RSP ଗ୍ୟାସ୍ ଟ୍ରାଜେଡି : ଏନ୍‌ଜିଟି ମାଗିଲା ରିପୋର୍ଟ, ଫେବୃଆରୀ ୧୧ ସୁଦ୍ଧା ଦାଖଲ ପାଇଁ ନିର୍ଦ୍ଦେଶ

Published By : Prameya-News7 Bureau | January 12, 2021 IST

ରାଉରକେଲା ୧୨।୧: ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍‌ ଘଟଣାକୁ ନେଇ ଏନ୍‌ଜିଟି ରିପୋର୍ଟ ମାଗିଛି । ଫେବୃଆରୀ ୧୧ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଏନଜିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୬ ତାରିଖରେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ୍‌ ହୋଇ ୪ ଜଣଙ୍କ ଜୀବନ ଯାଇଥିଲା । ୬ ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା । ଘଟଣା ଦିନ ସକାଳ ସମୟରେ କୋଲ୍‌ କେମିକାଲ୍‌ ବିଭାଗର ଗ୍ୟାସ୍‌ ଚ୍ୟାମ୍ବର ମେଣ୍ଟେନାନସ୍‌ ପାଇଁ ଉପରକୁ ୪ କର୍ମଚାରୀ ଚଢିଥିଲେ । ତେବେ କାମ ଚାଲିଥିବା ବେଳେ କାର୍ବନ୍‌ ମନୋକ୍‌ସାଇଡ୍‌ ଗ୍ୟାସ୍‌ ଲିକ୍‌ ହୋଇଥିଲା । ଏହାର ପ୍ରଭାବରେ ଆସିଥିବା ୪ କର୍ମଚାରୀ ହଠାତ୍‌ ଅଚେତ୍ ହୋଇ ତଳେ ପଡିଯାଇଥିଲେ । ସେହିଭଳି ତଳେ ଥିବା ଅନ୍ୟ କିଛି କର୍ମଚାରୀ ଏହାର ପ୍ରଭାବରେ ଆସିଥିଲେ । ଏହି ଖବର ପାଇଁ ପ୍ଲାଣ୍ଟର ଅଗ୍ନି ନିରାପତ୍ତା କର୍ମଚାରୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକମାନେ ହେଲେ ସୁପରଭାଇଜର ବ୍ରହ୍ମାନନ୍ଦ ପଣ୍ଡା, ଠିକା ଶ୍ରମିକ ଅଭିମନ୍ୟୁ ସା, ରବୀନ୍ଦ୍ର ସାହୁ ଏବଂ ଗଣେଶ ପାହିଲ । ସମସ୍ତେ ଠିକା ସଂସ୍ଥା ଷ୍ଟାର କନଷ୍ଟ୍ରକସନ୍ କମ୍ପାନୀ ଅଧିନରେ ଏଠାରେ କାର୍ଯ୍ୟ କରୁଥିଲେ ।

ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି । ଅତନୁ ଭୌମିକ, ଇଡି ବୋକାରୋ ଷ୍ଟିଲ ପ୍ଲାଣ୍ଟଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ଗଠନ ହୋଇଛି । କମିଟିରେ ଏଚ.କେ. ଦାସ, ସିଜିଏମ ଏନଭରମେଣ୍ଟ ମ୍ୟାନେଜମେଣ୍ଟ ଡିପାର୍ଟମେଣ୍ଟ କୋଲକାତା, ଭିକେ ଶ୍ରୀବାସ୍ତବ, ଇଏମଡି ଭିଲାଇ ଷ୍ଟିଲ୍ ପ୍ଲାଣ୍ଟ, ଆର.କେ. ସିଂହା, ସିଜିଏମ୍ କୋକ ଭେନ୍ ଦୁର୍ଗାପୁର ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.