ତିନି ଦିନ ପରେ ବି ମିଳୁନି ନିଖୋଜ ଯନ୍ତ୍ରୀଙ୍କ ପତ୍ତା : ଡଙ୍ଗା ବୁଡିବା କାରଣରୁ ନଦୀରେ ଭାସିଯାଇଥିଲେ...

Published By : Prameya-News7 Bureau | September 11, 2022 IST

କାଲିମେଳା, ୧୧|୦୯: ମିଳୁନି ନିଖୋଜ ଯନ୍ତ୍ରୀଙ୍କ ପତ୍ତା । ମାଲକାନଗିରି ଜିଲ୍ଲାର ପଡିଆ ବ୍ଳକ ଅନ୍ତର୍ଗତ ସେମିଳିବାଞ୍ଚା ଗ୍ରାମ ପଞ୍ଚାୟତ ଅଧୀନ ପୁଟମପାଲୀ ଡଙ୍ଗା ବୁଡିଯିବା ଘଟଣା ଆଜିକୁ ତିନି ଦିନ ବିତିଗଲାଣି । ତଥାପି ନିଖୋଜ ଯନ୍ତ୍ରୀ କୈଳାସ ପ୍ରସାଦ ସାହୁଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ। ଅନ୍ୟ ପଟେ କାଲିମେଳା ଓ ପଡ଼ିଆ ଦମକଳ ବାହିନୀ ନଦୀରେ ଭାସିଯାଇଥିବା ନିଖୋଜ ଯନ୍ତ୍ରୀକୁ ଉଦ୍ଧାର କରିବା ପ୍ରୟାସ ଜାରି ରଖିଛନ୍ତି।

ସୂଚନାନୁସାରେ, ଶୁକ୍ରବାର ଅପରାହ୍ନ  ପାଞ୍ଚଟା ବେଳେ  ନଦୀ କୂଳରେ ଚାଲିଥିବା ଠିକା ବ୍ରିଜ କାମ ସାରି ନ‌ଅ ଜଣ ଶ୍ରମିକଙ୍କ ସହ ଯନ୍ତ୍ରୀ କୈଳାସ ପ୍ରସାଦ ସାହୁ ଡଙ୍ଗାରେ ଅନ୍ୟ କୂଳକୁ ଯାଉଥିଲେ ।  ତେବେ ହଠାତ୍ ମଝି ନଦୀରେ ଡ଼ଙ୍ଗାର ଫ୍ୟାନ ବନ୍ଦ ହୋଇଯାଇଥିଲା । ଫଳରେ ଡଙ୍ଗାଟି ତଳକୁ ଭାସି ଯାଇ ନଦୀ ଭିତରେ ଥିବା ଗୋଟିଏ ପଥରରେ ପିଟି ହୋଇ ଓଲଟି ପଡିଥିଲା। ଘଟଣାସ୍ଥଳରୁ ଛ‌ଅ ଜଣ ପହଁରି ପହଁରି ଆସି କୂଳରେ ପହଞ୍ଚି ଥିଲେ । ହେଲେ ଆଉ ପାଞ୍ଚ ଜଣ ଭାସିଯାଇ ନଦୀ ଭିତରେ ଥିବା ପଥର ଉପରେ ରହିଥିଲେ । କିନ୍ତୁ  ଯନ୍ତ୍ରୀ ନିଖୋଜ ହୋଇଯାଇଥିଲେ ।

ସେ ପାଣିରେ ଭାସି ଯାଇଥିବା ବେଳେ ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ। ଏପରିକି ଡଙ୍ଗା ବୁଡିବା ଫଳରେ ଲୋକଙ୍କର ତିନିଟି ମଟରସାଇକେଲ, ମୋବାଇଲ ଫୋନ, ଟଙ୍କାପ‌ଇସା ପାଣିରେ ଭାସିଯାଇଛି। ବର୍ତ୍ତମାନ ଦମକଳବାହିନୀ ଉଦ୍ଧାର କାମ ଜାରି ରଖିଥିବା ବେଳେ ନିଖୋଝ ଯନ୍ତ୍ରୀଙ୍କ ଘର ମଧ୍ୟପ୍ରଦେଶ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.