ଦିନକରେ ନିବେଶକ ହରାଇଲେ ୬୯,୦୦୦ କୋଟି ଟଙ୍କା, ‘ଆଦାନୀ ଇଫେକ୍ଟ’ ଯୋଗୁ ଲାଲ ସଂକେତରେ ବନ୍ଦ ହେଲା Nifty
2/02/2023 at 7:14 PM

ନୂଆଦିଲ୍ଲୀ ୨।୨: ଭାରତୀୟ ସେୟାର ବଜାର ୨ ଫେବୃଆରୀ ଗୁରୁବାର ମିଶ୍ରିତ ସଂକେତ ସହିତ ବନ୍ଦ ହୋଇଛି। ସେନସେକ୍ସ ୨୨୪ ପଏଣ୍ଟରୁ ଅଧିକ ଉପରକୁ ଉଠି ବନ୍ଦ ହୋଇଥିବା ବେଳେ ନିଫ୍ଟି ଦିନ ତମାମ ଲାଲ ସଂକେତ ଅର୍ଥାତ କ୍ଷତିରେ କାରବାର କରୁଥିବା ବେଳେ ୬ ପଏଣ୍ଟ ତଳକୁ ଖସି ବନ୍ଦ ହୋଇଛି। ବଜାର ବିଶେଷଜ୍ଞଙ୍କ ଅନୁସାରେ ନିଫ୍ଟି-୫୦ରେ ଆଦାନୀ ଗ୍ରୁପର ଦୁଇଟି ସେୟାର ମଧ୍ୟ ରହିଛି। ଏହି ସେୟାର ଦୁଇଟିର କିଣାବିକାରେ ନିଫ୍ଟି ସୂଚକାଙ୍କରେ ହ୍ରାସ ଦେଖାଯାଇଛି।
ନିଫ୍ଟିରେ କେତେକ ବ୍ୟାଙ୍କଙ୍କ ପ୍ରଦର୍ଶନ ବେଶ୍ ଭଲ ରହିଛି। ତେବେ ଏହି ବ୍ୟାଙ୍କମାନଙ୍କ ସେୟାର ଆଦାନୀ ଗ୍ରୁପରେ ଏକ୍ସପୋଜର ଯୋଗୁ ଚାପରେ ପଡିଥିଲା। ସେହିପରି ସେକ୍ଟୋରିଆଲ ଇଣ୍ଡେକ୍ସ ଚର୍ଚ୍ଚାରେ ପାୱାର ଓ ୟୁଟିଲିଟିଜ୍ ସେୟାର ଇଣ୍ଡେକ୍ସରେ ୩ ପ୍ରତିଶତରୁ ଅଧିକ ହ୍ରାସ ସହ ବନ୍ଦ ହୋଇଛି। ସେହିପରି ଅଏଲ ଓ ଗ୍ୟାସ୍ ସେୟାର ଇଣ୍ଡେକ୍ସ ୨ ପ୍ରତିଶତରୁ ଅଧିକ ହ୍ରାସରେ ବନ୍ଦ ହୋଇଛି। ଏହି ସବୁ କାରଣ ଯୋଗୁ ଗୁରୁବାର ସେୟାର ବଜାରରେ ନିବେଶକଙ୍କର ପାଖାପାଖି ୬୯ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି।

ତେବେ କାରବାର ଶେଷରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ୨୨୪.୧୬ ପଏଣ୍ଟ ଅଭିବୃଦ୍ଧି ସହ ୦.୩୮ ପ୍ରତିଶତ ବଢି ୫୯,୯୩୨.୨୪ ପଏଣ୍ଟରେ ବନ୍ଦ ହୋଇଛି। ତେବେ ଏହି ସମୟରେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ)ଙ୍କ ନିଫ୍ଟି ୫.୯୦ ଅର୍ଥାତ ୦.୦୩୩ ପ୍ରତିଶତ ହ୍ରାସ ହୋଇ ୧୭,୬୧୦.୪୦ ସ୍ତରରେ ବନ୍ଦ ହୋଇଛି। ତେବେ ବଜାରରେ ନିବେଶକଙ୍କ ୬୦ ହଜାର କୋଟି ଟଙ୍କା ବୁଡିଯିବା ଯୋଗୁ ବିଏସଇରେ ସୂଚୀଭୁକ୍ତ କମ୍ପାନୀଙ୍କ ମୋଟ ବଜାର ପୁଞ୍ଜିକରଣ ୨ ଫେବୃଆରୀରେ ହ୍ରାସ ହୋଇ ୨୬୫.୮୪ ଲକ୍ଷ କୋଟି ଟଙ୍କାକୁ ହ୍ରାସ ହୋଇଛି।
ସେନସେକ୍ସରେ ଗୁରୁବାର ୩୦ ସେୟାରରୁ ୧୭ ସେୟାର ବୃଦ୍ଧି ସହ ବନ୍ଦ ହୋଇଥିବା ବେଳେ ଏଥିରେ ଆଇଟିସି ସେୟାରରେ ସର୍ବାଧିକ ୪.୭୨ ପ୍ରତିଶତ ବୃଦ୍ଧି ଦେଖାଯାଇଛି। ଏହା ପଛକୁ ଇଣ୍ଡସଇଣ୍ଡ ବ୍ୟାଙ୍କ, ହିନ୍ଦୁସ୍ତାନ ୟୁନିଲିଭର, ଇଂଫୋସିସ୍ ଓ ୱିପ୍ରୋ ସେୟାରରେ ସବୁଠୁ ବେଶି ବୃଦ୍ଧି ଦେଖାଯାଇଛି। ଏଣୁ କାରବାର ଶେଷ ବେଳକୁ ଏହି ସବୁ ସେୟାର ୧.୭୯ ପ୍ରତିଶତରୁ ୨.୭୮ ପ୍ରତିଶତ ବୃଦ୍ଧି ସହ ବନ୍ଦ ହୋଇଛନ୍ତି।