଦୃଷ୍ଟିରୁ ‘ଘରତ୍‌ ଗଣପତି’ ମୋ  ହିସାବରେ ଶ୍ରେଷ୍ଠ ଫିଲ୍ମ। ଫିଲ୍ମର  ଏକାଧିକ ଭାବନା ରହିଛି, ଯାହା  ମୋତେ ମୋର ଦକ୍ଷତା ପ୍ରଦର୍ଶନରେ  ସାହାଯ୍ୟ କରିବ । ଦର୍ଶକ ଫିଲ୍ମଟିକୁ  ଖୁବ୍‌ ପସନ୍ଦ କରିବେ ବୋଲି ମୁଁ  ନିଶ୍ଚିତ । ମଲ୍ଟି-ଷ୍ଟାରର୍‌ ଏହି ଫିଲ୍ମରେ ଭୂଷଣ ପ୍ରଧାନ,  ଆଶିଷ ପାଥୋଡଙ୍କ ଭଳି ଜଣାଶୁଣା ମରାଠୀ କଳାକାର  ଅଭିନୟ କରିଛନ୍ତି । ଦୀର୍ଘ ବର୍ଷର କଠିନ ପରିଶ୍ରମ ପରେ  ଫିଲ୍ମ ଘୋଷଣା କରିଥିବା ବାନ୍ଦିୱାଡେକର କହିଛନ୍ତି, ଏହାର  କାହାଣୀ ଦର୍ଶକଙ୍କୁ ପସନ୍ଦ ଆସିବ ।

ଏହାର ଅଧିକାଂଶ  ଭାଗକୁ ଲୋକେ ବାସ୍ତବ ଜୀବନ ସହ ମିଳାଇ ପାରିବେ। ଏକାଧିକ ବଲିଉଡ୍‌ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ  ନିକିତା ନଜର ଆସିଛନ୍ତି । ‘ଲେକର୍‌ ହମ୍‌ ଦିୱାନା  ଦିଲ୍‌’, ‘ଲଷ୍ଟ୍‌ ଷ୍ଟୋରିଜ୍‌’, ‘ଗୋଲ୍ଡ’, ‘ମସ୍‌କା’ ଓ ‘ଦ  ବିଗ୍‌ ବୁଲ୍‌’ ଭଳି ଫିଲ୍ମ ସମେତ ‘ଡ୍ରିମ୍‌ ଗର୍ଲ-ଏକ୍‌  ଲଡ୍‌କି ଦିୱାନୀ ସି’, ‘ଏକ୍‌ ଦୁଜେ କେ ୱାସ୍‌ତେ’,  ‘ହାସିଲ୍‌’ ଭଳି ଧାରାବାହିକରେ ମଧ୍ୟ ସେ  କାମ କରିଛନ୍ତି । ସେତିକି ନୁହେଁ, ‘ସୁନ୍‌ ରେ  ସଜ୍‌ନା’, ‘ଗୁନ୍‌ଗୁନାତି ରେହ୍‌ତି ହୁଁ’ ଓ ‘ମସ୍ତ  ନଜ୍‌ରୋଁ ସେ’ ଭଳି ମ୍ୟୁଜିକ୍‌ ଭିଡିଓରେ ମଧ୍ୟ  ସେ ଦର୍ଶକଙ୍କ ମନ କିଣିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.