ଆସୁଛି ଆଉ ଏକ ଲଘୁଚାପ, ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା

Published By : Prameya-News7 Bureau | July 14, 2024 IST

ଭୁବନେଶ୍ୱର ୧୪।୦୭: ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ । ରବିବାର ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ହେବ। ବାହୁଡ଼ା ଦିନ ଏହା ଲଘୁଚାପ ରୂପ ନେବ। ଏହା ପ୍ରଭାବରେ ରବିବାରଠାରୁ ପ୍ରବଳ ବର୍ଷା ହେବ । ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ ହେବ ଓ ଏହା ଲଘୁଚାପରେ ପରିଣତ ହେବ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ  ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ୧୪ ଓ ୧୫ ଦୁଇ ଦିନ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) କହିଛି । ପୁରୀ ସମେତ ପୂରା ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । 

ପ୍ରଫେସର ପଶୁପାଳକଙ୍କ ଆକଳନ ଅନୁସାରେ, ଉତ୍ତର  ବଙ୍ଗୋପସାଗରରେ ରବିବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ  ପରେ ଏହା ଲଘୁଚାପ ରୂପ ନେବ । ୧୬ ତାରିଖ ଯାଏ ପ୍ରବଳ ବର୍ଷା ହେବ । ୧୭ରେ ଏହା ମଧ୍ୟପ୍ରଦେଶକୁ ମୁହାଁଇପାରେ । ୧୮ରେ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ଲଘୁଚାପର ରୂପ ନେବ। ୨୦ ତାରିଖ ଯାଏ ଏହା ଓଡ଼ିଶା ସଂଲଗ୍ନ ସମୁଦ୍ରରେ ରହିବ। ୨୧ରେ ଉତ୍ତର ଓଡ଼ିଶା ଏବଂ ୨୨ରେ ଝାଡ଼ଖଣ୍ଡ ଆଡ଼କୁ ମୁହାଁଇପାରେ ବୋଲି ସେ କହିଛନ୍ତି । 

ଦୁଇଟି ଯାକ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଗଞ୍ଜାମ, ନୟାଗଡ଼, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡିରେ ସବୁଠୁ ଅଧିକ ବର୍ଷା ହେବ ବୋଲି ସେ କହିଛନ୍ତି । ଉତ୍ତର ଉପକୂଳରେ କମ୍‌ ବର୍ଷା ହେବ । ୨୨ରେ ସୁନ୍ଦରଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଆସନ୍ତା ୧୦ ଦିନରେ ଦକ୍ଷିଣ ଓଡ଼ିଶାରେ ମୋଟ ୧୨୦ରୁ ୧୮୦ମିମି ବର୍ଷା ହୋଇପାରେ । କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ  ୧୦୦ରୁ ୧୪୦ମିମି ଓ ଉତ୍ତର ପଶ୍ଚିମରେ ୮୦ରୁ ୧୦୦ମିମି ପର୍ଯ୍ୟନ୍ତ ବର୍ଷା  ହୋଇପାରେ । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର,  କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁରରେ ମୋଟ ୫୦ମିମି ବର୍ଷା ହୋଇପାରେ ।  

ତଳି ହୋଇ ଯାଇଥିଲେ ଜମି ଓ ବର୍ଷାକୁ ଦେଖି ରୋଇବା ଆରମ୍ଭ କରନ୍ତୁ। ତଳି ପକାଇବାକୁ ୨୦ ଦିନ ହୋଇଥିଲେ ବେଉଷଣ କରନ୍ତୁ । ଯେଉଁମାନେ ତଳି ପକାଇ ନାହାନ୍ତି ଯେମିତି ବର୍ଷାରେ ଏହା ଧୋଇ ନ ଯିବ, ସେଥିପାଇଁ ଉଚ୍ଚା ଜମିରେ ତଳି ପକାଇବାକୁ ସେ ପରାମର୍ଶ ଦେଇଛନ୍ତି ।  


 

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.