ନିକୋସ୍ ଖ୍ରୀଷ୍ଟୋଡୋଲିଡିସ୍ ସାଇପ୍ରସର ପରବର୍ତ୍ତୀ ରାଷ୍ଟ୍ରପତି, ପୂର୍ବରୁ ସମ୍ଭାଳିଥିଲେ ବିଦେଶ ମନ୍ତ୍ରାଳୟ

Published By : Prameya-News7 Bureau | February 13, 2023 IST

ନୂଆଦିଲ୍ଲୀ: ସାଇପ୍ରସର ପୂର୍ବତନ ବିଦେଶ ମନ୍ତ୍ରୀ ନିକୋସ୍ ଖ୍ରୀଷ୍ଟୋଡୋଲିଡିସ୍ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ନିଜର ପ୍ରତିଦ୍ୱନ୍ଦ୍ୱୀ ଆଣ୍ଡ୍ରିୟାସ ମାଭରୋୟନିସଙ୍କୁ ନିର୍ବାଚନରେ ପରାସ୍ତ କରିଛନ୍ତି । ଆଣ୍ଡ୍ରିୟାସଙ୍କୁ ୪୮.୧ ପ୍ରତିଶତ ଭୋଟି ମିଳିଥିବା ବେଳେ ଖ୍ରୀଷ୍ଟୋଡୋଲିଡିସଙ୍କୁ ୫୧.୯ ପ୍ରତିଶତ ଭୋଟ ମିଳିଛି ।

ନିର୍ବାଚନରେ ପରାଜୟକୁ ସ୍ୱୀକାର କରି ଆଣ୍ଟ୍ରିୟାସ କହିଛନ୍ତି, 'ଆଜି ଗୋଟିଏ ରାତି ଶେଷ ହୋଇଛି । ଏହା ଏକ ରୋମାଞ୍ଚକର ଯାତ୍ରା ଥିଲା, ଯାହାକୁ ମୁଁ ହଜାର ହଜାର ଲୋକଙ୍କ ସହ ବାଣ୍ଟିଛି । ମୁଁ ଦୁଃଖିତ ଯେ ଆମେ ସେହି ପରିବର୍ତ୍ତନକୁ ହାସଲ କରି ପାରିଲୁ ନାହିଁ, ଯାହା ସାଇପ୍ରସକୁ ଦରକାର ଅଛି' । ଅନ୍ୟପଟେ ଖ୍ରୀଷ୍ଟୋଡୋଲିଡିସ୍ ନିଜ ବିଜୟକୁ ନେଇ ପୂର୍ବରୁ ହିଁ ଅଧିକ ଆଶା ପ୍ରକଟ କରିଥିଲେ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ କଣ ବାଜିରେ ଲାଗିଛି ତାହା ସାଇପ୍ରସର ଜନତା ଜାଣିଛନ୍ତି ଏବଂ ବୁଝିଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ, ଚଳିତ ଥର ସାଇପ୍ରସରେ ୭୨.୪ ପ୍ରତିଶତ ଭୋଟ ଦେଇଥିଲେ । ଯାହା ପୂର୍ବଥର ତୁଳନାରେ ଅଧିକ ଥିଲା । ଉଲ୍ଲେଖଯୋଗ୍ୟ ଯେ ସାଇପ୍ରସକୁ ୧୯୭୪ ମସିହାରେ ବିଭାଜନ କରାଯାଇଥିଲା । ସେହି ସମୟରେ ଗ୍ରୀକ୍ ଦ୍ୱାରା କ୍ଷମତା ପରିବର୍ତ୍ତନ ଜବାବରେ ତୁର୍କୀ ସେନା ଦେଶର ଉତ୍ତର ଭାଗରେ କବଜା କରିଥିଲା । ଏହା ପରଠୁ ସାଇପ୍ରସ ଏବଂ ତୁର୍କୀ ମଧ୍ୟରେ ବର୍ତ୍ତମାନ ସମୟରେ ଦକ୍ଷିଣରେ ଗ୍ରୀକ ସାଇପ୍ରିୟୋଟ୍ସ ଏବଂ ଉତ୍ତରରେ ତୁର୍କୀ ସାଇପ୍ରିୟୋଟ୍ସ ବିବାଦ ଲାଗି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.