ଚୀନରେ ଭୟଙ୍କର ହେଉଛି ଭୂତାଣୁ; ଆସନ୍ତା ୩ମାସରେ ୬୦% ଲୋକ ହେବେ ସଂକ୍ରମିତ, ଲିକ୍ ହେଲା ସରକାରୀ ତଥ୍ୟ
25/12/2022 at 9:47 AM

ବେଜିଂ: ଚୀନରେ ମାରାତ୍ମକ ହେଉଛି ଭୂତାଣୁ । ଓମିକ୍ରନ ସବ୍ ଭାରିଆଣ୍ଟ BF.7 ପୂରା ଦେଶକୁ ନିଜ କବଜାକୁ ନେଉଛି । ବେଜିଂ ଠାରୁ ସାଂଘାଇ ସବୁଠି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଆସନ୍ତା ୩ମାସ ମଧ୍ୟରେ ଚୀନ୍ ୬୦ ପ୍ରତିଶତ ଲୋକ କରୋନାରେ ଆକ୍ରାନ୍ତ ହେବା ନେଇ ବୋଲି ରିପୋର୍ଟ ପ୍ରକାଶ ପାଇଛି ।
ଚୀନରେ ଦୁଇଗୁଣା ହାରରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୨୦ ଦିନ ମଧୟରେ ଦେଶରେ ୨୫କୋଟି ଲୋକଙ୍କ କରୋନା ଆକ୍ରାନ୍ତ ହୋଇଛନ୍ତି । ଓମିକ୍ରନ ସବ୍ ଭାରିଆଣ୍ଟ BF.7 ଗୋଟିଏ ପରେ ଗୋଟିଏ ଜୀବନ ନେଉଛି । ଦେଶରେ ମୃତ୍ୟୁ ସଂଖ୍ୟା 4ଅଙ୍କ ଟପିଥିବା ଜଣାପଡ଼ିଛି । ରୋଗୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ୍ ଅଭାବ ଦେଖା ଦେଇଥିବାବେଳେ ଶବଗୃହ ଭର୍ତ୍ତି ହୋଇଛି । ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ଲମ୍ବା ଲାଇନ ଲାଗିଛି ।
ଚୀନ ମିଡିଆ ରିପୋର୍ଟ ଅନୁଯାୟୀ, ଚୀନ୍ ସ୍ବାସ୍ଥ୍ଯମନ୍ତ୍ରଣାଳୟ ରିପୋର୍ଟ ଲିକ୍ ହୋଇଛି । ଏଥିରେ ଛାତି ଥରେଇ ଦେବା ଭଳି ତଥ୍ୟ ଉଲ୍ଲେଖ ହୋଇଛି । ଆସନ୍ତା 3ମାସ ମଧ୍ଯରେ ଦେଶରେ ୬୦ ପ୍ରତିଶତ ଲୋକ କରୋନାରେ ସଂକ୍ରମିତ ହେବେ । ଜିରୋ କୋଭିଡ୍ କଟକଣା ଢିଲା କରିବା ପରେ ଚୀନରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି ।
ଚୀନ୍ ସ୍ବାସ୍ଥ୍ୟ ବିଭାଗ ବୈଠକରେ କରୋନାକୁ ନେଇ ସାଂଘାତିକ ତଥ୍ୟ ପ୍ରକାଶ ପାଇଛି । ଲିକ୍ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୧ରୁ ୨୦ ତାରିଖ ମଧ୍ୟରେ ୨୪.୮ କୋଟି ଲୋକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଏହା ଚୀନର ମୋଟ୍ ଜନସଂଖ୍ୟାର ୧୭ ପ୍ରତିଶତ ବୋଲି କୁହାଯାଉଛି । ହେଲେ ସରକାରୀ ତଥ୍ଯରେ ମାତ୍ର ୩.୭ କୋଟି ଲୋକ ସଂକ୍ରମିତ ହୋଇଥିବା କୁହାଯାଇଛି । ଆସନ୍ତା ତିନି ମାସରେ ସ୍ଥିତି ଆହୁରି ଭୟଙ୍କର ହେବା ବୋଲି ଅନୁମାନ କରାଯାଉଛି ।