୨୦୪୭ ସୁଦ୍ଧା ଭାରତକୁ ଇସଲାମିକ୍ ଷ୍ଟେଟ୍ କରାଇବା ଥିଲା ଲକ୍ଷ୍ୟ, PFI ବିରୋଧରେ ଏନଆଇଏ ଚାର୍ଜସିଟ୍‌ରେ ଚାଞ୍ଚଲ୍ୟକର ଖୁଲାସା

Published By : Prameya-News7 Bureau | March 18, 2023 IST

ନୂଆଦିଲ୍ଲୀ: ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର ଭୟଙ୍କର ଷଡଯନ୍ତ୍ରର ଖୁଲାସା କରିଛି ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) । ପିଏଫଆଇର ୫ ସଦସ୍ୟଙ୍କ ବିରୋଧରେ ଏନଆଇଏ ଚାର୍ଜସିଟ୍ ଦାଖଲ କରିଛି । ଚାର୍ଜସିଟ୍ ଅନୁସାରେ ଏମାନେ ମୁସଲମାନ ଯୁବକଙ୍କୁ କଥିତ ରୂପେ ଭ୍ରମିତ କରି କଟ୍ଟରପନ୍ଥୀ କରାଇବା, ସେମାନଙ୍କୁ ଭର୍ତ୍ତି କରାଇବା ପାଇଁ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ହତିଆର ପ୍ରଶିକ୍ଷଣ ଦେବା କାମରେ ନିୟୋଜିତ ଥିଲେ ।

କୋର୍ଟରେ ଏନଆଇଏ କହିଛି ଯେ ଦେଶରେ ବ୍ୟାନ ଥିବା ପିଏଫଆଇ ନିଜ ହୀନ ଉଦ୍ଦେଶ୍ୟ ହାସଲ ପାଇଁ ଦେଶର ବିଭିନ୍ନ ସ୍ଥାନରେ ଶାଖା ଖୋଲିଥିଲା । ୨୦୪୭ ସୁଦ୍ଧା ଇସଲାମିକ୍ ଶାସନ ସ୍ଥାପନ କରିବା ପାଇଁ ହିଂସାତ୍ମକ ଗତିବିଧି ବଢାଇବା ଏହାର ଉଦ୍ଦେଶ୍ୟ ଥିଲା ।

ଏନଆଇଏ ଶେଖ ରହୀମ ଓରଫ ଅବଦୁଲା ରହୀମ, ଶେଖ ୱାହିଦ ଅଲି ଓରଫ ଅବଦୁଲ ୱାହିଦ ଅଲି, ଜଫରୁଲ୍ଲା ଖାନ ପଠାନ, ଶେଖ ରିୟାଜ ଅହମଦ ଏବଂ ଅବଦୁଲ ୱାରିସଙ୍କ ବିରୋଧରେ ଆଇପିସି ଏବଂ ୟୁଏପିଏ ଧାରାରେ ଚାର୍ଜସିଟ୍ ଦାଖଲ କରାଯାଇଛି । ତେଲେଙ୍ଗାନା ପୋଲିସ ହାତରୁ ଏନଆଇଏ ଏହି ମାମଲା ନିଜ ହାତକୁ ନେବା ପରେ ଗତ ଡିସେମ୍ୱରରେ ୧୧ ଅଭିଯୁକ୍ତଙ୍କ ବିରୋଧରେ ନିଜର ପ୍ରଥମ ଚାର୍ଜସିଟ୍ ଦାଖଲ କରିଥିଲା ।

ଗିରଫ ପିଏଫଆଇ ସଦସ୍ୟମାନେ ଧାର୍ମିକ ଗ୍ରନ୍ଥକୁ ଭୁଲ ବାଖ୍ୟା କରୁଥିଲେ ଏବଂ ଘୋଷଣା କରି କହୁଥିଲେ ଯେ ଭାରତରେ ମୁସଲମାନଙ୍କ ଯନ୍ତ୍ରଣାକୁ ଶେଷ କରିବା ପାଇଁ ଜିହାଦର ହିଂସକ ରୂପର ଆବଶ୍ୟକ ରହିଛି । ଥରେ ପିଏଫଆଇ ଫୋଲ୍ଡରେ ଭର୍ତ୍ତି ହେବା ପରେ ମୁସଲମାନ ଯୁବକଙ୍କୁ ପିଏଫଆଇ କ୍ୟାଡର ଦ୍ୱାରା ଆୟୋଜିତ ପ୍ରଶିକ୍ଷଣ ଶିବିରକୁ ପଠା ଯାଉଥିଲା । ଏନଆଇଏ ଅଭିଯୋଗ କରିଛି ଯେ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗଳା, ପେଟ ଏବଂ ମୁଣ୍ଡକୁ ଆକ୍ରମଣ କରି ନିଜ ଟାର୍ଗେଟକୁ ମାରିବା ପାଇଁ ଘାତକ ହତିଆର ବ୍ୟବହାରର ପ୍ରଶିକ୍ଷଣ ଦିଆଯାଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.