କୁକୁଡ଼ା ଫାର୍ମରେ ଜଗୁଆଳିଙ୍କୁ ହାତୁଡ଼ିରେ ପିଟି ହତ୍ୟା; ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିିମ୍
5/01/2023 at 5:06 PM

ବଲୀଙ୍ଗୀର ୦୫/୦୧: ଅଧରେ ଅଭିଯୁକ୍ତର ନାରକିୟ କାଣ୍ଡ। କୁକୁଡ଼ା ଫାର୍ମରେ ପଶି ଝଗଡ଼ କରିବା ସହିତ ହାତୁଡ଼ିରେ ପିଟି ଜଣଙ୍କୁ ହତ୍ୟା। ଏପରି ଅପରାଧିକ କାଣ୍ଡ ବଲାଙ୍ଗୀର ପୁଇଁନ୍ତଳା ଥାନା ଅଇଂଲାଚୁଆଁ ଗାଁରେ ସାମ୍ନାକୁ ଆସିଛି। ଏହି କାଣ୍ଡ ଭିଆଇବା ପରେ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଛି। ଅଇଂଲାଚୁଆଁ ଗାଁରେ ଥିବା ଲକ୍ଷ୍ମୀକାନ୍ତ ରାଉତଙ୍କର ଗୋଟିଏ କୁକୁଡ଼ା ଫାର୍ମ ରହିଛି। ସେଠାରେ ଜଗୁଆଳି ଭାବେ କାମ କରୁଥିବା ରାତୁ ଭୁଏଙ୍କୁ ହତ୍ୟା କରାଯାଇଛି।
ଖବର ଅନୁସାରେ, ଗତକାଲି ବା ବୁଧବାର ରାତିରେ ଦୁର୍ବୃତ୍ତମାନେ କୁକୁଡ଼ା ଫାର୍ମରେ ପଶିଥିଲେ। ଏହାକୁ ସମ୍ପୃକ୍ତ ଜଗୁଆଳି ଜଣଙ୍କ ବିରୋଧ କରିଥିବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉତ୍ୟକ୍ତ ହୋଇ ଅଭିଯୁକ୍ତ ମୃତକଙ୍କ ମୁଣ୍ଡକୁ ହାତୁଡ଼ିରେ ମାରି ହତ୍ୟା କରିଛନ୍ତି। ସେମାନେ ଗୋଟିଏ ବାଇକରେ ୩ଜଣ ଦୁର୍ବୃତ୍ତ ଆସିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ ଓ ଅନ୍ୟ ଜଗୁଆଳିମନେ କହିଛନ୍ତି।
ଅନ୍ୟ ଜଗୁଆଳି ଦୂରରେ ଶୋଇଥିବା ବେଳେ ସବୁ କଥାବାର୍ତ୍ତା ଶୁଣୁଥିଲେ। ପରେ ଭୟରେ ସେଠାରୁ ସେ ପଳାଇଥିଲେ ବୋଲି କହିଛନ୍ତ। ତେବେ ଆଜି ଘଟଣା ସ୍ଥଳରେ ବଲାଙ୍ଗୀର ପୂଇଁନ୍ତୁଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହାସହ ସାଇଣ୍ଟିଫିକ ଟିମ୍ ଦ୍ୱାରା ଯାଞ୍ଚ କରାଯାଇଛି। ସେପଟେ ମୃତକଙ୍କ ପରିବାର ହତ୍ୟାକାରୀକୁ ଧରି ଦଣ୍ଡଦେବାକୁ ଦାବି କରିଛନ୍ତି। ଏନେଇ ତଦନ୍ତ କରାଯାଉଛି ବୋଲି ଏସଡିପିଓ କହିଛନ୍ତି।