ଦିଲ୍ଲୀରେ ଜିମ, ନାଇଟ କ୍ଲବ, ସ୍ପା ସେଣ୍ଟର ବନ୍ଦ : ରାସ୍ତାରେ ୱାସ ବେସିନ ବ୍ୟବସ୍ଥା କରିବେ କେଜ୍ରିୱାଲ

Published By : Prameya-News7 Bureau | March 16, 2020 IST

ନୂଆଦିଲ୍ଲୀ ୧୬/୦୩ : କରୋନା ଭାଇରସର ବିପଦ ଟାଳିବା ପାଇଁ ଦିଲ୍ଲୀ ସରକାର ଟାସ୍କ ଫୋର୍ସ ବୈଠକ କରିଥିଲେ | ଜିମ, ନାଇଟ କ୍ଲବ ଏବଂ ସ୍ପା ସେଣ୍ଟରଗୁଡିକ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଛି | ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ୫୦ରୁ ଅଧିକ ଭିଡ ସ୍ଥାନକୁ ସରକାର ଅନୁମତି ଦେଉନାହାନ୍ତି | ୫୦ରୁ ଅଧିକ ଲୋକ ଥିବା ଭିଡ ସ୍ଥାନକୁ ଯିବା ପାଇଁ ଏବଂ ୫୦ ରୁ ଅଧିକ ଲୋକଙ୍କୁ ନେଇ କୌଣସି ଫଙ୍କସନ କରିବା ପାଇଁ ଅନୁମତି ଦେଇନାହାନ୍ତି | ବିବାହ କାର୍ଯ୍ୟକ୍ରମ ମଧ୍ୟ ସ୍ଥଗିତ ରଖିବା ପାଇଁ ସରକାର ଅପିଲ କରିଛନ୍ତି | ଅତ୍ୟନ୍ତ ଆବଶ୍ୟକସ୍ଥଳେ ବିବାହ କରନ୍ତୁ ଅଥବା ବିବାହ ତାରିଖ ଘୁଞ୍ଚାଇ ଦେବାକୁ ସରକାର ଜନତାଙ୍କୁ ଅପିଲ କରିଛନ୍ତି |

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀରେ ବର୍ତ୍ତମାନ କରୋନାର ୭ଟି ମାମଲା ସାମ୍ନାକୁ ଆସିଛି | ଏମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି | ଏମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି | ଅନ୍ୟ ୪ଜଣଙ୍କ ଚିକିତ୍ସା ଜାରି ରହିଛି ଏବଂ ଖୁବ ଶୀଘ୍ର ସେମାନେ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଯିବେ ବୋଲି ସେ କହିଛନ୍ତି | ରୋଗୀଙ୍କୁ ଯେଉଁଠି ଆଇସୋଲେଟ କରିବା ଉଚିତ ସେସବୁ କରାଯାଉଛି ଏବଂ ଯେଉଁମାନଙ୍କୁ ଘରେ ଆଇସୋଲେସନରେ ରଖାଯାଇଛି ସେମାନଙ୍କ ଉପରେ ନଜର ରଖାଯାଉଛି ବୋଲି ସେ କହିଛନ୍ତି |

ଏହାଛଡା କରୋନାରୁ ରକ୍ଷା ପାଇବା ପାଇଁ ପୁରା ସହରରେ ହାତ ଧୋଇବା ପାଇଁ ଡିସ୍ପେନସିଙ୍ଗ ମେସିନ ଲଗାଯିବ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି | ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଏସଡ଼ିଏମ ନିଜ ନିଜ ଅଞ୍ଚଳରେ ୧୦୦ଟି ଡିସ୍ପେନସିଙ୍ଗ ମେସିନ ଲଗାଇବେ | ନଗର ନିଗମର ଡେପୁଟି କମିଶନର ନିଜ ନିଜ ଅଞ୍ଚଳରେ ୩୦୦ଟି ଡିସ୍ପେନସିଙ୍ଗ ମେସିନ ଲଗାଇବେ | ବସ ଡିପୋ, ବସ ଷ୍ଟାଣ୍ଡ, ଅଟୋ ଷ୍ଟାଣ୍ଡ ଏବଂ ଅନ୍ୟାନ୍ୟ ଭିଡ ସ୍ଥାନମାନଙ୍କରେ ହାତ ଧୋଇବା ପାଇଁ ଡିସ୍ପେନସର ଲଗାଯିବ ବୋଲି ଘୋଷଣା କରିଛନ୍ତି କେଜ୍ରିୱାଲ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.